ସାଉଦୀ ଋଣ ସୁଝିବା ଲାଗି ପାକିସ୍ତାନକୁ ଭଣ୍ଡାର ଖୋଲିଦେଲା ଚୀନ୍ ! CSAରେ ଆଣିବ ୧.୫ ବିଲିୟନ ଡଲାର
13/12/2020 at 8:28 PM

ଇସ୍ଲାମାବାଦ : ଋଣ ଗ୍ରସ୍ତ ପାକିସ୍ତାନ ଲାଗି ପୁଣି ଥରେ ସହଯୋଗ ହାତ ବଢାଇଛି ଚୀନ୍। ସାଉଦୀ ଆରବ ସରକାରଙ୍କ ୨ବିଲିୟନ ଡଲାର ସୁଝିବା ଲାଗି ପାକିସ୍ତାନକୁ ଚୀନ୍ ଆବଶ୍ୟକ ଅର୍ଥ ପ୍ରଦାନ ନିମନ୍ତେ ନିଜ ଭଣ୍ଡାର ଖୋଲିଦେଇଛି। ଡେଲି ଟ୍ରିବ୍ୟୁନ୍ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାକିସ୍ତାନ ଚୀନ୍ରୁ ୧.୫ ବିଲିୟନ ଡଲାର ଆଣୁଥିବା ଜଣାପଡିଛି।
ଟ୍ରିବ୍ୟୁନ ସୂଚନା ଅନୁସାରେ ପାକିସ୍ତାନ ସରକାର ସାଉଦୀ ଆରବକୁ ସୋମବାର ୧ ବିଲିୟନ ଡଲାର ଋଣ ପରିଷୋଧ କରିବେ। ବାକି ୧ ବିଲିୟନ ଡଲାର ଜାନୁୟାରୀରେ ଦେବ। ତେବେ ଦ୍ୱିତୀୟ କିସ୍ତି ପ୍ରଦାନ ଚୀନ୍ରୁ ଆର୍ଥିକ ସହାୟତାରୁ ହେବ ବୋଲି ପାକ୍ ଅର୍ଥମନ୍ତ୍ରୀ ଟ୍ରିବ୍ୟୁନ୍କୁ ସୂଚନା ଦେଇଛନ୍ତି। ତେବେ ଏହି ବିପୁଳ ଅର୍ଥ ଇସ୍ଲାମାବାଦକୁ ଚୀନ୍ ଋଣ ଆକାରରେ ଦେଉ ନାହିଁ। ଉଭୟ ଦେଶ ଦ୍ୱିପାକ୍ଷୀୟ କରେନ୍ସି ସ୍ୱାପ୍ ରାଜିନାମା (ସିଏସଏ)ରେ ନେଣଦେଣ ହେଉଛନ୍ତି।
ଏଥିରୁ ଇସ୍ଲାମାବାଦ ଆଣୁଥିବା ଅର୍ଥ ଚୀନ୍ର ପାକିସ୍ତାନ ଉପରେ ଋଣ ନୁହେଁ କି ପାକିସ୍ତାନର ଏହା ବାହ୍ୟ ଋଣ ଆକାରରେ ହିସାବ ହେବନି। ଉଭୟ ଦେଶ ସିଏସଏର ଆକାର ବୃଦ୍ଧି ଲାଗି ସହମତ ହୋଇଥିବା ବେଳେ ପାକିସ୍ତାନ ସହ ମିସି ଚୀନ୍ ଏହି ବ୍ୟାପାର ସୁବିଧାକୁ ୪.୫ ବିଲିୟନ ଡଲାର ଅର୍ଥାତ ୨୦ ବିଲିୟନ ୟୁଆନ କରିଛନ୍ତି।
ବୈଦେଶିକ ଋଣ ଲାଗି ପାକିସ୍ତାନ ଗତ କିଛି ବର୍ଷ ହେଲା ଚୀନ୍ର ବଡ ଗ୍ରାହକ ପାଲଟିଛି। ସ୍ଥାନୀୟ ମୁଦ୍ରାରେ ଦ୍ୱିପାକ୍ଷୀୟ ବ୍ୟାପାର ବୃଦ୍ଧି ସାଙ୍ଗକୁ ବିଦେଶୀ ଋଣ ଚୁକ୍ତା ନିମନ୍ତେ ଦୁଇ ଦେଶ ଦ୍ୱିପାକ୍ଷୀକ ପାଣ୍ଠି ସ୍ଥାପନା କରିଛନ୍ତି। ମୁଖ୍ୟତଃ ଚୀନ୍ ଉପଲବ୍ଧ କରୁଥିବା ସୁବିଧାକୁ ପାକିସ୍ତାନ ବୈଦେଶିକ ଋଣ ସୁଝିବାରେ ଉପଯୋଗ କରୁଛି।
