ବଲୁଚଙ୍କ ଆକ୍ରମଣରେ ଡରିଲା ଚୀନ-ପାକିସ୍ତାନ, ଗ୍ଵାଦର ନୁହେଁ ଏବେ କରାଚି ହେବ ସିପିଇସିର ହବ୍

Published By : Prameya-News7 Bureau | October 10, 2021 IST

କରାଚି ୧୦।୧୦: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରାନ୍ତରେ ବଲୁଚ ବିଦ୍ରୋହୀଙ୍କ ଲଗାତାର ହମଲାରେ ବିଚଳିତ ଚୀନ ଓ ପାକିସ୍ତାନ। ଫଳରେ ଗ୍ଵାଦର ବନ୍ଦରକୁ ଚାଇନା-ପାକିସ୍ତାନ ଆର୍ଥିକ କରିଡର(ସିପିଇସି)ର କେନ୍ଦ୍ର କରିବାର ଯୋଜନାକୁ ତ୍ୟାଗ କରିଛନ୍ତି ଚୀନ ଓ ପାକିସ୍ତାନ। ଚୀନର ସିପିଇସି ପ୍ରକଳ୍ପ ଏହାର  ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପର ଏକ ଅଂଶ। ଚୀନ ଓ ପାକିସ୍ତାନ ମଧ୍ୟରେ ଏବେ କରାଚି ବନ୍ଦରକୁ ବିକଶିତ କରାଯିବାର ଯୋଜନା ଉପରେ ନିକଟରେ ଚୁକ୍ତି ସ୍ଵାକ୍ଷର ହୋଇଛି। କରାଚି ସହର ସିନ୍ଧ ପ୍ରାନ୍ତର ରାଜଧାନୀ ଏବଂ ପାକିସ୍ତାନ ଆର୍ଥିକ ଗତିବିଧିର କେନ୍ଦ୍ର ବିନ୍ଦୁ।

ଜାପାନ ଖବର କାଗଜ ନିକ୍କେଇ ଅନୁଯାୟୀ, କରାଚି ବନ୍ଦର ବିକାଶ ପ୍ରକଳ୍ପ ପାଇଁ ପ୍ରାୟ ସାଢେ ତିନି ଅରବ ଡଲାର ଖର୍ଚ୍ଚ  ହେବ। ଚୀନ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମଧ୍ୟ ଏହାର ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଆଧାରରେ କରାଚି ବନ୍ଦରର ସଂପ୍ରସାରଣ, ମାଛଧରା ପାଇଁ ଅନ୍ୟ ବନ୍ଦର ନିର୍ମାଣ ଏବଂ ୬୪୦ ହେକ୍ଟର ଅଞ୍ଚଳରେ ବାଣିଜ୍ୟିକ ଜୋନ ସ୍ଥାପନ କରାଯିବାର ଯୋଜନା ରହିଛି। ଏଥିରେ ଏକ ସେତୁ ମଧ୍ୟ ନିର୍ମାଣ କରାଯିବ ଯାହା କରାଚି ବନ୍ଦରକୁ ମନୋରା ଦ୍ଵୀପ ପୁଞ୍ଜକୁ ସଂଯୋଗ କରିବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରାଚିକୁ ସିପିଇସିରେ ସାମିଲ୍ କରାଯିବା ନିଷ୍ପତ୍ତିକୁ ଗେମ ଚେଞ୍ଜର କହିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରକଳ୍ପରେ ଆମ ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ଅଞ୍ଚଳ ସ୍ଵଚ୍ଛ କରିବାରେ ବେଶ ସହାୟକ ହେବ। କମ୍ ଆୟ ବିଶିଷ୍ଟ ଲୋକଙ୍କ ପାଇଁ ୨୦ ହଜାର ଘର ନିର୍ମାଣ କରାଯିବ। ଏଥିସହ ନିବେଶକଙ୍କ ପାଇଁ ନୂତନ ଅବସର ସୃଷ୍ଟି ହେବ। ଏହିପରି କରାଚି ବିକଶିତ ବନ୍ଦର ସହରରେ ସାମିଲ୍ ହେବ ବୋଲି ଇମ୍ରାନ କହିଛନ୍ତି।

ଗ୍ଵାଦର ବନ୍ଦର ବଲୁଚିସ୍ତାନ ପ୍ରାନ୍ତରେ ଥିବା ଏହା ଚୀନ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ଥିଲା। କାରଣ ଚୀନ ନାଗରିକ ଏବଂ ଏହାର ନିବେଶକଙ୍କ ଉପରେ ଚଲୁଚ ବିଦ୍ରୋହୀ ଲଗାତାର ହମଲା କରୁଥିଲେ। ଚଳିତ ଅଗଷ୍ଟ ମାସରେ ଏହି ଅଞ୍ଚଳରେ ଏକ ଚୀନ ଗାଡିକୁ ଟାର୍ଗେଟ୍ କରି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା। ଏଥିରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେୱ। ଗ୍ଵାଦର ଆଖପାଖ ଅଞ୍ଚଳରେ ବଲୁଚଙ୍କ ବିରୋଧ ଗତ ଅନେକ ବର୍ଷ ଧରି ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.