କରୋନା ସଙ୍କଟରେ ବି ଡ୍ରାଗନର ଦାଦାଗିରି: ଚୀନ ଷଡଯନ୍ତ୍ରର ଖୁଲାସା ! ଦକ୍ଷିଣ ଚୀନ ସାଗରରେ ବଦଳାଇ ଦେଲା ୮୦ଟି ଜାଗାର ନାଁ
27/04/2020 at 6:19 PM

ନୂଆଦିଲ୍ଲୀ ୨୭।୦୪: ପୂରା ଦୁନିଆ କରୋନା ପ୍ରକୋପକୁ ସାମ୍ନାକୁ କରୁଛି। ଏହି ମାରାତ୍ମକ ମହାମାରୀରେ ବିଶ୍ଵରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ମାତ୍ର ଦୁନିଆର ଏମିତି ଏକ ଦେଶ ଯିଏ ଏହି ବିପଦ ସମୟରେ ମଧ୍ୟ ନିଜର ବିସ୍ତାରବାଦୀ ଏଜେଣ୍ଡାକୁ ଆଗକୁ ବଢାଇଛି, ଆଉ ସେହି ଦେଶ ହେଉଛି ଚୀନ। ସୂଚନା ଅନୁଯାୟୀ ଚୀନ ଦକ୍ଷିଣ ଚୀନ ସାଗରରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିଛି। କୁହାଯାଉଛି ଯେ, ଚୀନ ଦକ୍ଷିଣ ଚୀନ ସାଗରରେ ୮୦ଟି ସ୍ଥାନର ନାମ ବଦଳାଇ ଦେଇଛି।
ଗୋଟିଏ ପଟେ ପୂରା ଦୁନିଆ କରୋନା ଭାଇରସ୍ ବିରୋଧରେ ସଂଘର୍ଷ କରୁଥିବା ବେଳେ ଚୀନ ନିଜର ଅର୍ଥବ୍ୟବସ୍ଥା ମଜବୁତ କରିବା ସହିତ ସମୁଦ୍ରରୁ ନେଇ ଭୂପୃଷ୍ଠ ପର୍ଯ୍ୟନ୍ତ ନିଜର ବିସ୍ତାରବାଦୀ ଏଜେଣ୍ଡା ଉପରେ କାମ କରୁଛି। ଦୁନିଆର ସବୁଠୁ ବଡ ଶକ୍ତିଶାଳୀ ଦେଶ ହେବାକୁ ସ୍ଵପ୍ନ ଦେଖୁଥିବା ଚୀନ ସମୁଦ୍ରରେ ପୁଣି ଥରେ ଏମିତି ଦଖଲ କରିଛି, ଯାହାକୁ ନେଇ ପୂରା ଦୁନିଆରେ ହଇଚଇ ସୃଷ୍ଟି ହୋଇଛି।

ଚୀନ ପ୍ରଥମେ ଦକ୍ଷିଣ ଚୀନ ସାଗରରେ ନିଜର ଯୁଦ୍ଧ ଜାହାଜ ପଠାଇଥିଲା ଏବଂ ଏବେ ଖବର ରହିଛି ଯେ, ପୂରା ଦୁନିଆ କରୋନାରେ ଲଢେଇ କରୁଥିବା ବେଳେ ଚୀନ ଚୁପ୍ଚାପ୍ ଦକ୍ଷିଣ ଚୀନ ସାଗରରେ ୮୦ଟି ଜାଗାର ନାମ ବଦଳାଇ ଦେଇଛି। କୁହାଯାଉଛି ଯେ, ଚୀନ ଏହାକୁ କବଜା କରିବାକୁ ଜାଗାର ନାମ ବଦଳାଇ ଦେଇଛି। ଏଥିରେ ୨୫ଟି ଦୀପପୁଞ୍ଜ ଏବଂ ବାକି ୫୫ଟି ସମୁଦ୍ର ତଳେ ଥିବା ଭୌଗୋଳିକ ସରଞ୍ଚନା ସାମିଲ ରହିଛି।
ଚୀନ କ୍ରମାଗତ ଦକ୍ଷିଣ ଚୀନ ସାଗରରେ ସାମରିକ ଦଖଲ ଦେଇ ଆସିଛି। କରୋନାର ଏହି ସଙ୍କଟ ସମୟରେ ବି ଏହି କ୍ଷେତ୍ରରେ ଚୀନର ଦାଦାଗିରି କମ ହୋଇ ନାହିଁ। ଗତ ସପ୍ତାହରେ ତାଇଓ୍ଵାନ ଦାବି କରିଥିଲା ଯେ, ଚୀନ ନିଜର ଲଢୁଆ ଜାହାଜ ଓ ଲଢୁଆ ବିମାନ ଏହି ସମୁଦ୍ର ଇଲାକାକୁ ପଠାଇଥିଲା। ଜାପାନ ମଧ୍ୟ ଏହି ସୂଚନା ଠିକ୍ ଥିବା କହିଛି। ମାତ୍ର ଚୀନ ଏହି ଖବରକୁ ଖଣ୍ଡନ କରି କହିଛି ଯେ ଏହା ରୁଟିନ୍ ଏକ୍ସରସାଇଜ୍ ଥିଲା। ମାତ୍ର ଚୀନ ଯେଉଁଭଳି ଭାବେ ଦକ୍ଷିଣ ଚୀନ ସାଗରରେ ୮୦ଟି ଜାଗାର ନାମ ବଦଳାଇ ଦେଇଛି ସେଥିରେ ଡ୍ରାଗନର ଅସଲ ଉଦ୍ଦେଶ୍ୟ ଜଣା ପଡିଛି।