କରୋନା ଭାଇରସ୍ର ଉତ୍ପତ୍ତି ଉପରେ ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ ଓ ରିସର୍ଚ୍ଚ ରିପୋର୍ଟ ବିଷୟରେ…
20/04/2020 at 8:06 PM

ନୂଆଦିଲ୍ଲୀ ୨୦।୦୪: କରୋନା ଭାଇରସ୍କୁ ନେଇ ଅନେକ ପ୍ରକାରର ଖବର, ତଥ୍ୟ ବହୁତ କିଛି ସାମ୍ନାକୁ ଆସିଛି। ଏହାର ଉତ୍ପତ୍ତିକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବାକ୍ଯୁଦ୍ଧ ମଧ୍ୟ ହୋଇଛି। ଉଭୟ ପରସ୍ପର ଉପରେ ଏହି ଭାଇରସ୍ ସୃଷ୍ଟି କରି ପ୍ରସାର କରିଥିବା ଆରୋପ ଲଗାଉଛନ୍ତି। ମାତ୍ର ପରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଲା ଏବଂ ସମଗ୍ର ଦୁନିଆର ଗଣମାଧ୍ୟମ ଏବଂ ବୈଜ୍ଞାନିକ ଏଥିରେ କୌଣସି ପ୍ରକାରର ଷଡଯନ୍ତ୍ର ହୋଇଥିବାକୁ ଖଣ୍ଡନ କରିଛନ୍ତି। କେବଳ ଏତିକି ନୁହେଁ ଗଣମାଧ୍ୟମ ଓ ସାଇନ୍ସ ଜର୍ଣ୍ଣାଲ ଜରିଆରେ ଯେଉଁ ଗବେଷଣା ସାମ୍ନାକୁ ଆସୁଛି ଏଥିରେ କରୋନା ପ୍ରାକୃତିକ ବୋଲି ପ୍ରମାଣିତ ହୋଇଛି। ଜର୍ମାନୀର ଖବରକାଗଜ ଡାଏଚେ ଭେଲେର ଡିଜିଟାଲ ଏଡିସନରେ ଏହା ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶିତ କରି ଏହା ଉପରୁ ପରଦା ହଟାଇବାକୁ ଉଦ୍ୟମ କରିଛନ୍ତି। ଏଥିରେ ମଧ୍ୟ ଏହି ନିଷ୍କର୍ସ ସାମ୍ନାକୁ ଆସିଥିଲା ଯେ, ହର୍ସ ସୋ ପ୍ରଜାତିର ବାଦୁଡିର ମଳରୁ ଏହି ଭାଇରସ୍ ଉତ୍ପନ ହୋଇଛି।
ସର୍ବ ପ୍ରଥମେ କରୋନା ଭାଇରସ୍କୁ ଏକ ଷଡଯନ୍ତ୍ର ଦର୍ଶାଇଥିବା ଥିଓରୀର ଖଣ୍ଡନ ଓ୍ଵାଶିଂଟନ ପୋଷ୍ଟ ହିଁ କରିଥିଲା। ଏହାର ରିସର୍ଚ୍ଚ ରିପୋର୍ଟକୁ ନେଇ ଉଲ୍ଲେଖ କରାଯାଇଥିଲା ଯେ, ଏଥିରେ କୌଣସି ଷଡଯନ୍ତ୍ର ହୋଇ ନାହିଁ ବରଂ ଏହା ପ୍ରାକୃତିକ। ଏହା ପରେ ନେଚର ମ୍ୟାଗଜିନ୍ରେ ମଧ୍ୟ ଏହାକୁ ନେଇ ଏକ ରିସର୍ଚ୍ଚ ପେପର ପ୍ରକାଶିତ ହୋଇଥିଲା, ଯାହାକୁ କ୍ରିଷ୍ଟିୟାନ ଆଣ୍ଡରସନ ଲେଖିଥିଲେ। ଏଥିରେ ମଧ୍ୟ ଭାଇରସ୍ ପ୍ରାକୃତିକ ହୋଇଥିବା ଉଲ୍ଲେଖ କରାଯାଇଥିଲା।
ଅନ୍ୟପଟେ ଚୀନର ଯେଉଁ ଲ୍ୟାବ୍କୁ ନେଇ ପାଶ୍ଚାତ୍ୟ ମିଡିଆ ପ୍ରଶ୍ନ କରିଥିଲା, ତା ଉପରେ ଡେଲିମେଲ୍ର ଏକ ଖବରରେ କୁହାଯାଇଛି ଯେ, ଉହାନର ଏହି ଲ୍ୟାବ୍ ଗୋପନୀୟ ନୁହଁ ବରଂ ସେଠାରେ ହେଉଥିବା ରିସର୍ଚ୍ଚ ସାଇନ୍ସ ମ୍ୟାଗଜିନରେ ଛପା ହୁଏ। କେବଳ ଏତିକି ନୁହଁ ଏଥିରେ କୁହାଯାଇଥିଲା ଯେ, ଲ୍ୟାବ୍ରେ ପାଶ୍ଚାତ୍ୟ ଦେଶଗୁଡିକର ବୈଜ୍ଞାନିକ ମଧ୍ୟ ସାମିଲ ହୁଅନ୍ତି ଏବଂ ଏହି ଲ୍ୟାବର ପାର୍ଟନରସିପ୍ ଭାବେ ୟୁନିଭର୍ସିଟି ଅଫ ଟେକ୍ସାସ୍ର ଗ୍ୟାଲଓ୍ଵେଷ୍ଟନ ନ୍ୟାସନାଲ ଲ୍ୟାବ୍ କାମ କରନ୍ତି। ଏହା ବ୍ୟତୀତ ଆମେରିକାର ଇକୋ ହେଲ୍ଥ ଅଲାୟନ୍ସ ମଧ୍ୟ ଏହାର ପାର୍ଟନର। ଡେଲି ମେଲ୍ର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏଠାରେ ହେଉଥିବା ରିସର୍ଚ୍ଚରେ ଆମେରିକା ସରକାର ମଧ୍ୟ ନିବେଶ କରିଥାଏ।
