କିଛି ମାସର ନିରବତା ପରେ ଲଦାଖରେ ଡ୍ରାଗନର ଚାଲବାଜି ଆରମ୍ଭ: ଅଭ୍ୟାସ୍ କରୁଛି ଚୀନ ସେନା, ନିର୍ମାଣ କରୁଛି ବଙ୍କର

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮।୦୫: ଗତ ବର୍ଷ ସେହି ଏପ୍ରିଲ ମାସ ଥିଲା ଯେବେ ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ନିଜର ଚାଲବାଜି ଦେଖାଇବା ଆରମ୍ଭ କରିଥିଲା। ଅନେକ ପର୍ଯ୍ୟାୟ ବୈଠକ ପରେ ଚୀନର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ରାଜିନାମା ଆଧାରରେ ଏଲଏସିର ଅନେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ସହମତି ପ୍ରକାଶ କରିଥିଲା। ଦୁଇ ଦେଶର ସୈନ୍ୟ ମଧ୍ୟ ଏଲଏସିର ବିବାଦୀୟ ଅଞ୍ଚଳରୁ ପଛକୁ ହଟିଥିଲେ। ହେଲେ ପୁଣି ଥରେ ଏଲଏସି ସଂଲଗ୍ନ ସୀମା ନିକଟରେ ଚୀନର ଗତିବିଧି ଆରମ୍ଭ ହୋଇ ଯାଇଛି। ଚୀନ ସେନା ପୂର୍ବ ଲଦାଖ ଅଞ୍ଚଳରେ ନିଜ ସମରାଭ୍ୟାସ୍ ଆରମ୍ଭ କରିଛି। ଏହି ଅଭ୍ୟାସ୍‌କୁ ଦେଖି ଭାରତୀୟ ସେନା ଆଲର୍ଟ  ହୋଇଯାଇଛନ୍ତି ଏବଂ କୌଣସି ପ୍ରକାରର ଦୁଃସାହାସର ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି।

ସୂତ୍ର ମୁତାବକ, ଚୀନ ସେନା ଅନେକ ବର୍ଷରୁ ଏହି ଅଞ୍ଚଳକୁ ଆସି ଗ୍ରୀଷ୍ମ ସମୟରେ ଅଭ୍ୟାସ୍ କରିଥାଏ। ଗତ ବର୍ଷ ମଧ୍ୟ ଅଭ୍ୟାସ୍ ଆଳରେ ଏଲଏସିର ପାଙ୍ଗଙ୍ଗ ହ୍ରଦ ନିକଟସ୍ଥ ଫିଙ୍ଗର ୪ ଅଞ୍ଚଳକକୁ ଧସେଇପ ପଶିଥିଲେ ଚୀନ ସେନା। ସୂଚନା ଅନୁଯାୟୀ, ଚୀନ ସୈନିକ ନିଜର ପାରମ୍ପରିକ ଅଞ୍ଚଳରେ ଅଛନ୍ତି ଏବଂ କିଛି ସ୍ଥାନରୁ ୧୦୦ କିଲୋମିଟର ଦୂରରେ ଡେରା ପକାଇଛନ୍ତି। ଏହା ଗୁରୁତ୍ଵପୂର୍ଣ୍ଣ ଯେ, ପାଙ୍ଗଙ୍ଗ କ୍ଷେତ୍ରର ଉଭୟ ପାର୍ଶ୍ଵରୁ ପଛକୁ ହଟିବା ପରେ ହଟ୍ ସ୍ପ୍ରିଙ୍ଗ, ଗୋଗରା ହାଇଟ୍‌ସକୁ ନେଇ ଚୀନ ପ୍ରତିପକ୍ଷ ସହ ଭାରତର ଆଲୋଚନା ଜାରି ରହିଛି।

ନିଜ ସୁରକ୍ଷା ସ୍ଥିତି ସମୀକ୍ଷା କଲା ଭାରତୀୟ ସେନା

ଭାରତୀୟ ସେନା ମଧ୍ୟ ପୂର୍ବ ଲଦାଖ ଓ ଅନ୍ୟ ସେକ୍ଟରର ଅଗ୍ରୀମ ଅଞ୍ଚଳରେ ଗ୍ରୀଷ୍ମ ସମୟରେ ନିଜ ସୈନିକ ସଂଖ୍ୟା ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। ଏହା ପରେ ମୋର୍ଚ୍ଚାରେ ମୁତୟନ ସୁରକ୍ଷାକର୍ମୀଙ୍କ ବରିଷ୍ଠ ଅଧିକାରୀ ନିକଟରେ ଅଗ୍ରୀମ ଅଞ୍ଚଳରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଲଦାଖରେ ଭାରତ ପକ୍ଷରୁ ଭାରତ-ତିବତ ସୀମା ପୋଲିସ, ଭାରତୀୟ ବାୟୁ ସେନା ଓ ଭାରତୀୟ ସେନାକୁ ମୁତୟନ କରାଯାଇଛି। ଏହି ସେନା ସେକ୍ଟରରେ ସବୁଠୁ ଆଗରେ ଅଛନ୍ତି। ଉଲ୍ଲେଖନୀୟ ଚୀନ ନିଜ ପାରମ୍ପରିକ ଅଭ୍ୟାସ୍‌ କ୍ଷେତ୍ରରୁ  ହଟି ପୂର୍ବ ମୋର୍ଚ୍ଚାକୁ ଆସିବାରୁ ଭାରତ ସହ ସୈନ୍ୟ ଗତିରୋଧ ଜାରି ରହିଛି।

ନିଜ ଅଞ୍ଚଳରେ ତିଆରି କରୁଛି ବଙ୍କର୍ସ

ସୂତ୍ର ଅନୁଯାୟୀ, ଆଶା କରାଯାଉଥିଲା ଯେ, ଚୀନ ନିଜର  ବାସ୍ତବିକ କ୍ଷେତ୍ରକୁ ଫେରିଯିବ, ମାତ୍ର ଅଗ୍ରୀମ ଅଞ୍ଚଳରେ ଅଟକି ଯାଇଛି ପିଏଲଏ। ସେଠାରେ ନିଜ ଅଞ୍ଚଳରେ ବଙ୍କର୍ସ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି ଏବଂ ନିଜ ଭିତ୍ତିଭୂମି ମଜବୁତ କରିବା ପାଇଁ କାମ ଜାରି ରଖିଛି। ଅନ୍ୟପଟେ ଭାରତ ମଧ୍ୟ ନିଜର ସ୍ଥିତି ମଜବୁତ କରି ନେଇଛି। ନିଜ ସୈନିକଙ୍କୁ ମଧ୍ୟ ଲମ୍ବା ସମୟ ପାଇଁ ପ୍ରସ୍ତୁତ କରି ନେଇଛି। ଅରିତିକ୍ତ ସେନା ମୁତୟନ କରାଯାଇ ରୋଟେସନ ନୀତି ଜାରି ରହିଛି। ଭାରତ ଓ ଚୀନ ଉଭୟ ପକ୍ଷରୁ ସୀମାରେ  ବଡ ସଂଖ୍ୟାରେ ବଡ ସଂଖ୍ୟାରେ ସୈନିକ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.