ସୀମାରେ ସୈନ୍ୟ ଆଶ୍ରୟସ୍ଥଳ ନିର୍ମାଣ କରୁଛି ଚୀନ୍‌, ଭାରତକୁ ଚକମା ଦେବକୁ ଯୋଜନା କରୁଛି ଡ୍ରାଗନ ସେନା

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ, ୨୭/୦୯: ଚାଲବାଜ୍ ଚାଇନାର ଦୋଷ ଛାଡୁନି । ପଡୋଶୀଙ୍କ ସହ ଶାନ୍ତି ସ୍ଥାପନ ପାଇଁ ବେଜିଂ ପ୍ରୟାସ ରତ ବୋଲି ଡ୍ରାଗନ ଯେଉଁ ଡେଙ୍ଗୁରା ପିଟୁଛି ତାପଛରେ ଯେ ଗଭୀର ଷଡଯନ୍ତ୍ର  ଲୁଚି ରହିଛି ତାହା ଜଳଜଳ ଦିଶିଲାଣି । ସଦ୍ୟ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ଯେ ଚାଇନା ଏବେ ଅକସାଇ ଚିନ୍ ଅଞ୍ଚଳରେ ତାର ରୋଡ୍ ନେଟଓର୍କକୁ ସୁଦୃଢ କରିବାରେ ଲାଗିଛି ଏବଂ ସେଠାରେ ତାର ସେନାବାହିନୀ ରହିବା ପାଇଁ ଟ୍ରୁପ୍ ସେଲଟର କରୁଛି ।  ଅର୍ଥାତ ଅଧିକରୁ ଅଧିକ ଚାଇନା ସୈନ୍ୟ କିଭଳି ଭାରତ ବର୍ଡର ନିକଟରେ ରହିବେ ସେଥିପାଇଁ ୮ଟି ସ୍ଥାନରେ ମଡୁଲାର କଣ୍ଟେନରରେ ନିର୍ମିତ ଆଶ୍ରୟସ୍ଥଳ ତିଆରି କରୁଛି ।

ଗୋଟିଏ ପଟେ ଉଭୟ ଭାରତ ଓ ଚିନ୍ ମଧ୍ୟରେ ଦୁଇପାକ୍ଷିକ କଥାବାର୍ତ୍ତା ଜାରି ରହିଥିବା ବେଳେ ଚାଇନା କିନ୍ତୁ ନିଜର ମନ୍ଦ ଉଦ୍ଦେଶ୍ୟ ସଫଳ କରିବାକୁ ଲାଗି ପଡିଛି । ବିଶେଷକରି ଚିନ୍ ମାଡିବସିଥିବା ଅକସାଇ ଚିନ୍ ଅଞ୍ଚଳରେ  କିଭଳି ଭାରତକୁ ଚକମା ଦେବ ସେଇ ଯୋଜନାରେ ଡ୍ରାଗନ ସେନା । ସେଥିପାଇଁ ହଟସ୍ପ୍ରିଙ୍ଗ, ଚାଙ୍ଗ୍ ଲା, ତାସିଙ୍ଗଗ, ମାଞ୍ଜା ଆଦି ଅଞ୍ଚଳରେ ଅଧିକ ସୈନ୍ୟ ମୁତୟନ କରିବାକୁ ଚାଇନା ଯୋଜନା କରୁଛି । 

ଏବେ ଭାରତ ଓ ଚାଇନା ସୀମାରେ ଉଭୟ ପକ୍ଷରୁ ୫୦ ହଜାର ଲେଖାଁଏ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । କେତେବେଳେ ଯେ ପରିସ୍ଥିତି କେଉଁ ମୋଡ ନେବ ତାହା ଆକଳନ କରିବା ମୁସ୍କିଲ । କାରଣ ଉଭୟପକ୍ଷ କଥାବାର୍ତ୍ତା ଜାରି ରଖିଥିଲେ ସୁଦ୍ଧା ଚାଇନାକୁ ସହଜେ ବିଶ୍ବାସକୁ ନେବା ସ୍ଥିତିରେ ନାହିଁ ଭାରତ । ସେପଟେ ଅକସାଇ ଚିନ୍ ଅଞ୍ଚଳରେ ଚାଇନାର ଏଭଳି ପ୍ରସ୍ତୁତି ଭାରତ ପାଇଁ ମଧ୍ୟ ଚିନ୍ତା ଜନକ । କାରଣ ଏହା ଦୌଲତ ବେଗ ଓଲଡି ଓ କାରାକୋରମ ପାସ ଠାରୁ ମାତ୍ର ୨୫ କିମି ଦୂରତା ଭିତରେ । କେବଳ ପାଙ୍ଗଙ୍ଗ ହ୍ରଦ ନୁହେଁ ଡେପସାଙ୍ଗ, ଡେମଚାକ ଆଦି ଅଞ୍ଚଳରେ ବି ଚାଇନା ଭାରତ ସୀମା ଭିତରକୁ ପଶିବାକୁ ଘଭିର ଷଡଯନ୍ତ୍ର କରୁଛି ।

ଚାଇନାର ଏଭଳି ମତିଗତି ବିଭ୍ରାନ୍ତି ସୃଷ୍ଟି କରୁଛି । ସେଥିପାଇଁ ଚାଇନାକୁ ମୁହଁ ତୋଡ ଜବାବ ଦେବାକୁ ଭାରତ ପକ୍ଷରୁ ପୁରା ପ୍ରସ୍ତୁତି ଜାରି ରହିଛି । ଗୋଟିଏ ପଟେ ଭାରତ ସୀମାରେ ବହୁ ସଂଖ୍ୟାରେ ସୈନିକ ଠୁଳ କରିଥିବା ବେଳେ ଚାଇନାକୁ କୂଟନୈତିକ ଓ ଆର୍ଥିକ ଦୃଷ୍ଟିରୁ ଚେକ୍ ଦେବାକୁ କ୍ବାଡ ଗ୍ରୁପରେ ସାମିଲ ହୋଇଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ଚାଇନାର ପ୍ରତିଟି ମୁଭ୍ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯେଭଳି ଡ୍ରାଗନ ହରକତକୁ କାଉଣ୍ଟର କରିହେବ ସେନେଇ ରୀତିମତ ପ୍ରୟାସ ଜାରି ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.