ଲାସେଣ୍ଟ ଓ ସାଇନ୍ସ ମ୍ୟାଗଜିନ୍ରେ ଛପି ଥିବା ଲେଖାରେ ଚୀନର ଜଣେ ଅଧିକାରୀ ସେହି ବୟାନ ଉପରେ ପ୍ରଶ୍ନ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ, ଏହି ଭାଇରସ୍ ଉହାନର ମାଂସ ବଜାରରୁ ବ୍ୟାପିଛି। ଏହି ଦୁଇ ମ୍ୟାଗଜିନ୍ରେ ଛପି ଥିବା ଲେଖାରେ କୁହାଯାଇଛି ଯେ, କୋଭିଡ୍-୧୯ ସଂକ୍ରମଣର ପ୍ରାରମ୍ଭିକ ୪୧ କେସ୍ ମଧ୍ୟରୁ ୧୩ କେବେ ମଧ୍ୟ ଉହାନର ମାଂସ ବଜାରକୁ ଯାଇ ନାହାନ୍ତି। ଏହି ପ୍ରଶ୍ନର ଉତ୍ତରରେ ଆମେରିକା ଜର୍ଜଟନ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ଡେନିମଲ ଲୁସି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହା ମଧ୍ୟ ସମ୍ଭବ ଯେ, ଯେଉଁମାନେ ଉକ୍ତ ମାଂସ ବଜାରକୁ ଯାଇ ନାହାନ୍ତି ସେମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଥାଇ ପାରନ୍ତି। ସେ ଏହା ମଧ୍ୟ କହିଛନ୍ତି ଏହି ଭାଇରସ୍ର ଆରମ୍ଭ ଡିସେମ୍ବରରେ ନୁହଁ ନଭେମ୍ବରରେ ହୋଇଥିଲା।
ଏହା ପରେ ପୁଣି ପ୍ରଶ୍ନ ଉଠିଲା ଯେ, ଉହାନରେ ଏହି ଭାଇରସ୍ କେମିତି ପହଞ୍ଚିଲା। ଏହାର ଉତ୍ତର ଦେବା ପୂର୍ବରୁ ଆପଣଙ୍କୁ କହି ରଖୁଛୁ ଯେ, ଉହାନର ମାଂସ ବଜାର ଚୀନର ସବୁଠୁ ବଡ ମାଂସ ବଜାର ମଧ୍ୟରୁ ଏକ। ଏଠାରେ ଅନେକ ପ୍ରକାରର ପଶୁ ମାଂସ ବିକ୍ରି ହୁଏ। ଏଥିରେ ପାଗୁଡି ଓ ପେଙ୍ଗାଲିନ ମଧ୍ୟ ସାମିଲ, ଯାହାକୁ ସ୍ଥାନୀୟ ସ୍ତରରେ ଏକ ଔଷଧ ଭାବେ ବ୍ୟବହାର କରାଯାଏ। ଉହାନର ପ୍ରଫେସର ସି ଝେଙ୍ଗଲି ନେଚର ମ୍ୟାଗଜିନ୍ରେ ଏକ ଲେଖାରେ ଲେଖିଥିଲେ ଯେ, ସେ ୨୮ ଗୁମ୍ଫାକୁ ଯାଇ ବାଦୁଡିଙ୍କ ମଳ ଏକତ୍ରିତ କରିଥିଲେ। ଏହାପରେ ସେ ବାଦୁଡିଙ୍କ ଭାଇରସ୍ର ଏକ ପୂରା ଆର୍କାଇଭ ପ୍ରସ୍ତୁତ କଲେ। ନିଜର ଏହି ଗବେଷଣାରେ ସେ ନୋଭେଲ୍ କରୋନା ଭାଇରସ୍ର ମଧ୍ୟ ଉଲ୍ଲେଖ କରିଥିଲେ।
ଚୀନରେ ଏହି ଭାଇରସ୍ ସଂକ୍ରମଣ ବ୍ୟାପିବା ପରେ ପ୍ରଫେସର ସି ଓ ତାଙ୍କ ଟିମ୍ ମିଶି ଏହାର ବାୟୋଷ୍ଟ୍ରକଚର ପ୍ରସ୍ତୁତ କଲେ ଏବଂ ଏହାକୁ ପ୍ରକାଶିତ ମଧ୍ୟ କରିଥିଲେ। ପରେ ଏହି ଗବେଷଣା ଆଧାରରେ କରୋନା ଭାଇରସ୍ର ଟିକେ ତିଆରି ପ୍ରକ୍ରିୟା ଆରମ୍ଭ ହୋଇ ପାରିଛି।