ଋଣଗ୍ରସ୍ତ ଦେଶ ଲାଗି ଆର୍ଥିକ ପ୍ରବନ୍ଧ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୨ ଥର ସାଉଦୀ ଆରବ ଯାଇଥିଲେ। ଏହି ଗସ୍ତକାଳରେ ସାଉଦୀ ସରକର ପାକିସ୍ତାନକୁ ୩ ବର୍ଷ ପର୍ଯ୍ୟନ୍ତ ୬.୨ ବିଲିୟନ ଡଲାର ଆର୍ଥିକ ପ୍ୟାକେଜ୍ ପ୍ରଦାନ ଲାଗି ରାଜି ହୋଇଥିଲେ। ଏଥିରେ ନଗଦ ୩ ବିଲିୟନ ଡଲାର ସାଙ୍ଗକୁ ବାର୍ଷିକ ଲାଗି ତୈଳ ଏବଂ ଗ୍ୟାସ ଯୋଗାଣ ଭାବେ ୩.୨ ବିଲିୟନ ଡଲାର ଦେବେ ବୋଲି ସର୍ତ୍ତ ରଖିଥିଲେ। ସେହି ଅନୁସାରେ ପାକିସ୍ତାନକୁ ନଗଦ ଅର୍ଥ ତୁରନ୍ତ ଦିଆଯାଇଥିବା ବେଳେ ତୈଳ ଓ ଗ୍ୟାସଯୋଗାଣ କରାଯାଉଥିଲା।
ରାଜିନାମା ଅନୁସାରେ ତୈଳ ଓ ଗ୍ୟାସ ଯୋଗାଣ ବାବଦ ଅର୍ଥ ପାକିସ୍ତାନ ବର୍ଷ ଶେଷରେ ୩ ବର୍ଷ ଲାଗି ଆଣିଥିବା ନଗଦ ଋଣ ରାଶିରେ ମିସାଇ ହିସାବ କରିବ । ବର୍ଷ ଶେଷରେ ସାଉଦୀ ସରକାର ତୈଳ ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିଲେ। ସେହି ଅନୁସାରେ ପାକିସ୍ତାନ ରାଶି ପୈଠ ନ କରିବାରୁ ସାଉଦୀ ସରକାର ପ୍ୟାକେଜ ଫେରସ୍ତ ମାଗିଥିଲେ। ପାକିସ୍ତାନ ଗତ ମେ ମାସରେ ସାଉଦୀ ସରକାରଙ୍କୁ ୧ ବିଲିୟନ ଡଲାର ସୁଝି ଦେଇଥିଲେ। ତେବେ ବାକି ୨.୨ ଡଲାର ଲାଗି ପାକିସ୍ତାନ ସହ ଟଣାଓଟରା ଚାଲିଥିବା ବେଳେ ସୋମବାର ଆଉ ୧ ବିଲିୟନ ଡଲାର ସୁଝା ହେବ। ବାକି ସୁଧ ସମେତ ୧ ବିଲିୟନ ଡଲାର ଜାନୁୟାରୀ ମାସରେ ସୁଝି ଦିଆଯିବ।
ପାକିସ୍ତାନ ଋଣ ସଂକଟରେ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ରୁ ଋଣ ମଧ୍ୟ ଆଣିଥିଲା। ତେବେ ବୈଦେଶିକ ମୁଦ୍ରାଭଣ୍ଡାରରେ ଆବଶ୍ୟକ ପାଣ୍ଠି ନଥିବାରୁ ଆଇଏମଏଫ ୬ ବିଲିୟନ ଡଲାର ନିଲମ୍ବିତ କରିଥିଲେ। ଯାହା ଏପର୍ଯ୍ୟନ୍ତ ପାକିସ୍ତାନକୁ ମିଳି ନାହିଁ। ଏଥିରେ ସାଉଦୀଆରବ ଋଣ ଚୁକ୍ତା ଲାଗି ପାକ୍କୁ ପୁଣି ଚୀନ୍ର ସହାୟତା ନେବାକୁ ପଡିଥିବା ବେଳେ ଚୀନ୍ ସିଏସଏରେ ପାକିସ୍ତାନକୁ ଋଣରୁ ମୁକୁଳିବାରେ ସହାୟତା କରିଛି।