ବେଙ୍ଗାଲୁରୁ ୦୫।୦୯: ଚୀନ୍ ଅତି ଗୋପନୀୟ ଭାବେ ଶତ୍ର ରାଷ୍ଟ୍ରର ଉପଗ୍ରହକୁ ନଷ୍ଟ କରିବା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର ବିକଶିତ କରୁଛି । ଯୁଦ୍ଧ ସମୟରେ ଶତ୍ରୁ ରାଷ୍ଟ୍ର ଯେପରି ମହାକାଶୀୟ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିନପାରିବ, ସେଥିପାଇଁ ଚୀନ୍ ସେନା ନିଜକୁ ପ୍ରସ୍ତୁତ କରୁଛି। ଆମେରିକୀୟ ପ୍ରତିରକ୍ଷା ବିଭାଗ ଦ୍ୱାରା ସେଠାକାର କଂଗ୍ରେସକୁ ଦିଆଯାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ପ୍ରାୟ ୨୦୦ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଦର୍ଶାଯାଇଛି କି ଚୀନ୍ ମହାକାଶରେ ରୋବୋଟ ସ୍ଥାପନ କରିବା ସହିତ ଶତ୍ରୁ ରାଷ୍ଟ୍ରର ଉପଗ୍ରହକୁ ନଷ୍ଟ କରିବା ପାଇଁ ମିସାଇଲ ଏବଂ ଲେଜର ଅସ୍ତ୍ର ଆଦିର ବିକାଶ କରୁଛି। ଚୀନ୍ ମଧ୍ୟ ମହାକାଶୀୟ ପ୍ରଯୁକ୍ତି ବିଦ୍ୟା ଆଧାରିତ ଗୁଇନ୍ଦା ପ୍ରଣାଳୀ ବିକଶିତ କରୁଛି । ଏହା ମାଧ୍ୟମରେ ସିଏ ଅନ୍ୟ ଦେଶମାନଙ୍କ ଉପଗ୍ରହ ଉପରେ ନଜର ରଖିବ। ଆବଶ୍ୟକ ପରିସ୍ଥିତିରେ ସିଏ ସେଇ ଉପଗ୍ରହଗୁଡିକ ଉପରେ ଆକ୍ରମଣ କରିବ । ଚୀନ୍ ମଧ୍ୟ ସାଟେଲାଇଟ ଜାମର( ଉପଗ୍ରହ ସହ କୌଣସି ରାଷ୍ଟ୍ରର ଯୋଗାଯୋଗ ବ୍ୟବସ୍ଥାକୁ ବିଚ୍ଛିନ୍ନ କରିବାରେ ସକ୍ଷମ ଅସ୍ତ୍ର), ଡାଇରେକ୍ଟ ଏନର୍ଜି ୱିପନର ବ୍ୟବହାର ଏବଂ ସାଇବର ଆକ୍ରମଣ ମାଧ୍ୟମରେ ଅନ୍ୟ ଦେଶ ଦ୍ୱାରା ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ରୋକିବା ପାଇଁ ଯୋଜନା କରିଛି ।
କିନ୍ତୁ ଚୀନ୍ ତୁଳନାରେ ଭାରତ ପାଖରେ ଏଭଳି ଆକ୍ରମଣ କ୍ଷମତା ନାହିଁ । ଡିଆରଡିଓ ଏବଂ ଇସ୍ରୋ ଉଭୟ ଏଭଳି ଟେକ୍ନୋଲୋଜି ବିକଶିତ କରିବା ପାଇଁ ଉଦ୍ୟମ କରୁଥିଲେ ହେଁ ଭାରତ ଚୀନ୍ ତୁଳନାରେ ବହୁ ପଛରେ ଅଛି । ଉଦାହରଣ ସ୍ୱରୂପ- ୨୦୧୮ ମସିହା ସୁଦ୍ଧା ଚୀନ୍ ପାଖରେ ୧୨୦ଟି ଗୁଇନ୍ଦା ଉପଗ୍ରହ ରହିଥିଲା ଏବଂ ତାହାର ଅଧା ଉପଗ୍ରହ କେବଳ ଚୀନ୍ ସେନା ନିୟନ୍ତ୍ରଣରେ ଥିଲା । ଚୀନ୍ ଏହି ଉପଗ୍ରହଗୁଡିକୁ ଉଭୟ ସାମରିକ ଓ ବେସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି । ହେଲେ ଭାରତ ପାଖରେ ଚୀନ୍ ତୁଳନାରେ ମାତ୍ର ୧୦% ଗୁଇନ୍ଦା ଉପଗ୍ରହ ରହିଛି ।
ଗତ ବର୍ଷ ସୁଦ୍ଧା ଭାରତ ପାଖରେ ମୋଟ ୧୯ଟି ଗୁଇନ୍ଦା ଉପଗ୍ରହ ରହିଛି । ଗତ ବର୍ଷ ମଧ୍ୟ ଭାରତ ମିସାଇଲ ମାଧ୍ୟମରେ ଉପଗ୍ରହକୁ ନଷ୍ଟ କରିବାର କ୍ଷମତା ପ୍ରଦର୍ଶନ କରିଥିଲା । ଏହା ଉପରେ ପ୍ରତିକ୍ରିୟା ଦେଇ ଇସ୍ରୋର ଜଣେ ଅଧିକାରୀ କହିଛନ୍ତି ଯେ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେବାର ଅଧିକାର ଡିପାର୍ଟମେଣ୍ଟ ଅଫ ସ୍ପେସ୍ ପାଖରେ ନାହିଁ। କିନ୍ତୁ ଇସ୍ରୋ ଏକ୍ଷେତ୍ରରେ କାମ କରିପାରିବ। ଭାରତର ଘରୋଇ ଉଦ୍ୟୋଗଗୁଡିକ ବି ଏଥିରେ ଯୋଗଦାନ ଦେଇପାରିବେ। ତା’ଛଡା ଭାରତ ତୁଳନାରେ ଚୀନ୍ ମହାକାଶୀୟ ଜ୍ଞାନକୌଶଳ ବିକଶିତ କରିବା ପାଇଁ ୭ ଗୁଣ ଅଧିକ ବ୍ୟୟ କରୁଛି।