ଡ୍ରାଗନର ତଣ୍ଟିରେ ଗଳିଲାନି ପ୍ରଧାନମନ୍ତ୍ରୀଙ୍କ ବୟାନ, କହିଲା- ଆମକୁ ବିସ୍ତାରବାଦୀ କହିବା ଆଧାରହୀନ
3/07/2020 at 8:21 PM

ନୂଆଦିଲ୍ଲୀ ୦୩।୦୭: ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଭାରତ ଓ ଚୀନ ବିବାଦର ସମାଧାନ ଲାଗି ଆଲୋଚନା ଜାରି ରଖିଛନ୍ତି। ଅନ୍ୟପଟେ ଡ୍ରାଗନ ପରଦା ପଛରେ ଲଦାଖରେ ସୈନ୍ୟ ଠୁଳ କରିବାରେ ଲାଗିଛି। ଏହା ପରେ ଭାରତ କଡା ଆଭିମୁଖ୍ୟ ଆପଣେଇ ପ୍ରଥମେ ଚୀନର ୫୯ ଆପ୍ସକୁ ନିଷିଦ୍ଧ କରିଛି। ଏବେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରୁ ଚୀନକୁ କଡା ସନ୍ଦେଶ ଦେଇଛନ୍ତି। ଏଥିରେ ଚୀନ ଛଟପଟ୍ ହେବାରେ ଲାଗିଛି ଏବଂ ଦୋସ୍ତିର କୁମ୍ଭୀରକାନ୍ଦଣା ଆରମ୍ଭ କରିଛି। ଭାରତରେ ଚୀନର ରାଷ୍ଟ୍ରଦୂତ ଜି ରଙ୍ଗ କହିଛନ୍ତି ଯେ, ସେମାନେ ବିସ୍ତାରବାଦୀ ନୁହନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହରେ ଦେଇଥିବା ସମ୍ବୋଧନ ଉପରେ ପ୍ରତିକ୍ରିୟା ଦେଇଛି ଚୀନ। ନୂଆଦିଲ୍ଲୀ ସ୍ଥିତ ଚୀନର ଦୂତାବାସ କହିଛି ଯେ, ଆମକୁ ବିସ୍ତାରବାଦୀ କହିବା ଆଧାରହୀନ। ଆମେ ୧୪ ମଧ୍ୟରୁ ୧୨ ପଡୋଶୀ ଦେଶ ସହିତ ସୀମା ବିବାଦର ସମାଧାନ କରିଛୁ। ଚୀନକୁ ବିସ୍ତାରବାଦୀ ରୂପେ ଦେଖିବା ଆଧାରହୀନ। ଉଲ୍ଲେଖନୀୟ ଚୀନ ଭାରତର ଅନେକ ଅଞ୍ଚଳ ଉପରେ ନିଜର ଆଦିପତ୍ୟ ଜାହିର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଚୀନକୁ ବିସ୍ତାରବାଦୀ କହିଛନ୍ତି। ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଏବେ ବିସ୍ତାରବାଦୀ ନୀତି ଚାଲିବ ନାହିଁ।

ଭାରତୀୟ ସେନାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିସ୍ତାରବାଦ ଯୁଗ ସମାପ୍ତ ହୋଇ ସାରିଛି। ଏବେ ବିକାଶବାଦର ସମୟ ଆସିଛି। ଦ୍ରୁତଗତିରେ ପରିବର୍ତ୍ତନ ପରିଦୃଶ୍ୟରେ ବିକାଶବାଦ ହିଁ ପ୍ରାସଙ୍ଗିକ ରହିଛି। ବିକାଶବାଦପାଇଁ ଅବସର ଏବଂ ବିକାଶବାଦ ହିଁ ଭବିବଷ୍ୟତର ଆଧାର। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ହଜମ କରି ପାରିନି ଡ୍ରାଗନ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲେହ ଗସ୍ତକୁ ନେଇ ଚୀନ କହିଛି ଯେ, କୌଣସି ବି ପକ୍ଷ ଏମିତି କାର୍ଯ୍ୟ ନକରନ୍ତୁ ଯଦ୍ଵାରା ମାହୋଲ ଆହୁରି ବିଗିଡିବ। ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଅ ଲିଜିଆନ କହିଛନ୍ତି, ଭାରତ ଓ ଚୀନ କ୍ରମାଗତ ସାମରିକ ଓ କୂଟନୈତିକ ଆଲୋଚନା ଜରିଆରେ ସୀମାରେ ଜାରି ଉତ୍ତେଜନାକୁ କମ୍ କରିବାକୁ ଉଦ୍ୟମ କରୁଛନ୍ତି। ଏମିତି ସମୟରେ କୌଣସି ପକ୍ଷକୁ ଏମିତି କିଛି କରିବା ଆବଶ୍ୟକ ନାହିଁ ଯେଉଁଥିରେ ସୀମାରେ ଉତ୍ତେଜନା ଆହୁରି ବଢିବ।