ଚୀନର ନୂଆ ଚାଲାକି, ଭାରତୀୟ ସେନାଙ୍କୁ ବିଚଳିତ କରିବା ପାଇଁ ଫରଓ୍ବାର୍ଡ ପୋଷ୍ଟରେ ଲାଉଡସ୍ପିକର ଲଗାଇ ବଜାଉଛି ପଞ୍ଜାବୀ ଗୀତ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ଚୀନ ତା ଚାଲାକିରୁ ପଛକୁ ହଟିବାକୁ ପ୍ରସ୍ତୁତ ନାହିଁ। ବରଂ ଦିନକୁ ଦିନ ନୂଆ ନୂଆ ଅଜବ କାରନାମା କରୁଛି। ଲଦାଖରେ ଭାରତ-ଚୀନ ବିବାଦ ମଧ୍ୟରେ ଚୀନର ସୈନ୍ୟମାନେ ସୀମାରେ ଲାଉଡସ୍ପିକର ଲଗାଇ ହିନ୍ଦୀ ନୁହେଁ ବରଂ ପଞ୍ଜାବୀ ଗୀତ ବଜାଉଛନ୍ତି। ତେବେ ଚୀନ ଏ ଲାଉଡସ୍ପିକର ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଫିଙ୍ଗର-୪ ଇଲାକାରେ ଲଗାଇଛି। ସେଠାରେ ଭାରତୀୟ ସେନା ପର୍ବତଶୃଙ୍ଗରୁ ପିପୁଲ୍ସ ଲିବରସେନ ଆର୍ମିର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଥାଏ।

ଚୀନର ଏଭଳି ପଦକ୍ଷେପ ପଛରେ ଦୁଇଟି କାରଣ ଥାଇପାରେ। ପ୍ରଥମତଃ ସେ ଭାରତୀୟ ଯବାନଙ୍କୁ ଧ୍ୟାନ ବିଚ୍ୟୁତ କରିବା ପାଇଁ ନାଟକ କରୁଥାଇପାରେ ନଚେତ ନିଜର ଚିନ୍ତା କମ୍ କରିବା ପାଇଁ ଏଭଳି କରୁଥାଇପାରେ।

ପୂର୍ବ ଲଦାଖରେ ପରସ୍ପରକୁ ଚେତାବନୀ ଦେବା ପାଇଁ ଭାରତ-ଚୀନ ଯବାନଙ୍କ ମଧ୍ୟରେ ଗତ ୨୦ ଦିନରେ ୩ ଥର ପବନରେ ଖୋଲା ଗୁଳି ଚାଳନା ହୋଇଛି। ଶେଷଥର ପାଇଁ ସେପ୍ଟେମ୍ବର ୮ରେ ଦୁଇ ପକ୍ଷରୁ ୧୦୦-୨୦୦ ରାଉଣ୍ଡ ଫାୟର ହୋଇଥିଲା। ତେବେ ସୀମା ଉପରେ ଜାରି ଥିବା ବିବାଦ ଯୋଗୁ ଦୁଇ ଦେଶ ମଧ୍ୟରେ କପର୍ସ କମାଣ୍ଡର ବୈଠକ ହେବାର ଅଛି। ମାତ୍ର ଚୀନ ପକ୍ଷରୁ ଏବେ ସୁଦ୍ଧା କୌଣସି ତାରିଖ କି ସମୟ ଠିକ୍ ହୋଇପାରି ନାହିଁ।

ପୂର୍ବ ଲଦାଖରେ ଚୀନ ସହ ଉତ୍ତେଜନା ବଢ଼ିବା ସହ ଶୀତ ଦିନେ ଦୀର୍ଘ ଯୁଦ୍ଧ ଦେଖାଦେବା ଆଶଙ୍କା କରାଯାଉଛି। ଅବଶ୍ୟ ଏହାକୁ ଦୃଷ୍ଟିରେ ରଖି ସେନା ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସେନା ବୋଫର୍ସ ହୋଭିଜର ତୋପ ମୁତୟନ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଏହି ତୋପ ୧୯୯୯ରେ ପାକିସ୍ତାନ ବିରୋଧରେ କାରଗିଲ ଯୁଦ୍ଧ କରିଥିଲା।

ଭାର-ଚୀନ ମଧ୍ୟରେ ଆର୍ମି ଓ ଡିପ୍ଲୋମେଟିକ୍ସ ମିଟିଂ ଏପ୍ରିଲ-ମେ ମାସରୁ ଚାଲିଛି। ମାତ୍ର ଚୀନ କ୍ରମାଗତ ବୁଝାମଣାକୁ ବେଖାତିର କରି ଅନୁପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୧୫ରେ ସଂସଦରେ କହିଥିଲେ ଯେ ଲଦାଖରେ ପାଖାପାଖି ୩୮ ହଜାର ବର୍ଗ କିମି ଜାଗା ଉପରେ ଚୀନ ଅନଧିକୃତ ଭାବେ କବ୍‌ଜା କରିଛି। ଯାହା ଦ୍ବିପକ୍ଷ ବୁଝାମଣାକୁ ଉଲ୍ଲଂଘନ କରୁଛି। ଏହା ସହ ଚୀନ ଅଧିକ ସଂଖ୍ୟକ ସେନା ମୁତୟନ କରି ୧୯୯୩ ଓ ୧୯୯୬ ଚୁକ୍ତିର ଉଲ୍ଲଂଘନ କରୁଛି। ସେ ଏକଥା ବି କହିଥିଲେ ସେ ୧୯୬୩ରେ ତଥାକଥିତ ସୀମା-ବୁଝାମଣା ଅନୁସାରେ ପାକିସ୍ତାନ ପିଓକେର ୫,୧୮୦ ବର୍ଗକିମି ଭାତୀୟ ଜାଗାକୁ ଚୀନକୁ ଦେଇ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.