ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ ଉଦ୍ୟମ କରୁଛି ଚୀନ୍: NSA ଓବ୍ରାୟନ
5/09/2020 at 7:00 PM

ୱାସିଂଟନ: ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରବର୍ଟ ଓବ୍ରାୟନ୍ ବିସ୍ଫୋରକ ବୟାନ ଦେଇଛନ୍ତି। ଦେଶର ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ ଲାଗି ଉଦ୍ୟମ କରୁଥିବା ସେ କହିଛନ୍ତି। ଓବ୍ରାଏନ୍ କହିଛନ୍ତି ଯେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଚୀନ୍ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। ତେବେ କେବଳ ଚୀନ୍ ନୁହେଁ ଋଷିଆ ଓ ଇରାନ୍ ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ନିଜନିଜ ପ୍ରସ୍ତୁତିରେ ଅଛନ୍ତି।

ଗୁଇନ୍ଦା ସୂଚନାକୁ ଆଧାର କରି ଓବ୍ରାଏନ୍ ଏହା କହିଥିବା ବେଳେ ଦେଶର ରାଜନୀତିକୁ ବିଭିନ୍ନ ସ୍ତରରେ ପ୍ରଭାବିତ କରିବା ଲାଗି ଚୀନ୍ କାର୍ଯ୍ୟକ୍ରମ ଚୂଡାନ୍ତ କରିସାରିଛି। ଏଥିରେ ନିର୍ବାଚନକୁ ଅସ୍ତବ୍ୟସ୍ତ କରି ପକାଇବାକୁ ଚୀନ୍ ବଡ଼ ଧରଣର ସାଇବର ଗତିବିଧି ଆରମ୍ଭ କରିଥିବା ବେଳେ ୱାସିଂଟନ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଓବ୍ରାଏନ୍ କହିଛନ୍ତି।

ତେବେ ଓବ୍ରାଏନ୍ଙ୍କ ପୂର୍ବରୁ ଗତ ଅଗଷ୍ଟମାସରେ ଏ ନେଇ ଆମେରିକା ନ୍ୟାସନାଲ କଉଣ୍ଟର ଇଣ୍ଟେଲିଜେନ୍ସ ଏଣ୍ଡ ସିକ୍ୟୁରିଟି ସେଣ୍ଟରର ନିର୍ଦ୍ଦେଶକ ୱିଲିୟନ ଇଭେନିନ୍ ଏ ନେଇ ସତର୍କ କରାଇଥିଲେ। ଏଥିରେ ସେ ଋଷିଆ, ଚୀନ୍ ଓ ଇରାନ୍ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନରେ ଗଡବଡ କରାଯିବାର ଆଶଙ୍କା ବ୍ୟକ୍ତ କରିଥିଲେ।

ଗତମାସରେ ଆମେରିକା ଶାସକ ଦଳ ରିପବ୍ଲିକାନ ପାର୍ଟିର କେତେକ ସାଂସଦ ମୋବାଇଲ୍ ଆପ୍ ଟିକଟକ୍ର ଭୂମିକା ନେଇ ଉଦବେଗ ପ୍ରକାଶ କରିଥିଲେ। ଆମେରିକୀୟ ସୋସିଆଲ ମିଡିଆ ଆପ୍ ବ୍ୟବହାରକାରୀ ଏଥିରେ ସରକାର ବିରୋଧୀ ମତ ଓ ମନ୍ତବ୍ୟ ଦେଉଥିବାର ସେମାନେ ଅଭିଯୋଗ କରୁଥିଲେ। ଏହି ଆପ୍ ବ୍ୟବହାର କରି ଚୀନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଇଥିଲା।