ଚୀନର ଦାଦାଗିରି: ଅପହୃତ ଭାରତୀୟ ଯୁବକଙ୍କ ସମ୍ପର୍କରେ ଦେଲାନି ଜବାବ, କହିଲା-ଅରୁଣାଞ୍ଚଳପ୍ରଦେଶ ଚୀନର ଅଂଶ

Published By : Prameya-News7 Bureau | September 07, 2020 IST

ବେଜିଂ ୦୭/୦୯: ଭାରତର ଅରୁଣାଞ୍ଚଳପ୍ରଦେଶରେ ୫ ଭାରତୀୟ ଯୁବକଙ୍କୁ ଅପହରଣ କରିବା ପରେ ଏବେ ଦାଦାଗିରି କରୁଛି ଚୀନ। ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିନ୍‌ଙ୍କୁ ଅପହୃତ ଯୁବକଙ୍କ ସମ୍ପର୍କ​‌ରେ ପଚାରିବାରୁ ସେ କିଛି କହିବାକୁ ମନା କରିଦେବା ସହ ଅରୁଣାଞ୍ଚଳପ୍ରଦେଶକୁ ଚୀନର ବୋଲି କହିଛନ୍ତି। ଏହାସହ ଭାରତୀୟ ସେନା ଦେଇଥିବା ସନ୍ଦେଶ  ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି।

ଚୀନ ଅରୁଣାଞ୍ଚଳପ୍ରଦେଶକୁ ମାନ୍ୟତା ଦେଇନାହିଁ ଯାହାକି ଚୀନର ଦକ୍ଷିଣ ତିବ୍ବତୀୟ ଅଞ୍ଚଳ ବୋଲି କହିଛନ୍ତି ଲିଜିନ୍‌ । ୫ ଅପହୃତ ଯୁବକଙ୍କୁ ଫେରାଇବା ପାଇଁ ପିଏଲଏକୁ ଭାରତୀୟ ସେନା ଦେଇଥିବା ସନ୍ଦେଶ ସମ୍ପର୍କରେ ପଚାରିବାକୁ ଳିଜିନ୍‌ ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି । ସେପଟେ ଅରୁଣାଞ୍ଚଳପ୍ରଦେଶର ୫ ଯୁବକ ଅପହରଣ ନେଇ ଜଣାପଡ଼ିବା ପରେ ପୋଲିସର ଏକ ଟିମ୍‌ ମ୍ୟାକମୋହନ ଲାଇନ୍ ପାଖାପାଖି ଅଞ୍ଚଳରେ ଯାଞ୍ଚ କରିବାକୁ ଫହଞ୍ଚିଛନ୍ତି ।

କୁହାଯାଉଛି ଏହି ୫ ଭାରତୀୟ ଯୁବକଙ୍କୁ ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମୀ ଅପହରଣ କରିଛି । ଗାଁ ଲୋକଙ୍କ କହିବା ଅନୁସାରେ ସେମାନେ ସମସ୍ତେ ଭାରତୀୟ ସେନା ପାଇଁ ପୋର୍ଟର ଭାବେ କାର୍ଯ୍ୟ କରୁଥିଲେ । କାମରେ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ସେମାନଙ୍କୁ ପିଏଲଏ ଅପହରଣ କରିଛି । ଅପହୃତଙ୍କ ମଧ୍ୟରୁ ଜଣଙ୍କ ଭାଇ ଫେସବୁକ୍‌ରେ ପୋ​‌ଷ୍ଟ କରିଥିଲେ ଯେ, ଚୀନ ସେନା ନାଚୋ ପାଖରେ ଅନ୍ତର୍ଜାତୀୟ ବର୍ଡର ଡେଇଁ ସେମାନଙ୍କୁ ଅପହରଣ କରିନେଇଛି।

ଏହି ସ୍ଥାନ ଜିଲ୍ଲା ମୁଖ୍ୟାଳୟ ଦାପୋର୍ଜିଓରୁ ୧୨୦ କି.ମି ଉତ୍ତରରେ ଅବସ୍ଥିତ। ଫେସବୁକ୍ ପୋଷ୍ଟ ପରେ ଜିଲ୍ଲା ପୋଲିସ ଆଲର୍ଟ ହୋଇଥିଲା । ତେବେ​‌ ଏଠାକାର ଯୁବକ ପୋର୍ଟର ଭାବେ କାର୍ଯ୍ୟ କରିବା କିଛି ନୂଆ କଥା ନୁହେଁ । କାର୍ଯ୍ୟ ସାରିବା ପରେ ସୋମାନେ ଜଙ୍ଗଲକୁ ଶିକାର କିମ୍ବା ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବେ । ସେଠାର ସେମାନଙ୍କୁ ଚୀନ ସେନା ଅପହରଣ କରିଥାଇପାରେ ବୋଲି ଜଣେ ପୂର୍ବତନ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅପହରଣ ହୋଇଥିବା ଯୁବକମାନେ ଟୋଚ୍‌ ସିଙ୍ଗକମ, ପ୍ରସାତ ରିଙ୍ଗଲିଙ୍ଗ, ତନୁ ବାକେର ଓ ଗାରୁ ଡେରି ବୋଲି ଜଣାପଡ଼ିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.