ବିନା ସ୍କୃଟିନିରେ ଚୀନ ଜିନିଷ ମନା, କରୋନା ପାଇଁ ଭାରତର କଡା କଟକଣା

Published By : Prameya-News7 Bureau | February 12, 2020 IST

ନୂଆଦିଲ୍ଲୀ ୧୨।୦୨: ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ର ଦିନକୁ ଦିନ ସାରାବିଶ୍ବରେ କାୟା ମେଲାଇ ଚାଲିଛି । ମାରାତ୍ମକ ଭାଇରସ୍‌ ଦ୍ୱାରା ବିଶ୍ୱବ୍ୟାପୀ ୧,୦୧୩ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ୪୨,୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ତେବେ ଏଭଳି କ୍ଷେତ୍ରରେ ଭାରତ ସରକାର ଏହି ମାରାତ୍ମକ ଭାଇରସ୍‌ ଦାଉରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି । ଚୀନ୍‌ରୁ ବୃହତ୍‌ ମାତ୍ରାରେ ସାମଗ୍ରୀ ଭାରତକୁ ଆସିଥାଏ । ଏଭଳି କ୍ଷେତ୍ରରେ ଏସବୁ ସାମଗ୍ରୀ ଜରିଆରେ କରୋନା ଭାଇରସ୍‌ ଦେଶକୁ ପ୍ରବେଶ କରିବାର ଆଶଙ୍କା ରହିଛି । ତେଣୁ ବିନା ଯାଞ୍ଚରେ ଚୀନ୍‌ ଉତ୍ପାଦଗୁଡିକୁ ଦେଶକୁ ନ ଛାଡିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କଡ଼ା ଯାଞ୍ଚ ପରେ ଯାଇ ଆମଦାନି ଅନୁମତି ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଚୀନ୍‌ରୁ ଆସୁଥିବା କୃଷି ଏବଂ ପ୍ରାଣୀଧନ ଉତ୍ପାଦଗୁଡିକର ନମୁନାକୁ ପ୍ରଥମେ ପରୀକ୍ଷାଗାରରେ ଯାଞ୍ଚ କରାଯିବ । ଏହା ପରେ ଯାଇ ଏଗୁଡିକୁ ଆମଦାନି କରିବାର ଅନୁମତି ମିଳିବ । ସବୁ ପ୍ରକାର କାର୍ଯ୍ୟବିଧି ସରିବା ପରେ ଯାଇ ଏଗୁଡିକୁ ଦେଶବ୍ୟାପୀ ଛଡାଯିବ । ବୃକ୍ଷ ସୁରକ୍ଷା, କ୍ୱାରେଣ୍ଟାଇନ୍‌ ଏବଂ ଭଣ୍ଡାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି ।

ଚୀନ୍‌ରୁ ବୃହତ୍‌ ମାତ୍ରାରେ କୃଷି ଉତ୍ପାଦ ଦେଶକୁ ଆସିଥାଏ । ଏଥିମଧ୍ୟରେ ବିଭିନ୍ନ ପ୍ରକାର କୀଟନାଶକ ମଧ୍ୟ ରହିଛି । ତେବେ ଚୀନ୍‌ରୁ ଆମଦାନି ହେଉଥିବା ଏହି କୀଟନାଶକଗୁଡିକ ଜରିଆରେ ଭାଇରସ୍‌ ଆସିଗଲେ ଏହା ସମ୍ପୂର୍ଣ୍ଣ ଫସଲକୁ ମାଡିଯିବ ବୋଲି ଭୟ ରହିଛି । ତେଣୁ ସରକାର ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବିଶ୍ୱର ସର୍ବବୃହତ୍‌ ସ୍ମାର୍ଟଫୋନ୍‌ ବଜାର ହେଉଛି ଚୀନ୍‌ । ଏଠାରେ ଏବେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବାବେଳେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏଠାରୁ ସ୍ମାର୍ଟଫୋନ୍‌ ରପ୍ତାନି ୩୦% କମିବ ବୋଲି ଆକଳନ କରାଯାଉଛି । ଏଭଳି କ୍ଷେତ୍ରରେ ଭାରତରେ ବିକ୍ରି ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ସର୍ବେକ୍ଷଣ ସଂସ୍ଥା ଆଇଡିସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ର ପ୍ରଭାବ ବଜାର ଉପରେ ବୃହତ୍‌ ରହିବ । ଭାରତରେ ଭିଭୋ, ଓପୋ, ସାଓମି ଏବଂ ରିଅଲ୍‌ମି ଭଳି ଚାଇନିଜ୍‌ ସ୍ମାର୍ଟଫୋନ୍‌ଗୁଡିକ ରାଜୁତି କରୁଛନ୍ତି । ଏହି ୪ଟି ବ୍ରାଣ୍ଡ୍‌ର ମିଳିତ ଅଂଶ ଭାରତୀୟ ସ୍ମାର୍ଟଫୋନ୍‌ ବଜାରରେ ୬୦%ରୁ ଅଧିକ ରହିଛି । ଏଭଳି କ୍ଷେତ୍ରରେ କରୋନା ଯୋଗୁ ଚୀନ୍‌ରୁ ଏସବୁ ସ୍ମାର୍ଟଫୋନ୍‌ଗୁଡିକର ଆମଦାନି କମିବ । ଫଳସ୍ୱରୂପ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରି ପ୍ରଭାବିତ ହେବ ବୋଲି ଆଇଡିସି ପ୍ରକାଶ କରିଛି । କରୋନା ପ୍ରଭାବରେ ଚୀନ୍‌ର ଜିଡିପି ୦.୨%ରୁ ୧% ସଙ୍କୁଚିତ ହେବ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.