ଭାରତରୁ ନାଗରିକଙ୍କୁ ଫେରାଇ ନେବ ଚୀନ, ଜୁନ ୨ରୁ ଆରମ୍ଭ ହେବ ପ୍ରକ୍ରିୟା
25/05/2020 at 7:15 PM

ନୂଆଦିଲ୍ଲୀ ୨୫।୫: ଭାରତରେ ଅଟକି ରହିଥିବା ନାଗରିକଙ୍କୁ ଫେରାଇ ନେବ ଚୀନ୍ । ଏଥିପାଇଁ ଜୁନ ୨ ତାରିଖକୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚୀନ୍ ଏମ୍ବାସୀଙ୍କ ୱେବ୍ ସାଇଟ୍ରୁ ଜଣାପଡିଛି। କରୋନା ଲକଡାଉନ୍ ଯୋଗୁ ଭାରତରେ ଅନେକ ଚୀନ ନାଗରିକ ଅଟକି ରହିଛନ୍ତି। ଅନ୍ତର୍ଜାତୀୟ ଉଡାଣ ନିଷିଦ୍ଧ ଥିବାରୁ ସେମାନେ ସ୍ୱଦେଶ ଫେରିପାରୁନାହାନ୍ତି। ଏଥିରେ ଚୀନ ଏମ୍ବାସୀଙ୍କ ସୂଚନା ଏପରି ନାଗରିକଙ୍କୁ ଆଶ୍ୱସ୍ତ କରିଛି।

ଭାରତରେ ଚୀନର ଅନେକ ଛାତ୍ର, ପର୍ଯ୍ୟଟକ, ବ୍ୟବସାୟୀକ ଭିସାରେ ଆସିଥିବା ଲୋକେ ଅଟକି ରହିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢିବଢି ଚାଲିଥିବାରୁ ସରକାର କଟକଣା ମଧ୍ୟ ବଢାଇ ଚାଲିଛନ୍ତି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସୋମବାର ୧ଲକ୍ଷ ୪୦ ହଜାରରେ ପହଞ୍ଚିଥିବା ବେଳେ ୧୦ ଶୀର୍ଷ ସଂକ୍ରମିତ ରାଷ୍ଟ୍ରଙ୍କ ସୂଚୀରେ ସାମିଲ ହୋଇଛି ଭାରତ। ଏଣୁ ଚୀନ ତାର ନାଗରିକଙ୍କୁ ୨ ଜୁନରୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରିନେବାକୁ ବିଚାର କରୁଛି।

ଗୋଟିଏ ପଟେ ଭାରତରେ ଚୀନା ଭୂତାଣୁ ସଂକ୍ରମଣ ଚାଲିଥିବା ବେଳେ ସୀମାରେ ଚୀନ ଏବେ ଉତ୍ତେଜନାର କାରଣ ପାଲଟିଛି। ଏଥିରେ ଚୀନ୍ ନାଗରିକଙ୍କୁ ଫେରାଇ ନେବାକୁ ନିଷ୍ପତ୍ତିକୁ ଏବେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଭାରତରେ ପ୍ରଥମ କରୋନା ସଂକ୍ରମିତ ଜାନୁୟାରୀ ୩୦ ତାରିଖ ଦିନ କେରଳରେ ଚିହ୍ନଟ ହୋଇଥିଲେ। ଚୀନ ଉହାନରୁ ଆସିଥିବା ନାଗରିକ କରୋନା ପଜେଟିଭ ଚିହ୍ନଟ ପରଠାରୁ ଭାରତ ସରକାର ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଥିଲେ। ଏହା ସତ୍ତ୍ୱେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଟପ୍ ୧୦ ସୂଚୀରେ ପହଞ୍ଚିଯାଇଛି।

ଚୀନ ଦୂତାବାସଙ୍କ ୱେବସାଇଟ୍ ଅନୁସାରେ ଜୁନ ୨, ୩,୫, ୭ ଓ ୮ ତାରିଖରେ ଚୀନ ଏୟାରଲାଇନ୍ସ ସ୍ୱତନ୍ତ୍ର ବିମାନ ପଠାଇବେ ବୋଲି ସୂଚିତ କରିଛନ୍ତି। ଏଥିରେ ଯାତ୍ରୀ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ କ୍ୱାରେଣ୍ଟାଇନ ବାବଦ ଖର୍ଚ୍ଚ ମଧ୍ୟ ଜମା କରିବେ। ସେହିପରି ଯଦି କୌଣସି ଯାତ୍ରୀ ତାଙ୍କର ଅସୁସ୍ଥତା, ସମ୍ପର୍କ ଇତିହାସ ଲୁଚାଇବାକୁ ଉଦ୍ୟମ କରୁଥିବା ବା ଏଥିଲାଗି କୌଣସି ଔଷଧ ଖାଇଥିବା ଜଣାପଡନ୍ତି ତେବେ ତାଙ୍କ ବିରୋଧରେ ଜନସାଧାରଣଙ୍କ ଲାଗି ବିପଦ ଅପରାଧରେ ତାଙ୍କୁପ ଦାୟି କରାଯିବ ବୋଲି ନୋଟିସ୍ରେ ଚେତାଇ ଦିଆଯାଇଛି।