ଡ୍ରାଗନର ନୂତନ ଚାଲ୍: ଭାରତ ପରେ ଭୂଟାନ ସହ ସୀମା ବିବାଦ, ଦେଶର ପୂର୍ବ ସୀମାକୁ କହିଲା ବିବାଦୀୟ

Published By : Prameya-News7 Bureau | July 05, 2020 IST

ବେଜିଂ ୦୫।୦୭: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ସହିତ ବିବାଦ କରୁଥିବା ଚୀନ ଏବେ ନୂତନ ଚାଲ୍‌ ଚଳାଇଛି। ପ୍ରଥମ ଥର ଚୀନ ଆନୁଷ୍ଠାନିକ ଭାବେ କହିଛି ଯେ, ଭୂଟାନ ସହିତ ପୂର୍ବ ଇଲାକାରେ ତାର ବିବାଦ ରହିଛି। ଚୀନର ଏହି ସ୍ଵୀକାରୋକ୍ତି ଭାରତ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ଉଲ୍ଲେଖନୀୟ ଭୂଟାନର ପୂର୍ବ ଅଞ୍ଚଳ ଅରୁଣାଚଳ ପ୍ରଦେଶ ସହିତ ଲାଗିଛି। ଏହି ଇଲାକାରେ ଏବେ ଚୀନ ସୀମା ବିବାଦ ରହିଥିବା ଦାବି କରୁଛି। ଚୀନ କହିଛି ଯେ, ତାର ଭୂଟାନ ସହିତ ସୀମା ବିବାଦ କେବେ ମଧ୍ୟ ସମାଧାନ ହୋଇ ନାହିଁ।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଚୀନ କହିଛି, ଭୂଟାନ ସହିତ ଲମ୍ବା ସମୟ ଧରି ପୂର୍ବ, ମଧ୍ୟ ଓ ପଶ୍ଚିମ ଇଲାକାରେ ସୀମା ବିବାଦ ରହିଛି। ଚୀନ ଭାରତ ଆଡକୁ ଇସାରା କରି କହିଛି ଯେ, କୌଣସି ତୃତୀୟ ପକ୍ଷକୁ ଚୀନ-ଭୂଟାନ ସୀମା ବିବାଦ ଉପରେ ଆଙ୍ଗୁଳି ଉଠାଇବା ଉଚିତ୍ ନୁହେଁ। ଚୀନ ଓ ଭୂଟାନ ୧୯୮୪ ରୁ ନେଇ ୨୦୧୬ ପର୍ଯ୍ୟନ୍ତ ଅଦ୍ୟାବଧି ପରସ୍ପର ମଧ୍ୟରେ ୨୪ ଥର ଆଲୋଚନା କରି ସାରିଛନ୍ତି। ଏହି ସବୁ ଆଲୋଚନାରେ କେବଳ ପଶ୍ଚିମ ଓ ମଧ୍ୟ ଇଲାକା ନେଇ ଥିବା ବିବାଦ ଉପରେ କଥାବାର୍ତ୍ତା  ହୋଇ ଥିଲା।

ଭୂଟାନର ସୂତ୍ର ଅନୁଯାୟୀ ଚୀନ ଓ ଭୂଟାନ ମଧ୍ୟରେ ପୂର୍ବ ଇଲାକାରେ କେବେ ମଧ୍ୟ ସୀମା ବିବାଦକୁ ନେଇ ଆଲୋଚନା ହୋଇ ନଥିଲା। ଦୁଇ ପକ୍ଷ ମଧ୍ୟ ଓ ପଶ୍ଚିମି ଇଲାକାରେ ସୀମା ବିବାଦ ଥିବା ସ୍ଵୀକାର କରିଥିଲେ। ସୀମା ବିବାଦ ସମାଧାନ ଲାଗି ଏକ ପ୍ୟାକେଜ୍ ଉପରେ ମଧ୍ୟ ସହମତି ପ୍ରକାଶ ପାଇଥିଲା। ଯଦି ଚୀନକୁ ପୂର୍ବ ସେକ୍ସନରେ ନିଜର ସ୍ଥିତି ଆଇନସଙ୍ଗତ ରହିଛି ତେବେ ତାକୁ ଏହି ପ୍ରସଙ୍ଗ ପୂର୍ବରୁ ଉଠାଇବାର ଥିଲା।

