G-7ରେ ଭାରତକୁ ଆମେରିକାର ଆମନ୍ତ୍ରଣରେ ଛାନିଆ ଚୀନ୍, ଦେଲା ନୂଆଦିଲ୍ଲୀକୁ ଚେତାବନୀ

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୫।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ମଙ୍ଗଳବାର ଜି-୭ର ସମ୍ପ୍ରସାରଣ ସହ ଏଥିରେ ଭାରତକୁ ସାମିଲ ଲାଗି ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିବା ବେଳେ ତାଙ୍କର ଦୂରଦର୍ଶିତା ଓ ସୃଜନଶୀଳତା ଲାଗି ଧନ୍ୟବାଦ ଜ୍ଞାପନ କରିଛନ୍ତି। କୋଭିଡ-୧୯ ପରର ବିଶ୍ୱ ଲାଗି ବାସ୍ତବରେ ଏପରି ବିସ୍ତାରର ଆବଶ୍ୟକତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଜି-୭ରେ ଭାରତକୁ ନେଇ ଏବେ ଚୀନ ଗଣମାଧ୍ୟମ ମୁଖର ହୋଇଉଠିଛନ୍ତି। ଏଥିରେ ସରକାରୀ ମୁଖପତ୍ର କୁହାଯାଉଥିବା ‘ଗ୍ଲୋବାଲ ଟାଇମ୍ସ’ ଭୂ ରାଜନୈତିକ ପରିଦୃଶ୍ୟରେ ଚୀନ୍‌କୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରତିକ୍ରିୟା ରଖିଛି। 

{"id":281550,"sizeSlug":"large"}

ଜି-୭ ବିଶ୍ୱର ୭ ଉନ୍ନତ ଅର୍ଥବ୍ୟବସ୍ଥାଙ୍କର ଏକ ସମୂହ। ଯେଉଁଥିରେ ଆମେରିକା ସମେତ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନ ଆଦି ଦେଶ ଅଛନ୍ତି। ଏବେ ଆମେରିକା ରାଷ୍ଟ୍ରପତି ଏହାକୁ ସମ୍ପ୍ରସାରିତ କରି ଜି-୧୧ ଅଥବା ୧୨ କରିବାକୁ ଚାହୁଁଛନ୍ତି। ଏହା ବର୍ତ୍ତମାନ ବିଶ୍ୱର ଆବଶ୍ୟକତା ମଧ୍ୟ। ହେଲେ ଏଥିରେ ଭାରତକୁ ସାମିଲ ଲାଗି ଆମେରିକାର ପ୍ରସ୍ତାବ ଚୀନକୁ ବିଚଳିତ କରିଛି। ଏ ନେଇ ଗ୍ଲୋବାଲ ଟାଇମ୍ସ  ଏକ ସମ୍ପାଦକୀୟ ପ୍ରକାଶ କରିଥିବା ବେଳେ ଟ୍ରମ୍ପଙ୍କ ପ୍ରସ୍ତାବ ଓ ଭାରତର ଉତ୍ସାହ କିଛି ଅସ୍ୱଭାବିକ ନୁହେଁ ବୋଲି ଲେଖିଛି।

{"id":281558,"sizeSlug":"large"}

ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଦୀର୍ଘ ସମୟରୁ ଭାରତ ଅନ୍ତର୍ଜାତୀୟ ସଙ୍ଗଠନମାନଙ୍କର ଅଂଶ ହେବାକୁ ଉଦ୍ୟମ ଚଳାଇଛି।  ସେହିପରି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟବାର ସରକାର ଗଢିବା ପରେ ଚୀନ ପ୍ରତି ଭାରତର ମନବୃତ୍ତି ବଦଳିଯାଇଥିବା ଓ ଏବେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହ ଚତୁଷ୍କୋଣିୟ ରଣନୀତିରେ ଆଗକୁ ବଢୁଥିବା ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି।  ସେହିପରି ଆମେରିକାର ହୀନ୍ଦ-ପ୍ରଶାନ୍ତ ରଣନୀତିକୁ ସହଯୋଗ ଲାଗି ଭାରତ ପ୍ରସ୍ତୁତ ଥିବା ଓ ଏହା ବଦଳରେ ବୈଶ୍ୱିକ ଶକ୍ତି ହେବା ଲାଗି ନିଜର ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ଗ୍ଲୋବାଲ ଟାଇମ୍ସ ଲେଖିଛି। 

