୧୯୬୦କୁ ଟପି ଯାଇଛି ଚୀନ, LACରେ ଦେଖାଉଛି ଅଧିକ ଦାଦାଗିରି
21/07/2020 at 7:24 PM

ନୂଆଦିଲ୍ଲୀ ୨୧।୦୭: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକ ମଧ୍ୟରେ ସଂଘର୍ଷ ପରେ ବିବାଦର ସମାଧାନ ଲାଗି ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ସାମରିକ ସ୍ତରରେ ଅନେକ ଥର ଆଲୋଚନା ହୋଇଛି। ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି ମଧ୍ୟ ହୋଇଛି। ସଂଘର୍ଷ ସ୍ଥଳଠୁ ଦୁଇ ଦେଶର ସେନା ପଛକୁ ହଟିଛନ୍ତି। କିନ୍ତୁ ଆଲୋଚନା ପରେ ମଧ୍ୟ ବିସ୍ତାରବାଦୀ ଚୀନ ଲଦାଖରେ ପାଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଡେରା ପକାଇ ରହିଛି। ଯାହା ୧୯୬୦ ଭାରତ ସହିତ ହୋଇଥିବା ଆଲୋଚନାରେ ଚୀନ ଏହାକୁ ନିଜର ଅଧିକାରୀ ସୀମା ଭାବେ ଦର୍ଶାଇଛି।
ଜୁନ ୧୫ରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ଯେଉଁଠି ଚୀନ ତମ୍ବୁ କାଢିଥିଲା ତାହା ମଧ୍ୟ ଆଲୋଚନାର ବିପରୀତ ଥିଲା। ଅର୍ଥାତ ଚୀନ ୧୯୬୦ ରେକର୍ଡକୁ ଉଲ୍ଲଂଘନ କରି ଗଲଓ୍ଵାନ ଉପତ୍ୟକାରେ ଅନୁପ୍ରବେଶ କରିଛି।
ରେକର୍ଡ ଅନୁଯାୟୀ ଚୀନ ଗଲଓ୍ଵାନରେ ଦାବି କରୁଥିବା ଅଞ୍ଚଳ ବାସ୍ତବରେ ଭାରତର। ଭାରତୀୟ ଶୀର୍ଷ ସୈନ୍ୟ ଅଧିକାରୀ କହିଛନ୍ତି ଚୀନ ଭାରତର କେନ୍ଦ୍ର ଶାସିତ ଅଞ୍ଚଳରେ କୌଣସି କ୍ଷେତ୍ରରେ ଉପସ୍ଥିତ ନାହାନ୍ତି। ୧୯୬୦ରେ ଭାରତ ଓ ଚୀନ ସୀମାକୁ ପରିଭାଷିତ କରାଯାଇଥିଲା। ରେକର୍ଡ ସୀମାକୁ ନେଇ ମଧ୍ୟ ଚୀନକୁ ସୂଚିତ କରାଯାଇଥିଲା। ହେଲେ ଚୀନ ବର୍ତ୍ତମାନ ୧୯୬୦ର ବୀପରିତ ଦିଗରେ କାମ କରୁଛି। ପୁଣି ଥରେ ସୀମାକୁ ପରିଭାଷିତ କରିବାକୁ ପ୍ରୟାସ ଚଳାଇଛି। ସୀମାରେ ଅନୁପ୍ରବେଶ କରି ଅଯଥା ବିବାଦ ସୃଷ୍ଟି କରୁଥିବା ଚୀନରେ ଅବସ୍ଥାପିତ ରାଷ୍ଟ୍ରଦୂତ ନିରୂପମା ରାଓ କହିଛନ୍ତି।

