ପୁଣି ଧୋକା ଦେଲା ଚୀନ ! ପଛକୁ ହଟିବାକୁ କହି ଏଲଏସିରେ ବଢ଼ାଉଛି ସେନା

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧ : ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଚୀନ ମଧ୍ୟରେ ଗତିରୋଧ ଜାରି ରହିଛି। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଉଭୟ ଦେଶ ବୁଝାମଣା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଗତ ମେ ମାସରେ ସୀମାରେ ତିଆରି ହୋଇଥିବା କ୍ୟାମ୍ପ ଧ୍ବଂସ କରିଦେବେ। କିନ୍ତୁ ଚୀନ ପୁଣିଥରେ ନିଜ ପ୍ରତିଶୃତିରୁ ପଛକୁ ହଟିଲା ଭଳି ଜଣାପଡୁଛି।

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ ଚୀନର ପିପୁଲ୍ସ ଲିବେରେସନ ଆର୍ମି ପୋଷ୍ଟର ରିଏନ୍ଫୋର୍ସମେଣ୍ଟ, ସୈନିକଙ୍କ ସ୍ଥାନାନ୍ତରଣ ଏବଂ ଗତ ୩୦ ଦିନରେ ଅକ୍ସାଇ ଚୀନ କବଜାରେ ଥିବା ଜମିରେ ସଡକ ନିର୍ମାଣ କାମ ଆହୁରି ଜୋରସୋରରେ ଚାଲିଛି। ରିପୋର୍ଟ ଅନୁସାରେ ଏହା ସ୍ପଷ୍ଟ ସଂକେତ ଦେଉଛି ଯେ ଚୀନ ୩୪୮୮ କିଲୋମିଟର ଲମ୍ବା ଏଲଏସିରେ ଲମ୍ବା ସମୟ ଧରି ଗତିରୋଧ ପାଇଁ ପ୍ରସ୍ତୁତ ହେଉଛି। ଏହାସହ ଚୀନ ଭାରତ ଉପରେ ମଧ୍ୟ ଚାପ ପକାଉଛି। ଦୁଇ ଦେଶ ମଧ୍ୟରେ ଏବେ ସୁଦ୍ଧା ୮ଥର କଥାବାର୍ତ୍ତା ହୋଇସାରିଛି। ଆଗାମୀ କିଛି ଦିନ ମଧ୍ୟରେ ପୁଣି ଏକ ଆଲୋଚନା ହେବାର ଅଛି।

ରିପୋର୍ଟ ଅନୁସାରେ, ବରିଷ୍ଠ ସୈନ୍ୟ କମାଣ୍ଡର ଦାବି କରିଛନ୍ତି ଯେ ଚୀନର PLA ସମର ଲୁଂଗପା, ମାଉନ୍ଟ ସଜୁମ, ରଚିନ ଲା ର ଦକ୍ଷିଣରେ ୧୦ଟି କ୍ୟାମ୍ପ କରିଛି। ଏହାସହ ଦୌଲତ ବେଗ ଓଲ୍ଡିରୁ ୭୦ କିମି ପୂର୍ବରେ ସ୍ଥିତ କିଜିଲ ଜିଗ୍ଲାରେ ସେନା ସଂଖ୍ୟା ବୃଦ୍ଧି କରିଛି।

ଶାଙ୍ଗଙ୍ଗରୁ ସ୍ପାଙ୍ଗଗୁର ଗ୍ୟାପ୍, ଚୁଶୁଲର ଦକ୍ଷିଣରେ ସଡକରେ ୬୦ରୁ ଅଧିକ ଭାରି ଯାନବାହାନ ପରିବହନ ଦେଖିବାକୁ ମିଳିଛି ଏବଂ ଲଦାଖରେ ଏଲଏସିରେ ଚୀନ ଦ୍ୱାରା ମନିଟରିଂ ଉପକରଣ ଲଗାଯାଇଛି। ଚାଇନିଜ ଟ୍ୟାଙ୍କ ଟ୍ରାନ୍ସପୋର୍ଟକୁ ମଧ୍ୟ ଏଲଏସିରେ ୬୦ କିମି ପୂର୍ବ ସ୍ଥିତ ଗୋବକରେ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ପିଏଲଏ ନିଜ ସେନା ସଂଖ୍ୟା କମ କରିନାହିଁ ବରଂ ବୃଦ୍ଧି କରିଛି। ଏହାସହ ଡେମଚୋକର ଉତ୍ତର-ପୂର୍ବ ଋଡୋଗ, ମାପୋଥେଙ୍ଗ, ସୁମକ୍ସି ଏବଂ ଚାଙ୍ଗ ଲା ର ପଶ୍ଚିମରେ ଅକ୍ସାଇ ଚୀନରେ ପୁଣି ସେନା ନିୟୋଜିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.