୮ ମାସ ପରେ ଚୀନରେ ପ୍ରଥମ କରୋନା ମୃତ୍ୟୁ, ଲକ୍ଡାଉନ୍ରେ ୨୨ ନିୟୁତ ଲୋକ
14/01/2021 at 5:02 PM

ବେଜିଂ ୧୪/୦୧: ମହାମାରୀ କରୋନାର କେବେ ଅନ୍ତ ହେବ ? ହୁଏତ ଏହି ପ୍ରଶ୍ନର ଉତ୍ତର କିଛି ମାତ୍ରାରେ ମିଳିଥିଲା। କାରଣ କରୋନା ଭ୍ୟାକସିନ୍ ଆସିସାରିଛି। ଟିକାକରଣ ପ୍ରକ୍ରିୟା ବିଭିନ୍ନ ଦେଶରେ ଜାରି ରହିଥିବା ବେଳେ ଖୁବଶୀଘ୍ର ଭାରତରେ ବି ଆରମ୍ଭ ହେବ। କିନ୍ତୁ ଅନ୍ୟପଟେ କରୋନାର ନୂଆ ରୂପ ବ୍ରିଟେନରେ ତାଣ୍ଡବ ରଚିଥିବା ବେଳେ ବିଶ୍ବରେ ଏହା ଭୟ ସୃଷ୍ଟି କରିଛି। ତେବେ କରୋନା ଭାଇରସ୍ର ଜନ୍ମସ୍ଥାନ କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ମୃତ୍ୟୁ ଦେଖିବାକୁ ମିଳିଛି। ୮ ମାସ ପରେ ପୁଣି ଜଣେ କରୋନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହାସହ ନୂଆ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଚାଇନିଜ୍ ନ୍ୟାସନାଲ୍ ହେଲ୍ଥ କମିଶନ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ଚୀନର ଅଧିକାରୀମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦୁଇ ଜଣିଆ ଟିମ୍କୁ ଉହାନରେ ପ୍ରବେଶ କରିବାକୁ ଅନୁମତି ଦେଇନାହାନ୍ତି। କାରଣ ସେମାନେ କୋଭିଡ-୧୯ ପଜିଟିଭ୍ ଥିବା ଜଣାପଡ଼ିଥିଲା ବୋଲି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି। କରୋନା ମହାମାରୀକୁ ଚେକ୍ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିଆନ୍।
ପୁଣି ଥରେ ଚୀନରେ ଲକ୍ଡାଉନ୍ ଫେରିଛି। ୨୨ ମିଲିୟନ ଲୋକ ଏବେ ଲକ୍ଡାଉନ୍ରେ ରହିଥିବା ବେଳେ ଚୀନର ଗୋଟିଏ ଅଞ୍ଚଳରେ ଏମର୍ଜେନ୍ସି ଘୋଷଣା କରିଛି ପ୍ରଶାସନ। ଦୀର୍ଘ ମାସ ପରେ ପୁଣିଥରେ କରୋନା ଗ୍ରାଫ ଉର୍ଦ୍ଧ୍ବଗାମୀ ହୋଇଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଚୀନ ସରକାର।
ଗତ ଫେବୃଆରୀ ୧୨ରେ ଆୟୋଜିତ ହୋଇଥିବା ଚୀନର ନୂଆବର୍ଷ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା। ତେଣୁ ଏଥର ସେପରି କିଛି ଭୁଲ କରିବେନି ବୋଲି ସରକାର ଚିନ୍ତା କରିଛନ୍ତି। କାରଣ ଏହି ଦିନ ଅନେକ ଲୋକ ବିଦେଶରୁ ଘରକୁ ଫେରିଥାନ୍ତି। ଯଦି ନିୟମ ଓ ସତର୍କତା ଜାରି ରହେ ତେବେ ମହାମାରୀ କରୋନାକୁ ମାତ ଦିଆଯାଇପାରିବ ବୋଲି ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରର ଉପ ନିର୍ଦେଶକ ଫେଙ୍ଗ ଜିଜିଆନ୍ କହିଛନ୍ତି।