ରାପିଡ୍ ଟେଷ୍ଟ କିଟ୍ ନେଇ ଅଭିଯୋଗ ଆସିବା ପରେ ସଫେଇ ଦେଲା ଚୀନ୍ - 'ମାମଲା ଗମ୍ଭୀର, ଭାରତକୁ କରାଯିବ ସାହାଯ୍ୟ'

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨।୪: କରୋନା ରାପିଡ୍ ଟେଷ୍ଟ କିଟ୍ କୁ ନେଇ ଚୀନ୍ ଉପରେ ଯେଉଁଭଳି ଦୋଷାରୋପ କରାଯାଉଛି ସେନେଇ ସଫେଇ ଦେଇଛି ଚୀନ୍ । ଭାରତରେ ଚୀନ୍ ଦୂତାବାସର ଜଣେ ମୁଖପାତ୍ର ବୁଧବାର କହିଛନ୍ତି ଯେ ଚୀନ୍ ରପ୍ତାନୀ ହେଉଥିବା ଚିକିତ୍ସା ଉପକରଣର ଗୁଣବତ୍ତାକୁ ଗୁରୁତ୍ବ ଦିଆଯାଇଥାଏ । ଆମେ ସଂପୃକ୍ତ ଭାରତୀୟ ଏଜେନ୍ସି ସହିତ ଯୋଗାଯୋଗରେ ଅଛୁ ଏବଂ ଆବଶ୍ୟକୀୟ ସାହାଯ୍ୟ ମଧ୍ୟ କରାଯିବ ।

କେନ୍ଦ୍ର ସରକାର ଦୁଇ ଦିନ ଧରି ରାପିଡ୍ କିଟ୍ ପରୀକ୍ଷା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜସ୍ଥାନ ସରକାରଙ୍କ ରାପିଡ୍ ଟେଷ୍ଟର ଫଳାଫଳ ଉପରେ ପ୍ରଶ୍ନ ଉଠାଇବା ପରେ ଏଥିରେ ରୋକ୍ ଲାଗିଛି। ବର୍ତ୍ତମାନ କେନ୍ଦ୍ରୀୟ ଦଳ ଏହି ପରୀକ୍ଷଣର ଫଳାଫଳକୁ ଗମ୍ଭୀରତାର ସହ ଯାଞ୍ଚ କରିବେ, ଏହାପରେ ପରବର୍ତ୍ତୀ ପଦକ୍ଷେପ ଘୋଷଣା କରାଯିବ।

ଜୟପୁରର ସାୱାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୬୮ କରୋନା ରୋଗୀଙ୍କ ରାପିଡ୍ ପରୀକ୍ଷା କରାଯାଇଥିଲା । ମାତ୍ର ୫% ରୋଗୀ ଏହି ପରୀକ୍ଷାରେ ପଜିଟିଭ ଥିଲେ। ଏହାପରେ ସରକାର ରାଜ୍ୟରେ ରାପିଡ୍ ପରୀକ୍ଷା ବନ୍ଦ କରିଦେଇଥିଲେ। ଫଳରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର ଦୁଇ ଦିନ ଧରି ରାପିଡ୍ ପରୀକ୍ଷା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦୁଇ ଦିନରେ କେନ୍ଦ୍ରର ବିଶେଷଜ୍ଞ ଟିମ୍ ରାପିଡ୍ ଟେଷ୍ଟ କିଟ୍ ଯାଞ୍ଚ କରିବେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟରେ ଲକ୍ଷ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ବଣ୍ଟନ କରାଯାଇଛି। ଦିଲ୍ଲୀକୁ ୪୨,୦୦୦, ରାଜସ୍ଥାନକୁ ୧୦,୦୦୦, ଉତ୍ତରପ୍ରଦେଶକୁ ୮,୫୦୦, ପଞ୍ଜାବକୁ ୧୦,୧୦୦ ଏବଂ ଗୁଜୁରାଟକୁ ୨୪,୦୦୦ କିଟ୍ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.