{"id":296340,"sizeSlug":"large"}

ଅନ୍ୟପଟେ ଭୂଟାନର ଏକ ବିଶେଷଜ୍ଞଙ୍କ କହିବା କଥା ସଂପୂର୍ଣ୍ଣ ଭାବେ ଚୀନର ଏହା ନୂତନ ଦାବି। ଦୁଇ ପକ୍ଷ ଯେଉଁ ଦସ୍ତାବିଜ ଉପରେ ସ୍ଵାକ୍ଷର କରିଛନ୍ତି, ସେଥିରେ କେବଳ ପଶ୍ଚିମି ଓ ମଧ୍ୟ ଭାଗର ବିବାଦ ସାମିଲ ଥିଲା। ଚୀନର ଏହି ନୂତନ ଦାବି ଉପରେ ଭାରତ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଅନ୍ୟପକ୍ଷେ ଚୀନର ବୈଦେଶିକ ମନ୍ତ୍ରଣାଳୟ ଭୂଟାନ ସହିତ ପୂର୍ବ ଇଲାକାରେ ବାସ୍ତବିକ ବିବାଦ ବିଷୟରେ ବିସ୍ତୃତ ସୂଚନା ଦେଇ ନାହିଁ।

ବନ୍ୟଜୀବ ଅଭୟାରଣ୍ୟକୁ ଚୀନ କହିଲା ବିବାଦୀୟ

ଏହା ପୂର୍ବରୁ ଚୀନୀ ଡ୍ରାଗନ ଭୂଟାନର ଏକ ନୂତନ ଜମିକୁ ନିଜର ବୋଲି ଦାବି କରିଥିଲା। ଚୀନର ଗ୍ଲୋବାଲ୍‌ ଏନଭାୟରମେଣ୍ଟ କାଉନସିଲ୍‌ର ୫୮ତମ ବୈଠକରେ ଭୂଟାନର ସକତେଙ୍ଗ ବନ୍ୟଜୀବ ଅଭୟାରଣ୍ୟ ଜମିକୁ ବିବାଦୀୟ ଦର୍ଶାଇଥିଲା। ଏହା ସହିତ ଏହି ପ୍ରକଳ୍ପକୁ ଦିଆଯିବାକୁ ଥିବା ପାଣ୍ଠିର ବିରୋଧ କରିବାକୁ ପ୍ରୟାସ କରାଯାଇଛି। ଭୂଟାନ ଚୀନର ଏହି ପଦକ୍ଷେପକୁ କଡା  ବିରୋଧ କରିଛି ଏବଂ ଜମିକୁ ନିଜର ଅଭିନ୍ନ ଅଙ୍ଗ କହିଛି।

ବାସ୍ତବିକତା ଏହା ଯେ, ଗତ ଅନେକ ବର୍ଷରୁ ଅଭୟାରଣ୍ୟକୁ ନେଇ କୌଣସି ବିବାଦ ନଥିଲା। ଅଦ୍ୟାବଧି ଭୂଟାନ ଓ ଚୀନ ମଧ୍ୟରେ ସୀମା ନିର୍ଦ୍ଧାରିତ ହୋଇ ନାହିଁ। ଏହାର ଫାଇଦା ଉଠାଇ ଚୀନ ଭୂଟାନର ଅନେକ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ଚୀନର ଏହି ହୀନ ଚାଲ୍‌କୁ ଭୁଟାନ କଡା ଶବ୍ଦରେ ବିରୋଧ କରିଛି। ଭୂଟାନ ଚୀନର ଦାବିକୁ ବିରୋଧ କରି କହିଛି, ସାକତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଭୂଟାନର ଅଭିନ୍ନ ଅଙ୍ଗ ଓ ସଂପ୍ରଭୁତାର ଅଂଶ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.