ଭାରତ ଓ ଚୀନ ପୁଣି ମୁହାଁମୁହିଁ: LACରେ ଭାରତୀୟ ଘାଟିର ବିପରୀତ ପାର୍ଶ୍ବରେ ଟ୍ୟାଙ୍କ ମୁତୟନ କରୁଛି ଡ୍ରାଗନ୍‌ ସେନା, ଭାରତ ବି ବଢ଼ାଇଛି ପ୍ରସ୍ତୁତି

Published By : Prameya-News7 Bureau | January 04, 2021 IST

ଲଦାଖ ୦୪/୦୧: ଡ୍ରାଗନ ରଚୁଛି ନୂଆ ଚାଲ୍‌ !  ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଚୀନ ପୁଣି ଥରେ ନିଜର ହୀନ ଚକ୍ରାନ୍ତ ଆରମ୍ଭ କରିଛି। ରେଜାଙ୍ଗ ଲା, ରେଚିନ ଲା ଓ ମୋଖସୁରି ଅଞ୍ଚଳର ବିପରୀତ ଦିଗରେ ଭାରତୀୟ ପୋଷ୍ଟ ସେପାଖେ ଚୀନ ଅଧିକ ମାତ୍ରାରେ ଟ୍ୟାଙ୍କ ମୁତୟନ କରୁଥିବା ଜଣାପଡ଼ିଛି। ପାଖାପାଖି ୩୦ରୁ ୩୫ ଟ୍ୟାଙ୍କ ପିଏଲଏ ମୁତୟନ କରିଥିବା ସୂଚନା ମିଳିଛି।

ଗତ ବର୍ଷ ଅଗଷ୍ଟ ୨୯ ଓ ୩୦ରେ ଶିଖର ଗୁଡ଼ିକ ଭାରତୀୟ ସେନା ଅକ୍ତିଆର କରିଥିଲେ। ତେବେ ଭାରତୀୟ ସେନାଙ୍କୁ ମୁହଁ କରି ଟ୍ୟାଙ୍କ ଗୁଡ଼ିକୁ ଚୀନ ସେନା ରଖିଥିବା କୁହାଯାଉଛି। ପିଏଲଏ ଦ୍ବାରା ମୁତୟନ କରାଯାଇଥିବା ଟ୍ୟାଙ୍କ ଗୁଡ଼ିକ ନୂତନ ଜ୍ଞାନ କୌଶଳ ଦ୍ବାରା ତିଆରି ହୋଇଥିବା ବେଳେ ଏଗୁଡ଼ିକ ବହୁତ ହାଲକା। ଚୀନର ଚାଲ ଦେଖି ଭାରତୀୟ ସେନା ମଧ୍ୟ ଟ୍ୟାଙ୍କ ମୁତୟନ କରିଛନ୍ତି।

ଗତବର୍ଷ ଜୁନ ୧୫-୧୬ରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ପରିସ୍ଥିତି ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଗଲଓ୍ବାନ ଘାଟି ଘଟଣାରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ବହୁ ଚୀନ ଯବାନ ପ୍ରାଣ ହରାଇଥିଲେ। ଲଦାଖ ଘାଟିରେ ଶାନ୍ତି ଫେରାଇଆଣିବାକୁ ଦୁଇ ଦେଶ ମଧ୍ୟ କମାଣ୍ଡସ୍ତରୟ ଆଲୋଚନା ବହୁ ବାର ହୋଇସାରିଛି। ପରେପରେ ଦୁଇ ଦେଶ ଏଲଏସିରୁ ନିଜ ନିଜର ସେନା ପ୍ରତ୍ୟାହାର କରିଥିଲେ। କିନ୍ତୁ ଚୀନ ନିଜ ପ୍ରକୃତି ଛାଡ଼ିପାରି ନାହିଁ। ଏଲଏସିରେ ବାରମ୍ବାର ସେନା, ଟ୍ୟାଙ୍କ ଆଦି ମୁତୟନ କରିବାରେ ବ୍ୟସ୍ତ ରହୁଛି ଚୀନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.