ବିହାରରୁ ଚୀନ ଭାୟା ନେପାଳ, ବିହାରୀଙ୍କ ଚାଉଳରୁ ମଦ ତିଆରି କରୁଛି ଡ୍ରାଗନ୍ !
6/01/2021 at 9:27 PM

ନୂଆଦିଲ୍ଲୀ ୦୬/୦୧: ଲୋକ ଲୋଚନକୁ ଆସିଲା ଚୀନର ଆଉ ଏକ ଚାଲ୍। ବିହାର ଚାଉଳରେ ଚୀନ ତିଆରି କରୁଛି ମଦ ! ଚାଉଳ ଚୋରା ଚାଲାଣ ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଏକ ଗ୍ୟାଙ୍ଗ କାମ କରୁଥିବା ସୂଚନା ମିଳିଛି। ଏନେଇ ଖୁଲାସା ହେବା ପରେ ଉପରୁ ତଳ ଯାଏ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।
ଗତ ୯ ମାସ ହେଲା ସୀମା ସିଲ୍ ହୋଇଥିବା ବେଳେ ଚାଉଳ କେମିତି ଚୀନ ପହଞ୍ଚୁଛି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ଦିନ ଧରି ବିହାରରୁ ନେପାଳ ମୋଟା ଚାଉଳ କେମିତି ଯାଉଛି ସେନେଇ ବି ତଦନ୍ତ ଆରମ୍ଭ ହୋଇଛି। ଚାଉଳ ନେପାଳ ପହଞ୍ଚାଇବାରେ ବିତରଣ ପ୍ରକ୍ରିୟାରେ ଜଡ଼ିତ ଦୋକାନୀମାନେ ବି ସାମିଲ ଅଛନ୍ତି। ଦୁକାନୀମାନେ ରାସନ ଚାଉଳକୁ କମ ଦାମରେ ବିକ୍ରି କରୁଛନ୍ତି। ଚାଉଳ ପ୍ରଥମେ ନେପାଳ ପରେ ଚୀନରେ ପହଞ୍ଚୁଛି।
ଚାଉଳ କଳାବାଜାରୀ ବିଶେଷ କରି ବିହାର ଓ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଅଧିକ ହେଉଛି। ଏଠାରେ ଅନ୍ତରାଷ୍ଟ୍ରୀୟ ମାଫିଆ ସକ୍ରିୟ ଅଛନ୍ତି। ପୋଲିସ ବହୁବାର ଏହି ଗ୍ୟାଙ୍ଗର ପାର୍ଦ୍ଦାଫାଶ କରିଥିଲେ ବି କଳାବାଜାରୀ ପୂର୍ବବତ ଜାରି ରହିଥିବା ଜଣାପଡ଼ିଛି। ରାସନ ଚାଉଳର ଚୋରା ଚାଲାଣ ବିଶେଷ କରି ସୀତାମଢ଼ି, ମଧୁବନୀ, ପୁର୍ଣ୍ଣିୟା ଓ ଅରରିୟା ଜିଲ୍ଲାରୁ ହେଉଛି। ଏ ସମସ୍ତ ଜିଲ୍ଲା ନେପାଳ ସୀମା ସହ ଯୋଡ଼ି ରହିଛି। ଏଠାରେ ଚାଉଳ ଚୋରା ଚାଲାଣ ଅଧିକ ମାତ୍ରାରେ ହେଉଥିବା ସୂଚନା ମିଳିଛି।