୯ ବର୍ଷରେ ଆମେରିକାଠୁ ଶକ୍ତିଶାଳୀ ହୋଇଯିବ ଚୀନ ! ବାଇଡେନଙ୍କ ନିଦ ହଜାଇଛି ପେଣ୍ଟାଗନ୍‌ର ଏହି ରିପୋର୍ଟ

Published By : Prameya-News7 Bureau | November 04, 2021 IST

ଓ୍ବାସିଂଟନ ୦୪/୧୧: ପଡ଼ୋଶୀ ଚୀନ ପୁଣି ଥରେ ବିଶ୍ବର ମୁଣ୍ଡବିନ୍ଧା କାରଣ ହେବାକୁ ଯାଉଛି। ପରାମାଣୁ ଯୁଦ୍ଧାସ୍ତ୍ର ତିଆରି କ୍ଷେତ୍ରରେ ଚୀନ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଏପରିକି ୨୦୨୭ ବେଳକୁ ଚୀନ ପାଖରେ ୭୦୦ ପରମାଣୁ ଯୁଦ୍ଧାସ୍ତ୍ର ହୋଇଯାଇଥିବ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ମିଳିଛି। ଶତାବ୍ଦୀର ମଧ୍ୟଭାଗ ବେଳକୁ ଚୀନ ଆମେରିକାର ସମକକ୍ଷ କିମ୍ବା ତାଠୁ ଟପିବାକୁ ଯୋଜନା କରୁଥିବା ମଧ୍ୟ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଆଗାମୀ ୬ ବର୍ଷ ମଧ୍ୟରେ ଚୀନ ପାଖରେ ୭୦୦ ଏବଂ ୨୦୩୦ ବେଳକୁ ୧୦୦୦ ପରମାଣୁ ଯୁଦ୍ଧାସ୍ତ୍ର ହୋଇଯାଇଥିବ। ଏବେ ଚୀନ ପାଖରେ କେ​‌ତେ ପରମାଣୁ ଅସ୍ତ୍ର ରହିଛି ସେନେଇ ରିପୋର୍ଟରେ କିଛି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ବର୍ଷେ ପୂର୍ବରୁ ପେଣ୍ଟାଗନ୍‌ ପକ୍ଷରୁ ମିଳିଥିବ ସୂଚନା ମୁତାବିକ, ଚୀନ ପାଖରେ ୨୦୦ରୁ କମ୍‌ ପରାମାଣୁ ଅସ୍ତ୍ର ଥିଲା ଏବଂ ଚଳିତ ଦଶକ ଶେଷ ସୁଦ୍ଧା ତାହା ଦୁଇଗୁଣିତ ହୋଇଯିବ।

ସେହିଭଳି ବର୍ତ୍ତମାନ ଆମେରିକା ପାଖରେ ୩,୭୫୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି। କିନ୍ତୁ ଏହାକୁ ଆହୁରି ବଢ଼ାଇବାକୁ ଆମେରିକା ପାଖରେ କୌଣସି ଯୋଜନା ନାହିଁ। କେବଳ ସେତିକି ନୁହେଁ ଭବିଷ୍ୟତରେ ସୁରକ୍ଷା ପାଇଁ ବଡ଼ ଚିନ୍ତା ଚୀନ ହେବ ବୋଲି ମଧ୍ୟ ପେଣ୍ଟାଗନ ଚେତେଇ ଦେଇଛି। ଏବେ ଚୀନ ୨୦୪୯ ସୁଦ୍ଧା ନିଜର ସେନାକୁ ବିଶ୍ବ ସ୍ତରୀୟ ଫୋର୍ସ ରୂପେ ଗଢ଼ି ତୋଳିବାକୁ ଯୋଜନା ପ୍ରସ୍ତୁତ କରିଛି।

ଏଭଳି ପରିସ୍ଥିତି ପାଇଁ ଖୋଦ ଆମେରିକା ମଧ୍ୟ ଦାୟୀ। ତାଇଓ୍ବାନକୁ ଚୀନ ନିଜର ବୋଲି ଦାବି କରି ଆସିଥିବା ବେଳେ ଆମେରିକା କିନ୍ତୁ ତାଇଓ୍ବାନକୁ ଖୋଲା ସମର୍ଥନ ଦେଉଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦୀୟ ସ୍ଥିତି ଉପୁଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.