ଅଣାୟତ୍ତ ‘କରୋନା’ : ଚୀନ୍‌ରେ ଗଲାଣି ୧୮୬୮ଜୀବନ, QR code ଦ୍ବାରା ରୋଗୀଙ୍କୁ କରାଯିବ ଟ୍ରାକ୍

Published By : Prameya-News7 Bureau | February 18, 2020 IST

ବେଜିଂ ୧୮।୨: କରୋନା ଭାଇରସ୍ ଯୋଗୁଁ ଚୀନରେ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ପାଇଛି । ଏଥିସହିତ ଏହି ରୋଗରେ ୭୦ ହଜାର ୫୪୮ ଆକ୍ରାନ୍ତ ହୋଇଥିବା ଚୀନ୍ ଦର୍ଶାଇଛି । ଏହି ରୋଗରୁ ଚିକିତ୍ସା ହୋଇ ଭଲ ହେଲେଣି ୧୦ ହଜାର ୮୪୪ ଜଣ ।  

ଗତ ୨୪ ଘଣ୍ଟା ମଧ୍ୟରେ ଏହି ରୋଗରେ ପ୍ରାଣ ହରାଇଛନ୍ତି ୧୩୦ ଜଣ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହୁବେଇ ପ୍ରଦେଶର । ୨୪ ଘଣ୍ଟା ମଧ୍ୟରେ ୨ ହଜାର ୪୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ, କେବଳ ହୁବେଇରୁ ୧ ହଜାର ୯୩୩ ଜଣ ଅଛନ୍ତି ।

କରୋନାରେ ଆକ୍ରାନ୍ତ ହୋଇ ଚୀନର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ତାଙ୍କ ପରିବାର ସଦସ୍ୟ ପ୍ରାଣ ହରାଇଛନ୍ତି । ତାଙ୍କ ବାପା, ମା’ ଏବଂ ଭଉଣୀ ପୂର୍ବରୁ ପ୍ରାଣ ହରାଇଥିବା ବେଳେ ଏବେ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ।  

ଚୀନ୍ ସରକାର ପ୍ରତି କରୋନା ରୋଗୀଙ୍କୁ ଟ୍ରାକ୍ କରିବା ଲାଗି ସେମାନଙ୍କ ପାଇଁ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରିବାକୁ ଚିନ୍ତା କରୁଛନ୍ତି । ଏହାଦ୍ବାରା ପ୍ରତ୍ୟେକ ରୋଗୀର ସ୍ବାସ୍ଥ୍ୟାବସ୍ଥା ଏବଂ ଚିକିତ୍ସା ସ୍ଥିତି ସଂପର୍କରେ ମୋବାଇଲ ଆପ୍ ମାଧ୍ୟମରେ ତଥ୍ୟ ମିଳିପାରିବ ।

ସେପଟେ କାଜଖସ୍ଥାନରେ ହେବାକୁ ଥିବା ଏସୀୟ ଭାରୋତ୍ତଳନ ଚାମ୍ପିୟନସିପକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଜାପାନର ୟୋକୋହାମା ବନ୍ଦର ନିକଟରେ ଡେରା ପକାଇଥିବା କ୍ରୁଜ୍ ସିପ୍ ରୁ ୨ ହଜାର ୨୦୦ ଜଣଙ୍କୁ ସେଠାରୁ ଛଡାଯାଇଛି । ସେମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.