ଲଦାଖର ଭୀଷଣ ଥଣ୍ଡାରେ ଚୀନର ଅବସ୍ଥା ବେହାଲ, ଏଲଏସିରୁ ହଟାଇଲା ୧୦ ହଜାର ସୈନିକ
11/01/2021 at 11:14 PM

ବେଜିଂ ୧୧।୦୧: ଲଦାଖରେ ଭାରତ ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଚୀନକୁ ଭାରି ପଡିଛି। ସମଗ୍ର ଦୁନିଆର ଦେଶ ଭାରତ ପକ୍ଷରେ ନିଜର ସମର୍ଥନ ଜଣାଇବା ପରେ ଏବେ ସେଠାକାର ପ୍ରତିକୂଳ ପାଣିପାଗର ପ୍ରଭାବ ଚୀନ ସୈନିକଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଚୀନ ତରବରିଆ ଭାବେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରୁ ନିଜର ୧୦,୦୦୦ ସୈନିକଙ୍କୁ ପ୍ରତ୍ୟାହାର କରିବାକୁ ପଡିଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ପୂର୍ବ ଲଦାଖରେ ଚୀନ ନିଜର ପ୍ରାୟ ୧୦ ହଜାର ସୈନିକଙ୍କୁ ଏଲଏସିରୁ ହଟାଇ ଦେଇଛି। ସରକାରର ଉଚ୍ଚପଦସ୍ଥ ସୂତ୍ର ଅନୁଯାୟୀ ଲଦାଖରେ ଭାରତୀୟ ସୀମା ନିକଟରେ ପାରମ୍ପରିକ ଭାବେ ଯେଉଁଠି ଚୀନ ସୈନିକ ପ୍ରଶିକ୍ଷଣ ନେଉଥିଲେ, ସେହି ସ୍ଥାନ ବର୍ତ୍ତମାନ ଖାଲି ନଜର ଆସୁଛି।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତୀୟ ସୀମା ସଂଲଗ୍ନ ୨୦୦ କିଲୋମିଟର ଅଞ୍ଚଳରୁ ଚୀନ ନିଜର ସୈନିକଙ୍କୁ ହଟାଇ ଦେଇଛି। କୁହାଯାଉଛି ଚୀନ ଏହି ଅଞ୍ଚଳରେ ହେଉଥିବା ହାଡଭଙ୍ଗା ଥଣ୍ଡା କାରଣରୁ ଏହି ପଦକ୍ଷେପ ଉଠାଇଛି। ଚୀନର ଅଧିକାଂଶ ସୈନିକ ଏତେ ଉଚ୍ଚତା ବିଶିଷ୍ଟ ସ୍ଥାନରେ ରହିବାରେ ଅଭ୍ୟସ୍ତ ନାହାନ୍ତି, ପୁଣି ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରା ଅଞ୍ଚଳରେ। ଏହି କାରଣରୁ ବଡ ସଂଖ୍ୟାରେ ଚୀନ ସୈନିକ ଅସୁସ୍ଥ ହୋଇ ପଡୁଛନ୍ତି।

କିନ୍ତୁ ଭାରତୀୟ ଯବାନ ଲଦାଖରେ ଏହି ପ୍ରତିକୂଳ ପରିସ୍ଥିତିରେ ଦୃଢ ଭାବେ ଛିଡା ହୋଇ ରହିଛନ୍ତି। ଚୀନର କୌଣସି ପ୍ରକାରର ଦୁଃସାହାସର ଜବାବ ଦେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି। ନିକଟରେ ଏକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ପାଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଚୀନ ସେନାକୁ ନିଜର ଅନେକ ସୈନିକ ହରାଇବାକୁ ପଡିଛି। ଏଥିରୁ ଅନେକଙ୍କୁ ଅସୁସ୍ଥ ହେବାରୁ ତତ୍କାଳ ଚିକିତ୍ସା ପାଇଁ ନିମ୍ନ ଅଞ୍ଚଳକୁ ନିଆଯାଉଥିବା ଦେଖିବାକୁ ମିଳିଥିଲା। ଭାରତ-ଚୀନ ସୀମାରେ ମେରୁ ଜାରି ଉତ୍ତେଜନା ବିଶିଷ୍ଟ ସ୍ଥାନରେ ଅକ୍ଟୋବର ପ୍ରାରମ୍ଭରୁ ପ୍ରବଳ ଥଣ୍ଡା ପଡିବା ଆରମ୍ଭ ହୋଇ ଯାଇଥିଲା।
ଅନ୍ୟପଟେ ଲଦାଖରେ ଚୀନ ସାମ୍ନାରେ ମୁତୟନ ଭାରତୀୟ ସେନା ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍ରେ ନିଜର ଅନୁଭବରୁ ପରିସ୍ଥିତି ଅନୁଯାୟୀ ନିଜକୁ ଦୃଢ କରି ପାରିଛନ୍ତି। ଚୀନ ସେନା ଥଣ୍ଡା ପରିବେଶରେ କେବେ ମଧ୍ୟ ଏତେ ଉଚ୍ଚତାରେ ମୁତୟନ ହୋଇ ନାହାନ୍ତି। ଏମିତି ସ୍ଥିତିରେ ଏହାର ସୈନିକଙ୍କ ସ୍ଥିତି ଖରାପ ହେବ ସହିତ ନିଜେ କବ୍ଜା କରିଥିବା ଅଞ୍ଚଳ ହାତରୁ ଯିବାର ଭୟ ଚୀନକୁ ଘାରିଛି।