ହାର୍ଟ ସର୍ଜରୀ ପରେ କିମ୍‌ଙ୍କ ଅବସ୍ଥା ଗୁରୁତର ଖବର ଏବେ ଭାଇରାଲ୍ : ଉତ୍ତରକୋରିଆକୁ ଡାକ୍ତରୀ ଟିମ୍ ପଠାଇଲା ଚୀନ୍

Published By : Prameya-News7 Bureau | April 25, 2020 IST

ବେଜିଂ ୨୫।୪: ଉତ୍ତର କୋରିଆର ସୁପ୍ରିମ୍ ଲିଡର କିମ୍ ଜୋଙ୍ଗ ଉନଙ୍କ ଅସୁସ୍ଥତାକୁ ନେଇ ସନ୍ଦେହ କ୍ରମାଗତ ଭାବେ ବଢିବାରେ ଲାଗିଛି । ଆମେରିକାର ଗୁପ୍ତଚର ଏଜେନ୍ସି ଅନୁଯାୟୀ କିମ୍ ଜୋଙ୍ଗ ଅତୀତରେ ହାର୍ଟ ଅସ୍ତ୍ରୋପଚାର କରାଇଥିଲେ । କିନ୍ତୁ ଏହି ଅସ୍ତ୍ରୋପଚାର ସଫଳ ହୋଇପାରିଲା ନାହିଁ । ତାଙ୍କ ଅସୁସ୍ଥତାକୁ ନେଇ ସାରା ବିଶ୍ବର ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି । ଚୀନ୍ କିମ୍ ଜୋଙ୍ଗଙ୍କ ଚିକିତ୍ସା ପାଇଁ ଉତ୍ତର କୋରିଆକୁ ଡାକ୍ତରୀ ଟିମ୍ ପଠାଇଥିବା କୁହାଯାଉଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂତ୍ରର ସୂଚନା ଆଧାରରେ ପ୍ରକାଶ କରିଛି ଯେ, ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଇଣ୍ଟରନ୍ୟାସନାଲ ଲାୟଜନ ବିଭାଗର ଜଣେ ବରିଷ୍ଠ ସଦସ୍ୟଙ୍କ ତତ୍ତ୍ବାବଧାନରେ ଉତ୍ତର କୋରିଆକୁ ଡାକ୍ତରୀ ଟିମ୍ ପଠାଯାଇଛି । ଚୀନ୍‌ର ବୈଦେଶିକ ମନ୍ତ୍ରୀ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି ।

ନିକଟରେ ସିଓଲର ୱେବସାଇଟ୍ ଡେଲି ଏନକେ ଦାବି କରିଛି ଯେ, କିମ୍ ଅପ୍ରେଲ ୧୨ରେ ଅସ୍ତ୍ରୋପଚାର କରିଥିଲେ । ଏହାପରେ ସେ ସୁସ୍ଥ ହେଉନାହାନ୍ତି । ଏହାକୁ ଦକ୍ଷିଣ କୋରିଆ ଏବଂ ଚୀନ୍‌ର ପକ୍ଷରୁ ଖଣ୍ଡନ କରାଯାଇଥିଲା ଯେ, ଅସ୍ତ୍ରୋପଚାର ପରେ କିମ୍ ଜୋଙ୍ଗ ବିପଦରେ ଅଛନ୍ତି । ଦକ୍ଷିଣ କୋରିଆର ଅଧିକାରୀମାନେ କହିଛନ୍ତି ଯେ, କିମ୍ ଜୋଙ୍ଗ ବିପଦରେ ଅଛନ୍ତି ବୋଲି ଉତ୍ତର କୋରିଆରେ ଏପରି କୌଣସି ଖବର ନାହିଁ । ଦକ୍ଷିଣ କୋରିଆର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, କିମ୍ ଜୋଙ୍ଗଙ୍କର ମୃତ୍ୟୁ ହୋଇନାହିଁ ଏବଂ ସେ ଶୀଘ୍ର ଜନସାଧାରଣଙ୍କ ନିକଟରେ ହାଜର ହେବେ ।

କିମ୍ ଜୋଙ୍ଗ ନିକଟରେ ଦେଶର ଜାତୀୟ ଛୁଟିଦିନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିଲେ । ଏହାପରେ ତାଙ୍କ ଅସୁସ୍ଥତା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଅପ୍ରେଲ ୧୫ରେ କିମ୍ ଜୋଙ୍ଗ ଉନଙ୍କ ଜେଜେବାପା ତଥା ଦେଶର ସୃଷ୍ଟିକର୍ତ୍ତା କୁହାଯାଉଥିବା କିମ୍ ଇଲ ସୁଙ୍ଗଙ୍କ ଜନ୍ମ ବାର୍ଷିକୀ ହୋଇଥାଏ । ଉତ୍ତର କୋରିଆ ଏହାକୁ ଜାତୀୟ ଛୁଟିଦିନ ଭାବରେ ପାଳନ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.