ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ, ସେନା ସତର୍କ

Published By : Prameya-News7 Bureau | September 03, 2020 IST

ଡେରାଡୁନ ୩।୯: ପୂର୍ବ ଲଦ୍ଦାଖରେ ସୈନ୍ୟ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ଚୀନ୍‌ ଏବେ ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂର ପାଲା ମୈଦାନରେ ସୈନ୍ୟ ଘାଟି ନିର୍ମାଣ ଉଦ୍ୟମ କରୁଛି। ଏଥିଲାଗି ଏଠାକୁ ନିର୍ମାଣ ସାମଗ୍ରୀ ମଧ୍ୟ ଚୀନ୍‌ ପହଞ୍ଚାଇ ସାରିଲାଣି। ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ଭାରତ ଏଠାରେ ଉଭୟ ସ୍ଥଳ ଓ ଆକାଶ ମାର୍ଗରେ ନଜର ରଖିଛି।

ସୂଚନା ଯୋଗ୍ୟ ଯେ ଚୀନ୍‌ର ପାଲା ସେହି ସ୍ଥାନ ଯେଉଁଠି ବିବାଦ ଉପୁଜିବା ଯୋଗୁ ୨୦୦୨-୦୩ରେ ଭାରତ-ଚୀନ୍‌ ଅଧିକାରୀ ସ୍ତରୀୟ ବୈଠକ ହୋଇଥିଲା। ତେବେ ପୁଣି ଥରେ ସମ୍ପୃକ୍ତ କ୍ଷେତ୍ରରେ ଚୀନ୍‌ ଗତିବିଧି ବଢିବା ପରଠାରୁ ଭାରତୀୟ ସେନା ଲିପୁଲେଖଠାରୁ ସମଗ୍ର ନେପାଲ ସୀମାରେ ସୁରକ୍ଷା କଡାକଡି କରିଛି। ବିଏସ୍‌ ଏଫ ନେପାଳ ପଟରୁ କୌଣସି ଅନୁପ୍ରବେଶ ରୋକିବା ଲାଗି ନାକାବନ୍ଦୀ କରିଥିବା ବେଳେ ସମସ୍ତ ସଂଯୋଗ ରାସ୍ତା ସିଲ କରିଦେଇଛି।

ଲଦ୍ଦାଖ ସୀମାରେ ମୁହାଁମୁହିଁ ଅବସ୍ଥାକୁ ଦେଖି ଭାରତୀୟ ସେନା ମିଲମରୁ ଲିପୁଲେଖ ପର୍ଯ୍ୟନ୍ତ ସୀମାରେ ସମ୍ପୂର୍ଣ୍ଣ ସଜାଗ ହୋଇଯାଇଛି। ନେପାଳ ସୀମାରେ ପ୍ରହରା ମଧ୍ୟ କଡାକଡି ହୋଇଛି। ଭାରତ ଓ ନେପାଳ ସୀମା କାଳି ନଦୀ ଦ୍ୱାରା ନିର୍ଦ୍ଧାରିତ ହୋଇଛି। ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ଲାଗି ଥିଲା ଝୁଲାପୋଲ କରୋନା ସଂକ୍ରମଣ ଯୋଗୁ ଗତ ୫ ମାସ ହେଲା ବନ୍ଦ ରହିଛି। ତେବେ କେତେକ ସ୍ଥାନରେ ନେପାଳ ଲୋକେ ତାର ବାନ୍ଧି ଲୁଚି ଛପି ଭାରତକୁ ଆସୁଥିବା ଦେଖାଯାଇଛି। ଏବେ ବିଏସଏଫ ଏ ସବୁ ରାସ୍ତା ମଧ୍ୟ କାଟି ଦେଇଛି। ଏହା ଛଡା ଯୁଦ୍ଧ ବିମାନ ଦ୍ୱାରା ସୀମା ଉପରେ ମଧ୍ୟ କଡା ନଜର ରଖାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.