ଚୀନ ରହିବ ସୁବୁଠୁ ଆଗରେ ! ନଭେମ୍ବରରେ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ କରୋନା ଟିକା
15/09/2020 at 1:31 PM

ଚୀନ ୧୫/୦୯: ଚୀନରେ ବିକଶିତ କରୋନା ଭାକସିନ ଆସନ୍ତା ନଭେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ। ଚୀନର ସେଣ୍ଟର ଫର୍ ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଚୀନର ୪ଟି କରୋନା ଟିକା କ୍ଲିନିକାଲ୍ ଟ୍ରାଏଲର ଶେଷ ପର୍ଯ୍ୟାୟରେ ରହିଛି। ଆବଶ୍ୟକ ସେବା ସହ ଜଡ଼ିତ ଲୋକଙ୍କ ପାଇଁ ଚୀନ ପୂର୍ବରୁ ତିନିଟି କରୋନା ଭାକସିନ ଉପଯୋଗର ଅନୁମତି ଦେଇସାରିଛି। ଏହାର ବ୍ୟବହାର ‘ଇମରଜେନ୍ସି ୟ୍ୟୁଜ୍ ପୋଗ୍ରାମ’ ଜରିଆରେ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜୁଲାଇ ମାସରେ ଆରମ୍ଭ କରାଯାଇଥିଲା।
ତେବେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ବେଶ ସହଜ ଓ ଭଲରେ ଚାଲିଛି। ସେଥିପାଇଁ ନଭେମ୍ବର ନଚେତ ଡିସେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଏହା ଉପଲବ୍ଧ ହୋଇପାରେ। ଚୀନର ବାୟୋସେପ୍ଟି ଏକ୍ସପର୍ଟ ଗୁଝଝୋନ୍ ବୁ ଏପ୍ରିଲରେ ଏହି ଟିକା ନେଇଥିଲେ। ଟିକା ନେବାର ମାସକ ପରେ ତାଙ୍କଠାରେ କୌଣସି ସମସ୍ୟା ଦେଖା ଦେଇ ନାହିଁ। ତେବେ ତାଙ୍କୁ କେଉଁ ଭାକସିନ୍ ଦିଆଯାଇଛି ସେନେଇ କିଛି ସ୍ପଷ୍ଟ କରି ନାହାନ୍ତି।
ଚୀନ କମ୍ପାନି ସିନୋଫାର୍ମ ଓ ସିନୋଭ୍ୟାକ୍ ବାୟୋଟେକ୍ ଚୀନ ଇମରଜେନ୍ସି ୟ୍ୟୁଜ ପୋଗ୍ରାମ ମାଧ୍ୟମରେ ତିନିଟି ଭାକସିନ୍ ତିଆରି କରିଛି। ଚତୁର୍ଥ ଭାକସିନକୁ କେନସିନୋ ବାୟୋଲଜିକ୍ସ ତିଆରି କରିଛି ଯାହାକୁ ଚୀନ ମିଲିଟ୍ରିକୁ ଉପଯୋଗ ପାଇଁ ଅନୁମତି ଦିଆଯାଇଛି। ଚୀନ ମିଲିଟ୍ରି ଏହି ଭାକସିନର ଉପଯୋଗ ଜୁନରୁ କରୁଛି।