ଶୀତରେ ଲଦାଖ ଛାଡିବାକୁ ପ୍ରସ୍ତୁତ ନୁହେଁ ଚୀନ, ଯବାନଙ୍କୁ ମିଳିଲା ଆଧୁନିକ ଉପକରଣ

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦/୧୦: ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଶୀତରେ ବି ଥମିବାର ନାଁ ନେଉ ନାହିଁ। ଚୀନ ରକ୍ଷା ମନ୍ତ୍ରାଳୟ କହିଛି ଲଦାଖରେ ହାଡଭଙ୍ଗା ଶୀତରେ ଯବାନଙ୍କୁ ସୁରକ୍ଷିତ ରଖିବା ତଥା ଏହାର ମୁକାବିଲା କରିବା ପାଇଁ ଆଧୁନିକ ଉପକରଣ ସେମାନଙ୍କୁ ଉପଲବ୍ଧ କରାଯାଇଛି।

ଏବେ ଚୀନ ରକ୍ଷା ମନ୍ତ୍ରାଳୟର ଏହି କଥାରୁ ଅନୁମାନ କରାଯାଉଛି ଯେ ଇଲାକରେ ମାଇନସ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚିବା ପରେ ମଧ୍ୟ ଚୀନ ତା’ ସେନାକୁ ପଛକୁ ହଟାଇବ ନାହିଁ। ଚୀନ ରକ୍ଷା ମନ୍ତ୍ରାଳୟ ପ୍ରବକ୍ତା କର୍ନଲ ବୁ କ୍ବାନ ଅନଲାଇନ୍ ବ୍ରିଫିଙ୍ଗରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ ଦାବି କରିଛନ୍ତି ଯେ ୫ ହଜାର ମିଟର ଉଚ୍ଚ ମାଇନସ ୪୦ ଡିଗ୍ରୀ ତାପମାତ୍ରା ଯୁକ୍ତ ଇଲାକାରେ ଏହି ଆଧୁନିକ କ୍ୟାବିନ ଭିତ​ରେ ତାପାମତ୍ରା ୧୫ ଡିଗ୍ରୀ ରହିପାରିବ। ଏହି କ୍ୟାବିନ ବ୍ୟତୀତ ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଲିପିଙ୍ଗ ବ୍ୟାଗ, ଡାଉନ ଟ୍ରେନିଂ କୋଟ ଓ କୋଲଡପ୍ରୁଫ ଜୋତା ଉପଲବ୍ଧ କରାଯାଇଛି। ଏ ସମସ୍ତ ବ୍ୟବସ୍ଥା ଥଣ୍ଡାକୁ ରୋକିବା ଉଦ୍ଦେଶ୍ୟରେ କରାଯାଇଛି। ଏହା ସହ ଡ୍ରୋନ ଜରିଆ​ରେ ଚୀନ ତା ଯବାନଙ୍କୁ ତାଜ ଫଳ ଓ ପନିପରିବା ଉପଲବ୍ଧ କରାଇବ।

ସୂଚନାଯୋଗ୍ୟ ପୂର୍ବ ଲଦାଖରେ ମେ ମାସରୁ ଆରମ୍ଭ ହୋଇଥିବା ଏ ବିବାଦ ମଧ୍ୟରେ ହଜାରେ ସୈନିକଙ୍କୁ ଚୀନ ଏଲଏସିରେ ମୁତୟନ କରିଥିଲା। ଏବେ ବି ସେମାନେ ସେମିତି ସେଠାରେ ରହିଛନ୍ତି। ଯଦିଓ ଭାରତ ଓ ଚୀନ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ହେଉଥିଲେ ହେଁ ଏ ବିବାଦ କିନ୍ତୁ ଏଯାଏଁ ସମାଧାନ ହୋଇପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.