ଭାରତ ଫେରିଲେ ୫ ଅପହୃତ ଯୁବକ: ଚଳିତବର୍ଷ ଘଟିଲାଣି ୩ ଘଟଣା, କାହିଁକି ପିଏଲ୍‌ଏ କରୁଛି ଅପହରଣ ?

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯: ଲୋକ ହୁଅନ୍ତୁ କି ବିମାନ ବିଭିନ୍ନ ସମୟରେ ଅରୁଣାଚଳପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ବାଟ ଭୁଲୁଥିବା ଦେଖିବାକୁ ମିଳେ। ପୂର୍ବବର୍ଷ ଏୟାରଫୋର୍ସର ଏକ ବିମାନ ବାଟ ଭୁଲିଥିଲା। ନିକଟରେ ୭ ଜଣ ଯୁବକ ଶିକାର ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ହିଁ ଘରକୁ ଫେରିଥିଲେ। ପରେ ପିଏଲଏ ଅନ୍ୟ ୫ ଜଣଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ବହୁ ବାଦ ବିବାଦ ପରେ ଚୀନ ସେନା ଶନିବାର ୫ ଯୁବକଙ୍କୁ ଭାରତକୁ ଫେରାଇଛି। ସେମାନଙ୍କୁ ଏବେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ୧୪ ଦିନ ପରେ ସେମାନେ ଘରକୁ ଫେରିବେ।

ସେପଟେ ବର୍ଡର ଭଲଭାବେ ଜଣାପଡ଼ୁନଥିବାରୁ ବାଟ ଭୁଲିଯାଉଛୁ। ଶିକାର କରିବାକୁ ଗଲା ବେଳେ ବାଟ ଭୁଲି ପଳାଉଥିବାରୁ ପିଏଲଏ ନେଇଯାଏ ବୋଲି ଅପହୃତ ଯୁବକ ପ୍ରସାଦର ଭାଇ ପ୍ରକାଶ କହିଛି। ପ୍ରସାଦ ଯିଏକି ପିଏଲଏ ଦ୍ବାରା ଅପହରଣ ହୋଇଥିଲା। ତେବେ ୫ ଜଣ ଯୁବକ ଅପହରଣ ହୋଇଥିବା ନେଇ ପ୍ରକାଶ ଫେସବୁକରେ ପୋଷ୍ଟ କରିଥିଲା। ପରେ ଏନେଇ ଭାରତୀୟ ସେନା ଜାଣିଥିଲା। ଶିକାର କରିବାକୁ ଯାଇଥିବା ୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ଫେରିବା ପରେ ଏନେଇ ଜଣାପଡ଼ିଥିଲା ବୋଲି ସେ କହିଛି।

ଅରୁଣାଚଳପ୍ରଦେଶ ଘଞ୍ଚ ଜଙ୍ଗଲ ପାଇଁ ଜଣାଯାଏ। ଏପରିକି ଏହି ରାଜ୍ୟ ସବୁଜିମାରେ ପରିପୂର୍ଣ୍ଣ। ଏଠାକାର ଜଙ୍ଗଲରେ ଔଷଧୀୟ ବୃକ୍ଷ ଅନେକ ମାତ୍ରାରେ ଉପଲବ୍ଧ। ସ୍ଥାନୀୟ ବାସିନ୍ଦା ଔଷଧୀୟ ବୃକ୍ଷ ସଂଗ୍ରହ କରିବା ସହ ଶିକାର କରିବାକୁ ଜଙ୍ଗଲକୁ ଯାଇଥାନ୍ତି। ଏପରିକି ସପ୍ତାହରୁ ଅଧିକ ଜଙ୍ଗଲ ଭିତରେ ରହିବାକୁ ପଡ଼େ। ସେହି ସମୟରେ ସେମାନେ ରାସ୍ତା ଭୁଲିବାର ସମ୍ଭାବନା ଅଧିକ ଥାଏ। ଏଲଏସିରେ ରାସ୍ତା ଭୁଲିଯିବା ପରେ ପିଏଲଏ ସେମାନଙ୍କୁ ଅପହରଣ କରିନିଏ ବୋଲି ଜଣାପଡ଼ିଛି । କିନ୍ତୁ ଅପହରଣ ହେଉଥିବା ଲୋକଙ୍କୁ ଫେରାଇଆଣିବା ପାଇଁ ଭାରତୀୟ ସେନା ସବୁ ବେଳେ ତତ୍ପର। ଚଳିତବର୍ଷ ଏଭଳି ୩ଟି ଘଟଣା ଘଟିସାରିଛି। କିନ୍ତୁ ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା ।

ଚଳିତବର୍ଷ ଆରମ୍ଭରୁ ଏଭଳି ଘଟଣା ଘଟିଥିଲା ଯେଉଁଥିରେ ଚୀନ ସେନା ଜଣଙ୍କୁ ପାଖାପାଖି ମାସେ ଅଟକ ରଖିଥିଲା ବୋଲି କହିଛନ୍ତି ଅପହରଣ ହୋଇଥିବା ଏବିଆଙ୍କ ବନ୍ଧୁ ହୋୟୋମ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ତାଗିନ ସଂପ୍ରଦାୟର ଲୋକ। ଆମେ ଜଙ୍ଗଲକୁ ଶିକାର ପାଇଁ ଯାଉ। ଆମେ ସେହି  ସବୁ ଅଞ୍ଚଳରେ ମୁକ୍ତ ଭାବେ ବିଚରଣ କରୁ। କିନ୍ତୁ ସେଦିନ କଣ ହେଲା କେଜାଣି। କିଛି ଦିନ ପୂର୍ବରୁ ଆଉ ଜଣେ ଯୁବକ ମଧ୍ୟ ନିଖୋଜ ହୋଇଯାଇଥିଲା।’

ସୁବାନସିରି, ଦକ୍ଷିଣ ସିଆଙ୍ଗ ଓ ପାପୁମରେ ତାମିନ ସଂପ୍ରଦାୟର ଲୋକେ ବସବାସ କରନ୍ତି। ଯେଉଁମାନେ ଶିକାର କରିବାକୁ ଜଙ୍ଗଲକୁ ଯାଆନ୍ତି। ବର୍ଡର(ସୀମା) ସମ୍ପର୍କରେ ସେମାନଙ୍କର ଅଧିକ ଜ୍ଞାନ ନାହିଁ । ୮୦ ପ୍ରତିଶତ ଜଙ୍ଗଲ ଥିବା ବେଳେ ଅରୁଣାଚଳ ପ୍ରଦେଶର ବହୁ ସ୍ଥାନ ମାପ ହୋଇନାହିଁ। ବହୁ ସ୍ଥାନକୁ ଯୋଗାଯୋଗ ମଧ୍ୟ ନାହିଁ। ତେଣୁ ଭାରତ ଓ ଚୀନ ମଧ୍ୟରେ ସେମିତି କିଛି ନିର୍ଦ୍ଦିଷ୍ଟ ଚୁକ୍ତି ହୋଇନାହିଁ। ୨୦୧୩ରେ ହୋଇଥିବା ଦ୍ବିପାକ୍ଷିକ ବୁଝାମଣା ଜରିଆରେ ଉଭୟ ସୀମାରେ ରହିଯାଇଥିବା ଲୋକ, ଗାଡ଼ି ଆଦିକୁ ବୁଝାମଣା ଭିତ୍ତିରେ ଫେରାଇବା ପାଇଁ ନିଷ୍ପତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.