{"id":281560,"width":583,"height":363,"sizeSlug":"large"}

ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ କରୋନା ମହାମାରୀ ପୃଷ୍ଠଭୂମିରେ ଭାରତ, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲ୍ୟାଣ୍ଡ, ସାଉଥ୍ କୋରିଆ, ଭିଏତନାମ ଓ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କର ଏକ ଟେଲିକନଫରେନସିଂ ହୋଇଥିଲା। ଯେଉଁଥିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କେବଳ ଏତିକି ନୁହେଁ ଚୀନକୁ ଟାର୍ଗେଟ୍ କରୁଥିବା ଆମେରିକାର ଅନେକ ଯୋଜନାରେ ମଧ୍ୟ ଭାରତ ସକ୍ରିୟ ଅଛି। ତେବେ କରୋନା ମହାମାରୀ ପରେ ଯଦି ଚୀନର ବୈଶ୍ୱିକ ପରିସ୍ଥିତିରେ ପରିବର୍ତ୍ତନ ନହୁଏ ଓ ଆମେରିକାର ପତନ ଜାରି ରହେ, ତେବେ ଭାରତ ସେତେବେଳେ ଚୀନକୁ ଅଟକାଇବା ଲାଗି ଆମେରିକା ସପକ୍ଷରେ ଛିଡା ହେବାର ଆଶଙ୍କା ଖୁବ୍ କମ୍।

{"id":281561,"width":579,"height":396,"sizeSlug":"large"}

ଗ୍ଲୋବାଲ ଟାଇମ୍ସ କିଛି ଭାରତୀୟ ଗଣମାଧ୍ୟମ ରିପୋର୍ଟ ମଧ୍ୟ ସଂଯୁକ୍ତ କରିଛି। ଯେଉଁଥିରେ ଟ୍ରମ୍ପଙ୍କ ଜି-୭ ସମ୍ପ୍ରସାରଣ ପ୍ରସ୍ତାବକୁ ଚୀନ ବିରୋଧରେ ଭୂ-ରାଜନୈତିକ ସମୀକରଣ ବୋଲି କୁହାଯାଇଛି। ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି ଯେ ଚୀନ ବିରୋଧରେ ଆମେରିକା ଭାରତକୁ ସମର୍ଥନ କରୁଛି।  ଏଥିରୁ ଚୀନ ପ୍ରତି ଭାରତର ରଣନୈତିକ ବିଚାର ସ୍ପଷ୍ଟ ଜଣାପଡୁଛି।  ବୈଶ୍ୱିକ ପରିସ୍ଥିତିରେ ଭାରତର ରଣନୀତି ଚୀନଠୁ ସମ୍ପୂର୍ଣ୍ଣ ପୃଥକ। ଭାରତ ଭାବୁଛି ପାଶ୍ଚାତ୍ୟ ଦେଶଙ୍କ ପରିସ୍ଥିତି ଏବେବି ମଜଭୁତ ଅଛି। ଏଥିରେ ଭାରତ ଯଦି ଆମେରିକା ସପକ୍ଷରେ ଛିଡା ହେବ ତେବେ ଏଥିରୁ ଲାଭବାନ ହେବ ବୋଲି ବିଚାର କରୁଛି ବୋଲି ଗ୍ଲୋବାଲ ଟାଇମ୍ସ ଲେଖିଛି।

{"id":281565,"sizeSlug":"large"}

ତେବେ ଶେଷରେ ଗ୍ଲୋବାଲ ଟାଇମ୍ସ ଭାରତକୁ ସତର୍କ ମଧ୍ୟ କରିଛି। ଯଦି ଭାରତ ଚୀନକୁ କାଳ୍ପନିକ ଶତ୍ରୁ ଭାବୁଥିବା ଛୋଟଛୋଟ ଗୋଷ୍ଠୀଙ୍କ ସହ ହାତ ମିଳାଏ ତେବେ ଚୀନ-ଭାରତ ସମ୍ପର୍କ ତିକ୍ତ ହେବା ନିଶ୍ଚିତ। ଯଦି ପରିସ୍ଥିତି ସେ ଦିଗକୁ ଗତି କରେ ତେବେ ନିଶ୍ଚିତ ରୂପେ ଏହା ଭାରତ ଲାଗି ହିତକର ହେବ ନାହିଁ ବୋଲି କୁହାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.