ବଢ଼ିଲା ଚୀନ ଏବଂ ବ୍ରିଟେନ୍‌ ମଧ୍ୟରେ ତିକ୍ତତା, ବ୍ରିଟେନ୍‌ର ନାଗରିକଙ୍କ ଉପରେ ଚୀନ୍‌ କାହିଁକି ନେଲା ପଦକ୍ଷେପ

Published By : Prameya-News7 Bureau | January 31, 2021 IST

ବେଜିଙ୍ଗ, ୩୧/୧: ଚୀନ ଏବଂ ବ୍ରିଟେନ୍‌ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଚୀନ୍‌ ଗତକାଲି ଏନେଇ କହିଛି ଯେ, ବ୍ରିଟିଶ୍‌ ନାଶନାଲ ଏୟାରସିଜ୍‌(ବିଏନ୍‌ଏ) ପାସ୍‌ପୋର୍ଟକୁ ବୈଧ ଯାତ୍ରା ଦସ୍ତାବିଜ ବା ପରିଚୟ ପତ୍ରକୁ ଆଇନ୍‌ ଅନୁସାରେ ମାନ୍ୟତା ଦିଆଯିବ ନାହିଁ । ହଙ୍ଗକଙ୍ଗର ଲକ୍ଷ ଲକ୍ଷ ଲୋକଙ୍କୁ ବ୍ରିଟେନ୍‌ ନାଗରିକତ୍ୱ ଦେବା ନିଷ୍ପତ୍ତିକୁ ନେଇ ବଢ଼ୁଥିବା ତିକ୍ତତା ମଧ୍ୟରେ ଚୀନ ଏହି ବୟାନ ଦେଇଛି । ଚୀନ୍‌ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝଓ ଲିଜିଆନ ଏ ନେଇ ଶୁକ୍ରବାର ଘୋଷଣା କରିଥିବା ଜଣାପଡ଼ିଛି ।

ଲିଜିଆନଙ୍କ ଏହି ଘୋଷଣା ବ୍ରିଟେନ୍‌ ହଙ୍ଗ୍‌କଙ୍ଗ୍‌ର ନାଗରିକତ୍ୱ ଉପରେ ନିଷ୍ପତ୍ତି ନେବାର କିଛି ଘଣ୍ଟା ପରେ ଆସିଛି । ବ୍ରିଟେନ୍‌ର ଘୋଷଣାରେ କୁହାଯାଇଛି ଯେ, ଆଜିଠାରୁ ଅର୍ଥାତ ରବିବାର ଠାରୁ ବିଏନ୍‌ଏ ଭିସା ପାଇଁ ଆବେଦନ ଗ୍ରହଣ କରାଯିବ । ଏହି ଯୋଜନାରେ ହଙ୍ଗ୍‌କଙ୍ଗ୍‌ର ୫୪ ଲକ୍ଷ ଲୋକ ବ୍ରିଟେନ୍‌ରେ ଆଗାମୀ ପାଞ୍ଚ ବର୍ଷ ପାଇଁ ରହିବା ଏବଂ କାମ କରିବା ପାଇଁ ଅନୁମତି ପାଇବେ ଏବଂ ଏହାପରେ ସେମାନେ ନାଗରିକତା ପାଇଁ ଆବେଦନ କରିପାରିବେ ।

କହି ରଖୁଛୁ ଯେ, ବ୍ରିଟେନ୍‌ର ଉପନିବେଶରେ ରହିଥିବା ହଙ୍ଗ୍‌କଙ୍ଗ୍‌ ଲୋକତନ୍ତ୍ର ସ୍ଥାପନ ପାଇଁ କିଛି ମାସ ହେଲା ବିରୋଧ ପ୍ରଦର୍ଶନ ଜାରି ରଖିଥିଲା । ଯାହାକୁ ନେଇ ଚୀନ୍‌ ସେଠାରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ୍‌ ଲଗାଇ ଦେଇଥିଲା । ଏହାପରେ ବ୍ରିଟେନ୍‌ ହଙ୍ଗ୍‌କଙ୍ଗ୍‌ର ଲୋକଙ୍କୁ ନାଗରିକତା ଦେବା ପାଇଁ ଯୋଜନା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.