ଚୀନର ରୋକ୍‌ଠୋକ୍‌- ନଇଁବୁ ନାହିଁ, କ୍ଷତିପୂରଣ ଦାବି କରୁଥିବା ଲୋକ ସ୍ଵପ୍ନ ଦେଖୁଛନ୍ତି

Published By : Prameya-News7 Bureau | May 24, 2020 IST

ବେଜିଂ ୨୪।୦୫: କରୋନା ଭୂତାଣୁକୁ ନେଇ ଅଧିକାଂଶ ଦେଶ ଚୀନକୁ ଦୋଷୀ ଭାବୁଛନ୍ତି। ଅନେକ ପ୍ରକାରର ଆରୋପ ମଧ୍ୟ ଲଗାଉଛନ୍ତି। ଏପରିକି ଚୀନ ମହାମାରୀ କରୋନା କାରଣରୁ ହୋଇଥିବା କ୍ଷୟକ୍ଷତିର ଭରଣା କରିବା କଥା ମଧ୍ୟ କହୁଛନ୍ତି। ଏବେ ଚୀନ ସ୍ପଷ୍ଟ ଶବ୍ଦରେ କ୍ଷୟକ୍ଷତିର ଭରଣା କରିବ ନାହିଁ ବୋଲି କହିଛି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ରବିବାର ରୋକ୍‌ଠୋକ୍‌ କହିଛନ୍ତି  ଚୀନଠୁ କ୍ଷତିପୂରଣ ଦାବି କରୁଥିବା ଲୋକ ସ୍ଵପ୍ନ ଦେଖୁଛନ୍ତି। ଏହା ପୂର୍ବରୁ ଓ୍ଵାଙ୍ଗ କହିଥିଲେ ଯେ, ଚୀନ କରୋନା ଭୂତାଣୁର ଉତ୍ପତ୍ତି ସମ୍ବନ୍ଧିତ ଅନ୍ତରାଷ୍ଟ୍ରୀୟ ଯାଞ୍ଚ ପାଇଁ ପ୍ରସ୍ତୁତ, କିନ୍ତୁ ଏହା ରାଜନୈତିକ ହସ୍ତକ୍ଷେପମୁକ୍ତ ହେବା ଉଚିତ୍।

ଓ୍ଵାଙ୍ଗ କହିଛନ୍ତି, ଚୀନ ମଧ୍ୟ ଅନ୍ୟ ଦେଶ ପରି ବିଶ୍ଵ ମହାମାରୀର ଶିକାର ହୋଇଛି ଏବଂ ଅନ୍ୟ ଦେଶକୁ ଏମିତି ସ୍ଥିତିରେ ସାହାଯ୍ୟ କରିଛି। ମାତ୍ର ତଥ୍ୟ ନଜାଣି ଆମେରିକାର କିଛି ନେତା ଆମ ଉପରେ ମିଥ୍ୟା ଆରୋପ ଲଗାଇବା ସହିତ ଅନେକ ଷଡଯନ୍ତ୍ର ରଚିଛନ୍ତି। ଏହି ପରି ଅଭିଯୋଗ ଲଗାଇବା ବେଆଇନ ଅଟେ। ଏବେ ଯେଉଁମାନେ ଚୀନଠୁ କ୍ଷତିପୂରଣ ଦାବି କରୁଛନ୍ତି, ସେମାନେ ସ୍ଵପ୍ନ ଦେଖୁଛନ୍ତି ବୋଲି ଓ୍ଵାଙ୍ଗ କହିଛନ୍ତି।

ସମଗ୍ର ଦୁନିଆରେ ଉଠୁଛି ପ୍ରଶ୍ନ

କରୋନା ଭାଇରସ୍‌ର ସଂକ୍ରମଣ ୨୦୧୯ ନଭେମ୍ବରରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିଲା ଏବଂ ଧିରେ ଧିରେ ପୂରା ଦୁନିଆକୁ ଏବେ କବଳିତ କରି ସାରିଛି। ଏହା ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ, ଚୀନରେ ଏହି ସଂକ୍ରମଣ କେମିତି ବ୍ୟାପିଲା। ଚୀନ ବାକି ଦୁନିଆକୁ ଏହି ବିଷୟରେ କଣ ପାଇଁ ଅବଗତି କଲା ନାହିଁ। ନିଜ ଦେଶରେ ସଂକ୍ରମଣକୁ ରୋକିବା ଲାଗି ଚୀନ ଆବଶ୍ୟକ ପଦକ୍ଷେପ ନେଇନଥିବା ଅନେକ ଦେଶ ଅଭିଯୋଗ କରିଛନ୍ତି। ଚୀନର ଭୂମିକା ପ୍ରତି ପ୍ରଶ୍ନ ଉଠାଇବା ସହିତ ଦୁନିଆରେ ଘଟିଥିବା କ୍ଷୟକ୍ଷତିର ଭରଣା କରିବାକୁ ମଧ୍ୟ ଅନେକ ଦେଶ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.