ଚାଇନା ସ୍ପନସର୍ ପାଇଁ ବିସିସିଆଇ ଫସିବ କି ? ଯଦି ଚୁକ୍ତି ବାତିଲ ହେବ ତେବେ ୪୦୦ କୋଟି କିଏ ଦେବ, କେଉଁଠୁ ଆସିବ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ, ୨୩|୦୬:  ଲଦାଖର ଗଲଓ୍ୱାନ ଘାଟିରେ ଭାରତର ୨୦ ଜଣ ବୀର ଯବାନ ସହିଦ ହେବା ପରେ ଦେଶରେ ଚୀନ ସାମଗ୍ରୀ ବର୍ଜନ ଆନ୍ଦୋଳନ ଜୋର ଧରିଛି । ଗତ ୧୫ ତାରିଖ ରାତିରେ ଏହି ଘାଟିରେ ଚୀନ ସେନାର ଆକ୍ରମଣରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ଚୀନର ମଧ୍ୟ ୪୨ଜଣ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଭାରତୀୟ ଭାରତ୍ତୋଳନ ସଙ୍ଘ ଏହି ଦିଗରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଟୋକିଓ ଅଲମ୍ପିକିରେ ପ୍ରୟୋଗ ହେବାକୁ ଥିବା ଚୀନ କମ୍ପାନୀ ଜେଡକେସୀର ଭାରତ୍ତୋଳନ ସେଟ୍‌କୁ ନକିଣିବା ପାଇଁ ନିଷ୍ପତ୍ତି ନେଇଛି । ଏବେ ବିସିସିଆଇ ଉପରେ ଚୀନ କମ୍ପାନୀ ଉପରୁ ସମ୍ପର୍କ ତୁଟାଇବା ପାଇଁ ଚାପ ପଡୁଛି । ଏନେଇ ଅତିଶୀଘ୍ର ବୈଠକ ହେବ । ଚୀନ କମ୍ପାନୀ ଭିଭୋ ଆଇପିଏଲର ମୁଖ୍ୟ ପ୍ରଯୋଜକ ଅଟେ । ଏଥିରୁ ବିସିସିଆଇକୁ ମୋଟା ଅଙ୍କର ଅର୍ଥ ମିଳିଥାଏ ।

ଇନସାଇଡ୍ ସ୍ପୋର୍ଟସ୍‌ ଅନୁସାରେ ଭିଭୋ ସହ ସମ୍ପର୍କ ତୁଟାଇବାକୁ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଭିଭୋକୁ କିଏ ରିପ୍ଲେସ କରିବ ଠିକ୍ ହୋଇନାହିଁ । ଆଇପିଏଲକୁ ଭିଭୋ ୪୦୦ କୋଟି ଟଙ୍କା ଦେଉଛି । ଭାରତରେ କେହି ହେଲେ ଏତେ ପରିମାଣର ଅର୍ଥ ଦେଉନାହାଁନ୍ତି । ଭିଭୋ ସହ ସମ୍ପର୍କ ଭାଙ୍ଗି ପାରିବ ନାହିଁ । ଚୀନୀ ବ୍ରାଣ୍ଡ୍ ଟେଲିଭିଜନ ଓ କ୍ରିକେଟ ପ୍ରପର୍ଟିରେ ବଡ ବଡ ବିଜ୍ଞାପନ ଦେଉଛନ୍ତି । ଏହାକୁ ରୋକି ହେବ ନାହିଁ । ଚୀନ ବିଜ୍ଞାପାନଦାତା ଆଇପିଏଲ ଓ ବିସିସିଆଇର ଅନ୍ୟ କ୍ରିକେଟ ଇଭେଣ୍ଟରେ ବଡ ପରିମାଣରେ ଖର୍ଚ୍ଚ କରିଥାନ୍ତି ।

ଗତ ୪ ଦଶନ୍ଧି ଧରି ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହୋଇଥିବା ହିଂସାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରଠୁ ଚୀନ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଦାବି ଉଠୁଛି । କିଛିଦିନ ପୂର୍ବରୁ ବିସିସିଆଇ କୋଷାଧ୍ୟକ୍ଷ ଅରୂଣ ଧୂମଲ କହିଥିଲେ ଯେ, ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ଚୀନ କମ୍ପାନୀଙ୍କ ଦ୍ୱାରା ଦେଶକୁ ଅଧିକ ଫାଇଦା ହେଉଛି । ବିସିସିଆଇକୁ ଭିଭୋରୁ ବାର୍ଷିକ ୪୪୦ କୋଟି ଟଙ୍କା ମିଳିଥାଏ । ଏହି ଚୁକ୍ତି ୨୦୨୨ରେ ଶେଷ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.