ପାଙ୍ଗଙ୍ଗ ହ୍ରଦରେ ଉତ୍ତର କୂଳରେ ପିଏଲଏ ଫିଙ୍ଗର ୪ ପର୍ଯ୍ୟନ୍ତ ପହଞ୍ଚି ଏହି ସ୍ଥାନରେ ଭାରତକୁ ଅବରୋଧ କରିଛି। ଚୀନ ଏବେ ଫିଙ୍ଗର ୪ ନିଜର ବୋଲି ଦାବି କରୁଛି। ଭାରତର ଦାବି ଫିଙ୍ଗର ୮ ରେ ହିଁ ବାସ୍ତବିକ ନିୟନ୍ତ୍ରଣ ରେଖା ରହିଛି। ଚୀନ ପୂର୍ବରୁ ୧୯୯୯ରେ ଫିଙ୍ଗର ୪ ପାଇଁ ଏକ ସଡକ ନିର୍ମାଣ କରିଥିଲା। ପରବର୍ତ୍ତୀ ସମୟରେ ଏହାକୁ କବଜା କରିବାକୁ ଉଦ୍ୟମ କରିଥିଲା। ମାତ୍ର ପ୍ରଥମ ଥର ଚଳିତ ବର୍ଷ ମେ ମାସରେ ଫିଙ୍ଗର ୪ରେ ଭାରତୀୟ ସୈନିକଙ୍କ ପାଟ୍ରୋଲିଂକୁ ଚୀନ ଅଟକାଇ ରଖିଛି। ଭାରତୀୟ ସେନା ନିଜର ଅଞ୍ଚଳ ଫିଙ୍ଗର ୮ ପର୍ଯ୍ୟନ୍ତ ନିଜର ପାଟ୍ରୋଲିଂ କରିଥାଏ।
କୋର କମାଣ୍ଡରସ୍ତରୀୟ ବାର୍ତ୍ତା ଓ କୂଟନୈତିକସ୍ତରୀୟ ଆଲୋଚନା ପରେ ଚୀନ ସୈନିକ ଫିଙ୍ଗର ୪ ରୁ ୫ ପଛକୁ ହଟିଛି। ସେହି ପରି ଭାରତୀୟ ସୈନିକ ମଧ୍ୟ ପଶ୍ଚିମକୁ ଫିଙ୍ଗର ୨ ପର୍ଯ୍ୟନ୍ତ ପଛକୁ ହଟିଥିବା ଦୈନିକ ଇଂରାଜୀ ଖବର କାଗଜ ଦ ହିନ୍ଦୁରୁ ପ୍ରକାଶ।
ଏଲଏସି ଅତିକ୍ରମ କଲା ଚୀନ
ଚୀନ ସଂପ୍ରତି ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ନିଜର ନୂତନ ଦାବିକୁ ଲାଗୁ କରିବା ପାଇଁ ଜାଣିଶୁଣି ସୀମା ବିବାଦକୁ ଉସୁକାଉଛି। ବେଜିଂ ୧୯୬୦ର ଆଲୋଚନାକୁ ଏଡାଇ ବର୍ତ୍ତମାନ ଗଲଓ୍ଵାନ ଉପତ୍ୟକା ଓ ପାଙ୍ଗଙ୍ଗ ହ୍ରଦକୁ ନିଜର ବୋଲି ଦାବି କରୁଛି।

ବୈଦେଶିକ ମନ୍ତ୍ରଣାଳୟ ରିପୋର୍ଟ
୧୯୬୦ ଏପ୍ରିଲରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଚୀନ ରାଷ୍ଟ୍ରପତି ଝୋ ଏନଲଇଙ୍କ ମଧ୍ୟରେ ସୀମା ବାର୍ତ୍ତା ପରେ ବି ସୀମା ବିବାଦର ସମାଧାନ ହୋଇ ପାରିନଥିଲା। କିନ୍ତୁ ଏହା ନିର୍ଣ୍ଣୟ ନିଆଯାଇଥିଲା ଯେ, ଦୁଇ ସରକାରର ଅଧିକାରୀ ତଥ୍ୟ ସହିତ ଏହି ବିବାଦକୁ ସମାଧାନ କରିବା ପାଇଁ ପର୍ଯ୍ୟାୟକ୍ରମେ ବୈଠକ କରିବେ।
ଉଭୟ ଦେଶ ମଧ୍ୟରେ ତିନି ପର୍ଯ୍ୟାୟରେ ବୈଠକ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ୧୯୬୦ ଜୁନ ୧୫ ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ବେଜିଂରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ୧୮ ବୈଠକ ବସିଥିଲା। ଦ୍ଵିତୀୟ ପର୍ଯ୍ୟାୟ ଅଗଷ୍ଟ ୧୯ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଏଥିରେ ୧୯ ବୈଠକ ବସିଥିଲା। ଅନ୍ତିମ ପର୍ଯ୍ୟାୟ ରଙ୍ଗୁନରେ ବସିଥିଲା। ଏହି ସମୟରେ ଦୁଇ ପ୍ରତିପକ୍ଷଙ୍କ ମଧ୍ୟରେ ୧୦ ବୈଠକ ହୋଇଥିଲା। ଏହା ପରେ ୧୯୬୦ ଡିସେମ୍ବର ୧୨ରେ ଉଭୟ ଦେଶ ମଧ୍ୟରେ ରାଜିନାମା ସ୍ଵାକ୍ଷରିତ ହୋଇଥିଲା। ଏଥିରେ ଭାରତ ପ୍ରଶ୍ନ କରିଥିଲା ଯେ, ପାଙ୍ଗଙ୍ଗ ହ୍ରଦରେ ଉଭୟ ଦେଶର ସଠିକ୍ ପଏଣ୍ଟ କଣ ? ବୈଠକେ ଫିଙ୍ଗର ୮ ପର୍ଯ୍ୟନ୍ତ ଭାରତର ଅଞ୍ଚଳ ବୋଲି ସ୍ଥିର ହୋଇଥିଲା। ହେଲେ ଚୀନ ଏବେ ଫିଙ୍ଗର ୮ ନୁହେଁ ଫିଙ୍ଗର ୪ ପର୍ଯ୍ୟନ୍ତ କବ୍ଜା କରିବାକୁ ପ୍ରୟାସ ଚଳାଇଛି।