ଚୀନର ଦୋମୁହାଁ ନୀତି : ଅକ୍ସିଜେନ୍‌ ଉପକରଣ ନେଇ ଆସୁଥିବା କାର୍ଗୋ ବିମାନଗୁଡିକୁ କଲା ବାତିଲ, ବଢିଲା ଚିନ୍ତା…

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪ : କରୋନା ବିସ୍ତାରକାରୀ ଦେଶ ଚୀନ ଭାରତ ପ୍ରତି ଆହୁରି କଠୋର ହେବାରେ ଲାଗିଛି । ସହଯୋଗ କରିବା ପାଇଁ ଉପର ଠାଉରିଆ ଭାବେ କହୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ଚୀନର ଦୋମୁହାଁ ନୀତି । ୧୫ ଦିନ ପାଇଁ ଭାରତକୁ ଆସିବାକୁ ଥିବା ସମସ୍ତ କାର୍ଗୋ ବିମାନ ବାତିଲ କରିଛି ଚୀନ । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କାର୍ଗୋ ବିମାନ ଗୁଡିକରେ ଜରୁରୀ ଚିକିତ୍ସା ଉପକରଣ ଆସିଥାଏ । ଯେଉଁଥିରେ ଅକ୍ସିଜେନ ଉତ୍ପାଦନ ପାଇଁ ଆବଶ୍ୟକୀୟ ସରଞ୍ଜାମ ମଧ୍ୟ ରହିଛି । ତେବେ ବର୍ତ୍ତମାନ ଚାଇନାର ସିଚୁଆନ୍‌ ଏୟାରଲାଇନ୍ସ ଭାରତକୁ କାର୍ଗୋ ବିମାନ ଆସିବା ନେଇ ୧୫ ଦିନ ପାଇଁ ରୋକ ଲଗାଇବା ପରେ ସ୍ଥିତି ଜଟିଳ ହୋଇପା​‌ରେ ବୋଲି ଆଶଙ୍କା କରାଯାଉଛି ।

ସିଚୁଆନ ଚୁଆନାହାଙ୍ଗ୍‌ ଲଜିଷ୍ଟିକ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭାରତକୁ ଯିବାକୁ ଥିବା ମୋଟ ୬ଟି ରୁଟ୍‌ ଉପରେ ରୋକ୍‌ ଲଗାଯାଇଛି । ଚୀନରୁ ଅନେକାଂଶରେ ଅକ୍ସିଜେନ ସରଞ୍ଜାବ ଆସୁଥିଲା । ତେବେ ବର୍ତ୍ତମାନ କାର୍ଗୋ ଫ୍ଲାଇଟ୍‌ ଗୁଡିକ ବନ୍ଦ ହେବା ପରେ କଣ କରାଯିବ ସେ ନେଇ ଚିନ୍ତା ବଢିବାରେ ଲାଗିଛି । ଦେଶରେ ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ୟୋଗପତିମାନେ ଚୀନରୁ ଆବଶ୍ୟକୀୟ ସରଞ୍ଜାମ ଆଣିବା ନେଇ ଘୋଷଣା କରିଥିଲେ ।

ଏଭଳି ସଙ୍କଟଜନକ ସ୍ଥିତିରେ ଚୀନର ଏଭଳି ନିର୍ଣ୍ଣୟ ଚିନ୍ତା ବଢାଇ ଦେଇଛି । କାରଣ ଏହା ପୂର୍ବରୁ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟି​‌ରେ ରଖି ଯଥାସମ୍ଭବ ସହଯୋଗ କରିବାକୁ ଘୋଷଣା କରିଥିଲା ଚୀନ । କିନ୍ତୁ ବର୍ତ୍ତମାନ ଚୀନର ଦୋମୁହାଁ ନୀତି ଦେଖିବାକୁ ମିଳିଛି । ୧୫ ଦିନ ପାଇଁ କାର୍ଗୋ ଫ୍ଳାଇଟ୍‌ ଉଡାଣ ଉପରେ ରୋକ ଲଗାଇଛି ଏବଂ ଗାଇଡ୍‌ଲାଇନ୍‌ ଶେଷ ହେବା ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.