ଭୟଙ୍କର ହେବାରେ ଲାଗିଛି ଡେଲଟା ଭ୍ୟାରିଆଣ୍ଟ : ଅନେକ ସହରରେ ଲକଡାଉନ ଘୋଷଣା, ପର୍ଯ୍ୟଟନ ସ୍ଥଳୀଗୁଡିକରେ ଜାରିହେଲା କଟକଣା

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦ : ବ୍ୟତିବ୍ୟସ୍ତ କରିପକାଇଲାଣି କରୋନାର ଡେଲଟା ଭ୍ୟାରିଆଣ୍ଟ । ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନାର ଉତ୍ପତ୍ତି ସ୍ଥଳ ଚୀନ​‌ରେ ପୁଣି ଅଣାୟତ ହେବାରେ ଲାଗିଛି କରୋନା । କୋଭିଡର ଡେଲଟା ଭ୍ୟାରିଆଣ୍ଟ ସେଠାରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ପୁଣି ଲକଡାଉନ୍‌ ଘୋଷଣା କରାଯାଇଛି । ଏହା ସହିତ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ଜାରି କରାଯାଇଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ବନ୍ଦ କରିଦିଆଯାଇଛି ।

ଚୀନର ମଙ୍ଗୋଲିୟା ସ୍ଥିତ ଏଜିନ୍‌ କାଉଣ୍ଟିଂ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ସେଠାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧିପାଇବାରେ ଲାଗିଛି । ଏଜିନ୍‌ର ଜନସଂଖ୍ୟା ହେଉଛି ୩୫,୭୦୦ । ସେଠାରେ ଗତ ସପ୍ତାହକ ମଧ୍ୟରେ ୧୫୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଠାରେ କୋଭିଡ୍‌ ଗାଇଡଲାଇନ୍ ପାଳନ କରିବା ପାଇଁ ଲୋକମାନଙ୍କୁ କଡା ଚେତାବନୀ ଦିଆଯାଇଛି । ଚୀନ ସରକାରଙ୍କ ପକ୍ଷରୁ କରୋନା କଟକଣା ପାଳନ କରିବା ପାଇଁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି ।

ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଚୀନର ୧୧ ରାଜ୍ୟରେ ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଆସନ୍ତା କିଛି ଦିନ ମଧ୍ୟରେ ସଂକ୍ରମଣ ଆହୁରି ବଢିବା ନେଇ ଆକଳନ କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଚୀନର ଏଜିନ୍‌ ସମେତ ଅନ୍ୟ କିଛି ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ରାଜଧାନୀ ବେଜିଂରେ ମଧ୍ୟ ସଂକ୍ରମଣ ପୁଣି ଥରେ ବୃଦ୍ଧିପାଇବା ଆରମ୍ଭ କରିଛି ।

ଚୀନର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡିକରେ ମଧ୍ୟ ରୋକ୍‌ ଲଗାଯାଇଛି । ଗାଂସୁରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହା ପରେ ସେଠାରେ ରହୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ବିଦା କରାଯିବା ସହିତ ଗେଷ୍ଟ ହାଉସ ବନ୍ଦ କରାଯାଇଛି ଏବଂ ପର୍ଯ୍ୟଟନସ୍ଥଳୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ଚୀନର ଇନର ମଙ୍ଗୋଲିୟାରେ ମଧ୍ୟ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ସୋମବାର ସେଠାରେ ୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେତେବେଳେକି ପୂର୍ବରୁ ସେଠାରେ ଆଦୌ କରୋନା ଆକ୍ରାନ୍ତ ନଥିଲେ । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପ​‌ରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି । ଚୀନରେ ଡେଲଟା ଭ୍ୟାରିଆଣ୍ଟ ମାମଲା ବୃଦ୍ଧିପାଇବା ଏବେ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆସନ୍ତା ଫେବୃଆରୀରେ ଚୀନରେ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକ ପୂର୍ବରୁ ସଂକ୍ରମଣ ବୃଦ୍ଧି ପାଇବା ଭୟ ବଢାଇଦେଇଛି । ବିଶେଷ କରି ବାହାର ଦେଶର ଖେଳାଳି ଏବଂ ପ୍ରଶଂସକଙ୍କୁ ନେଇ ଚିନ୍ତା ବ୍ୟକ୍ତ କରିଛି ଚୀନ ସ୍ବାସ୍ଥ୍ୟ ମନ୍ତ୍ରାଳୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.