କରୋନା ଭାଇରସ୍ ମାମଲାରେ ଦୁନିଆକୁ ସତ ଲୁଚାଉଥିଲା ଚୀନ, ଏବେ ବିବଶ ହେଲା କହିବାକୁ

Published By : Prameya-News7 Bureau | March 31, 2020 IST

ବେଜିଂ ୩୧।୦୩: ଚୀନ କରୋନା ଭାଇରସ୍‌କୁ ନେଇ ଦୁନିଆକୁ କ୍ରମାଗତ ଭ୍ରମିତ କରିବାରେ ଲାଗିଛି। ଚୀନ ଉପରେ କ୍ରମାଗତ  ଭାଇରସ୍ ସମ୍ବନ୍ଧିତ ସୂଚନା ଏବଂ  ବାସ୍ତବିକ ତଥ୍ୟ ଲୁଚାଇବାର ଆରୋପ ଲଗାଯାଉଛି। ଚୀନ କରୋନା ଭାଇରସ୍‌ ସଂପର୍କିତ ଯେଉଁ ସତ୍ୟ ଲୁଚାଉଥିଲା ଏବେ ବିବଶ  ହୋଇ ତାହା କହିବାକୁ ପଡିଛି। ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଚାପର ବଶବର୍ତ୍ତୀ ହୋଇ ଚୀନ ଏବେ ବଡ ଖୁଲାସା କରିଛି। ଚୀନ କହିଛି ଯେ, ତାଙ୍କ ଦେଶରେ କରୋନା ସଂକ୍ରମିତ ୧୫୪୧ ଏମିତି ମାମଲା ରହିଛି, ଯାହାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଚୀନ ବିନା ଲକ୍ଷଣ  ବିଶିଷ୍ଟ କରୋନା ଭାଇରସ୍‌ କଥା କହି ଏବେ ଦୁନିଆକୁ ପୁଣି ଥରେ ଚିନ୍ତାରେ ପକାଇଛି, କାରଣ ଏହି ଭାଇରସ୍‌ ଧିରେ ଧିରେ ବ୍ୟାପିଥାଏ।

{"id":247204,"width":587,"height":389,"sizeSlug":"large"}

ଚୀନର ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ମିଶନର ଓ୍ଵେବ୍‌ସାଇଟ୍ ଅନୁଯାୟୀ ଚୀନରେ ବିନା କୌଣସି ଲକ୍ଷଣର ମୋଟ୍ ୧୪୫୧ଟି କରୋନା ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୦୫ ଜଣ ଅନ୍ୟ ଦେଶର ନାଗରିକ ଅଟନ୍ତି। ଚୀନରେ ଅଦ୍ୟାବଧି କରୋନା ସଂକ୍ରମିତ ସଂଖ୍ୟା ୮୧ ହଜାର ଟପିଛି। ମାତ୍ର ଏଥିରୁ ଅଧିକାଂଶ ସୁସ୍ଥ ହେଲେଣି। ମାର୍ଚ୍ଚ ୩୦ ସୁଦ୍ଧା ଚୀନର ହସ୍ପିଟାଲରେ ମୋଟ୍ ୨୧୬୧ ସଂକ୍ରମିତ ଥିଲେ।

ଚୀନର ତଥ୍ୟ ଉପରେ ଏଥିପାଇଁ ପ୍ରଶ୍ନ ଉଠାଯାଉଥିଲା କାରଣ ସେ ବିନା ଲକ୍ଷଣ ବିଶିଷ୍ଟ ରୋଗୀଙ୍କୁ ଭାଇରସ୍ ମାମଲାରେ ସାମିଲ କରୁନଥିଲା। ଯଦି କାହା ଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଜର ଆସେ ନାହିଁ ଏବଂ ପରୀକ୍ଷଣରୁ କରୋନା ପଜିଟିଭ୍ ଆସେ ତେବେ ମଧ୍ୟ ଚୀନ ଏହାକୁ କରୋନା କେସ୍‌ ମାମଲାରେ ସାମିଲ କରେ ନାହିଁ। କିନ୍ତୁ ଦକ୍ଷିଣ କୋରିଆ, ଜାପାନ ଓ ସିଙ୍ଗାପୁର ପରି ଦେଶଗୁଡିକରେ ଟେଷ୍ଟରେ ପଜିଟିଭ୍ ଆସିଲେ ରୋଗୀଙ୍କୁ ଆନୁଷ୍ଠାନିକ ତଥ୍ୟରେ ସାମିଲ କରିଥାନ୍ତି।

{"id":247205,"width":585,"height":379,"sizeSlug":"large"}

ଚୀନର କହିବା କଥା ବିନା ଲକ୍ଷଣ ବିଶିଷ୍ଟ କରୋନା ରୋଗୀ ଉପରେ ସେ ନଜର ରଖିଥାଏ। ଯେବେ ରୋଗୀଙ୍କଠାରେ ଲକ୍ଷଣ ଦେଖିବାକୁ ମିଳେ ତେବେ ତାଙ୍କୁ କରୋନା ଭାଇରସ୍‌ ମାମଲାରେ ସାମିଲ କରିନିଏ। ଗବେଷକ ଜାଣିବାକୁ ପାଇଛନ୍ତି ଯେ, ଏହି ପ୍ରକାରର ରୋଗୀ ଅନ୍ୟଙ୍କୁ ସଂକ୍ରମଣ ବ୍ୟାପିବାରେ ମହତ୍ଵପୂର୍ଣ୍ଣ  ଭୂମିକା ନେଇଥାନ୍ତି। ଏଥିପାଇଁ ଚୀନର ବିନା ଲକ୍ଷଣ ବିଶିଷ୍ଟ କରୋନା ମାମଲାର ଖୁଲାସା କରୁନଥିବାରୁ ସମଗ୍ର ଦୁନିଆ ଚିନ୍ତା ପ୍ରକଟ୍ କରିଥିଲା।  ଏବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ଗତ  ବର୍ଷ ଡିସେମ୍ବରରେ ଉହାନରୁ ଆରମ୍ଭ ହୋଇଥିବା ଭାଇରସର ମହାମାରୀ ବାସ୍ତବରେ ସମାପ୍ତ ହୋଇଛି ନା ନାହିଁ। କିଛି ବିଶ୍ଳେଷକଙ୍କ କହିବା କଥା ଚୀନରେ ଏହି ମହାମାରୀ ଶେଷ ହୋଇ ନାହିଁ ବରଂ ଅନ୍ୟ ଦେଶକୁ ବ୍ୟାପିବାରେ  ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.