SARS ଅପେକ୍ଷା ଅଧିକ ଭୟଙ୍କର ହେଲାଣି କରୋନା, ଚୀନ୍‌ରେ ୮୧୧ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | February 09, 2020 IST

ବେଜିଂ ୯।୨: ଚୀନ୍ ର କରୋନା ଭାଇରସ୍ ଏବେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଚୀନ୍ ରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮୧୧ରେ ପହଞ୍ଚିଲାଣି । ୨୦୦୨ରୁ ୨୦୦୩ ମଧ୍ୟରେ ବ୍ୟାପିଥିବା ସିଭିୟର ଆକ୍ୟୁଟ ରେସ୍ପିରେଟରୀ ସିଣ୍ଡ୍ରୋମ (SARS) ଅପେକ୍ଷା ଅଧିକ ଭୟଙ୍କର ରୂପ ନେଲାଣି କରୋନା । SARS ଯୋଗୁଁ ୭୭୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୦୯୮ ଜଣ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ । ଚୀନ୍ ଏବଂ ହଂକଂରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ସେହିଭଳି ଏବେ ଚୀନ୍ ରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି ।

ସାରା ବିଶ୍ବରେ ବୈଜ୍ଞାନିକମାନେ ଏହି ଭାଇରସ୍ ରୁ ରକ୍ଷା ପାଇବା ପାଇଁ ଅନୁସନ୍ଧାନରେ ଲାଗିଛନ୍ତି । ମାତ୍ର କୌଣସି ଔଷଧ ଏପର୍ଯ୍ୟନ୍ତ ବାହାରିପାରିନାହିଁ । କରୋନା ଭାଇରସ୍ ର ସଂକ୍ରମଣ ପ୍ରଥମେ ୨୦୧୯ ମସିହା ଡିସେମ୍ବର ମାସରେ ଉହାନ ସ୍ଥିତ ପଶୁ ବଜାରରୁ ବ୍ୟାପିଥିଲା । ଉହାନର ଅଧିକାଂଶ ଲୋକ ଏହି ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଏଠାକାର ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ଏହି ଭାଇରସ୍ ବାଦୁଡ଼ି, ସାପ ଏବଂ ବଜ୍ରକାପ୍ତା ଦ୍ବାରା ମଣିଷ ଶରୀରକୁ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଚୀନ୍ ସି-ଫୁଡ୍ ଆମଦାନୀ-ରପ୍ତାନୀ ବନ୍ଦ କରିଛି । ଚୀନ୍ ମଧ୍ୟ ଅଷ୍ଟ୍ରେଲିଆରୁ ଆସୁଥିବା ସି-ଫୁଡ୍ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ସେହିପରି ଚୀନରେ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ସମେତ ପ୍ରାୟ ୩୦ରୁ ଅଧିକ ସହରରେ ସି-ଫୁଡ୍ ବଜାର ବନ୍ଦ କରାଯାଇଛି । ଏହାଦ୍ବାରା ଚୀନ୍ ରେ ସାମୁଦ୍ରିକ ଖାଦ୍ୟ ବଜାର ଠପ୍ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.