ସୁଧୁରୁନି ଡ୍ରାଗନ୍, ଭାରତୀୟ ସୀମାରେ ହେଲିକପ୍ଟର ଡ୍ରୋନ୍ ମୁତୟନ କରିବାକୁ ଚୀନର ଯୋଜନା
25/05/2020 at 3:51 PM

ନୂଆଦିଲ୍ଲୀ, ୨୫|୦୫: ଚୀନ ତିଆରି କରିଥିବା ହେଲିକପ୍ଟର ଡ୍ରୋନର ପ୍ରଥମ ପରୀକ୍ଷଣ କରିଛି । ଏହାକୁ ଭାରତ-ଚୀନ ସୀମାରେ ମୁତୟନ କରାଯିବ । ଏନେଇ ସୋମବାର ଚୀନର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ, ଏଆର୫୦୦ସି ମାନବବିହୀନ ହେଲିକପ୍ଟର ଫାୟାର ଷ୍ଟ୍ରାଇକ୍ କରିବା ସହ ୧୫ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଉଡିପାରିବ । ଏହାସହ ସେ ନିଜ ଲକ୍ଷ୍ୟରେ ଇଲେକ୍ଟ୍ରୋନିକ୍ ସକେଟକୁ ମଧ୍ୟ ଧ୍ୱଂସ କରିପାରିବ ।
ସୋମବାର ଚୀନର ଗ୍ଲୋବାଲ୍ ଟାଇମସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଏଆର ୫୦୦ସିର ପରୀକ୍ଷଣ ସମୟରେ ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି । ଚୀନ ଭାରତର ବିଭିନ୍ନ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିଛି । ଚୀନ ସୀମାରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେଉଥିଲା । ତେବେ ଭାରତ ପକ୍ଷରୁ ଚୀନର ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ବାସ୍ତବରେ ଚୀନ ସୈନିକ ଭାରତର ସଶସ୍ତ୍ର ବଳର ଗତିବିଧିରେ ବାଧା ସୃଷ୍ଟି କରୁଥିଲେ ।
ନିକଚରେ ଆମେରିକା ମଧ୍ୟ ଲଦ୍ଦାଖରେ ଚୀନର ଜବରଦଖଲ ବିରୋଧରେ ଭାରତକୁ ସମର୍ଥନ କରିଥିଲା । ଏପରିକି ଚୀନର ଭୂମିକାକୁ ସମାଲୋଚନା ମଧ୍ୟ କରିଥିଲା । ତେବେ ଚୀନ ମଧ୍ୟ ଆମେରିକାକୁ ଜବାବ ଦେଇ ଏହା ଭିତ୍ତିହୀନ ବୋଲି କହିଥିଲା । ଆମେରିକାର ପ୍ରମୁଖ ଉପସହାୟକ ସଚିବ ଏଲିସ୍ ଓ୍ୱେଲସ୍ କହିଥିଲେ ଯେ, ଚୀନ ଏବେ ବିଭିନ୍ନ ପଡୋଶୀ ଦେଶ ସହ ବିବାଦ ସୃଷ୍ଟି କରୁଛି । ଦକ୍ଷିଣ ଚୀନ ସାଗର ଓ ଭାରତରେ ଏହାର ସୀମା ବିବାଦ ରହିଛି । ଚୀନ ଉସକାଇବା ସହ ହଇରାଣ ହରକତ କରୁଥିବା ବ୍ୟବହାର ପ୍ରଦର୍ଶନ କରୁଛି ।