ଯୁଦ୍ଧ ପାଇଁ ସାରା ବିଶ୍ୱକୁ ଉସକାଇଲା ଚୀନ୍‌ , ସେନାକୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ ରାଷ୍ଟ୍ରପତି ଜିନପିଙ୍ଗ୍

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୦୫:  ଭାରତ ଓ ଚୀନ ସୀମାରେ ଧିରେ ଧିରେ ସ୍ଥିତି ବିଗିଡିବାରେ ଲାଗିଛି ।  ଯେଉଁଥିପାଇଁ  ଉଭୟ ଦେଶର ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟ ଦେଶ ନିଜ ନିଜ ସୀମା ସୁରକ୍ଷା ନେଇ ଘନ ଘନ ବୈଠକ ଓ ବ୍ଲିପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଭାରତୀୟ ସୀମାରେ ଚୀନ୍‌ର ହରକତ ଦେଖି ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି । ସେପଟେ ମଧ୍ୟ ଚୀନ୍‌ ରାଷ୍ଟ୍ରପତି ମଧ୍ୟ ସୀମାରେ ଦେଖାଦେଉଥିବା ବିବାଦକୁ ନେଇ ଏକ ବୈଠକ ବସିଥିଲେ । ବୈଠକରେ ସୀମା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ସୂଚନାଯୋଗ୍ୟ ଯେ, ସୀମାରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଭାରତ ସହ ସୀମା ବିବାଦ ଓ ଆମେରିକା ସହିତ କରୋନା ଭାଇରସ ନେଇ ଚାଲିଥିବା ଦ୍ୱନ୍ଦ ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଏକ ବଡ ବୟାନ ଜାରି କରିଛନ୍ତି । ଚୀନ୍‌ ରାଷ୍ଟ୍ରପତି ସୈନ୍ୟବାହିନୀ କଡା ଟ୍ରେନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଚୀନ୍‌ର ସରକାରୀ ମିଡିଆର ଖବର ଅନୁଯାୟୀ, ରାଷ୍ଟ୍ରୀୟ ସଂପ୍ରଭୂତାକୁ ସମ୍ପର୍ଣ୍ଣ ଭାବେ ରକ୍ଷା କରିବା ଓ ଦେଶରେ ସାମରିକ ସ୍ଥିରତ ରକ୍ଷା କରିବା ପାଇଁ ସୈନିକମାନଙ୍କୁ ବ୍ୟାପକ ପ୍ରସ୍ତୁତି ଓ ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିସ୍ଥିତି ରେ କିଛି ବି ହୋଇପାରେ । ଏପଟେ ଭାରତ ଚୀନ୍‌ର ହରକତ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକରେ ଚୀନ୍ ସହ ଚାଲିଥିବା ଷ୍ଟାଣ୍ଡ-ଅଫ୍ ଉପରେ ଆଲୋଚନା କରିଛନ୍ତି । ଏଥିରେ ତିନିଜଣ ସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚଫ୍ ଅପ୍ ଡିଭେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ । ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି । ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଉପୁଜିଥିବା ସ୍ଥିତି ସଂପର୍କରେ ଏଥିରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ସ୍ଥଳ ସେନା ମୁଖ୍ୟ ଏମ୍ .ଏମ୍.ନରୱାଣେ ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଚୀନ୍ ସହିତ କୂଟନୈତିକ ଆଲୋଚନା ଜାରି ରହିବ, କିନ୍ତୁ ସୀମାରେ ଭାରତ ତାର ଅଧିକାରରେ କୌଣସି ପ୍ରକାରର ବୁଝାମଣା କରିବ ନାହିଁ । ସେହିପରି ସୀମାରେ ରାସ୍ତା ନିର୍ମାଣ କାମ ମଧ୍ୟ ଜାରି ରହିବ ।

ପୂର୍ବ ଲଦାଖରେ ଭାରତ ଏବଂ ଚୀନର ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତି ପରେ ଉଭୟ ପକ୍ଷ ମଧ୍ୟରେ ୬ରୁ ଅଧିକ ଥର ଆଲୋଚନା ହୋଇଛି ।  ତେବେ ଆଲୋଚନାରେ ସେଭଳି ଆଶାନୁରୂପ ସଫଳତା ମିଳିପାରିନାହିଁ । ଭାରତ  ସୀମାରେ ରାସ୍ତା ନିର୍ମାଣ ବନ୍ଦ କରିବା ଲାଗି ଚୀନ୍ ଚାପ ପକାଉଛି । ତେବେ ନିଜ ସୀମା ଭିତରେ କୌଣସି କାମ ବନ୍ଦ କରିବା ନେଇ ଚୀନର ଚାପକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ସେପଟେ ଲଦାଖରେ ଚୀନ ସେନା ବୃଦ୍ଧି କରୁଥିବା ବେଳେ, ସୀମା ନିକଟବର୍ତ୍ତୀ ଟାରମାକରେ ଫାଇଟର୍ ଜେଟ୍ ମଧ୍ୟ ମୁତୟନ କରିଛି । ୧୯୯୯ କାରଗିଲ ଯୁଦ୍ଧ ପରେ ଏହା ଭାରତ ପାଇଁ ସବୁଠାରୁ ବଡ଼ ସୀମା ଉତ୍ତେଜନା ଭବେ ପ୍ରତିରକ୍ଷା ବିଶେଷଜ୍ଞମାନେ ବର୍ଣ୍ଣନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.