ଭାରତକୁ ଡ୍ରାଗନର ନାଲିଆଖି, କହିଲା- ‘ତିବ୍ବତ କାର୍ଡ’ ଖେଳିଲେ ଖରାପ ହେବ ଦ୍ବିପାକ୍ଷିକ ସମ୍ପର୍କ

Published By : Prameya-News7 Bureau | December 31, 2020 IST

ବେଜିଂ ୩୧/୧୨: ଚୀନ ବିରୋଧରେ ‘ତିବ୍ବତ କାର୍ଡ’ ଖେଳିଲେ ପଡ଼ିବ ମହଙ୍ଗା । ଏନେଇ ଭାରତକୁ ଚେତାବନୀ ଦେଇଛି ଡ୍ରାଗନ। ପରବର୍ତ୍ତୀ ଦଲାଇ ଲାମା ବାଛିବା ପାଇଁ ତିବ୍ବତକୁ ଆମେରିକା ରାଷ୍ଟ୍ରପତି ଅନୁମତି ଦେବା ପରେ ଚୀନ ଚିନ୍ତାରେ। ବୁଧବାର ଚୀନ ଭାରତକୁ ଚେତାବନୀ ଦେଇ କହିଛି, ତିବ୍ବତ କାର୍ଡ ଖେଳିଲେ କିମ୍ବା ତିବ୍ବତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇଲେ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବ ।

ତିବ୍ବତିଆନ ପଲିସି ଓ ସପୋର୍ଟ ଆକ୍ଟ ୨୦୨୦ରେ ଟ୍ରମ୍ପ ଦସ୍ତଖତ କରିବା ଓ ଏନେଇ ଭାରତୀୟ ଗଣମାଧ୍ୟମ ସମର୍ଥନ ପ୍ରକାଶ କରିବାକୁ ନେଇ ଚୀନ ଖପ୍ପା ହୋଇଛି। ଏନେଇ ଭାରତରେ ଚୀନ ଦୂତାବାସ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଛି। ଚୀନ ଓ ତିବ୍ବତ ମାମଲାରେ ଭାରତର ହସ୍ତକ୍ଷେପକୁ ଦର୍ଶାଇଛି ଡ୍ରାଗନ ଏମ୍ବାସି।

ଚୀନ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ‘ଆମେ ଆଶା କରୁଛୁ ଭାରତୀୟ ଗଣମାଧ୍ୟମ ଚୀନର ସାର୍ବଭୌମତ୍ବକୁ ସମ୍ମାନ ଜଣାଇବା ଦିଗରେ କାର୍ଯ୍ୟ କରିବେ। ଜିଜାଙ୍ଗର ଆର୍ଥିକ ବିକାଶକୁ ଗଣମାଧ୍ୟମ ଦେଖାଇ ଚୀନ ଓ ଭାରତର ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ନେବେ। ତିବ୍ବତ କାର୍ଡ ନଖେଳି ଭାରତ ଓ ଚୀନ ସମ୍ପର୍କକୁ ବଜାୟ ରଖିବେ ବୋଲି ଆଶା କରୁଛି। ନହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିବ।’

ପ୍ରକୃତ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ପରିସ୍ଥିତି ପାଇଁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଥିଲା। ପରେ ପରେ ପୁଣି ତିବ୍ବତ ମାମଲାକୁ ନେଇ ଏହି ପ୍ରସଙ୍ଗ ଉଠାଇଛି ଚୀନ। ୨୦୦୩ ରେ ଭାରତ ଓ ଚୀନ ମଧ୍ୟ​ରେ ସ୍ବାକ୍ଷରିତ ହୋଇଥିବା ରାଜିନାମା ଅନୁସାରେ ତିବ୍ବତ ଚୀନର ଅଂଶ ବୋଲି ମଧ୍ୟ ନୂଆଦିଲ୍ଲୀ ଜାଣିଥିଲା। ଏହା ସହ ତିବ୍ବତିଆନ୍‌ ଚୀନ ବିରୋଧରେ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ ନାହିଁ ବୋଲି ଭାରତ ବି ଜାଣିଛି ବୋଲି ଚୀନ ଦୂତାବାସ ପ୍ରବକ୍ତା ଜୀ ରୋଙ୍ଗ କହିଛନ୍ତି।

ଅନ୍ୟପଟେ ଆମେରକିକା ନିକଟରେ ପାସ୍‌ କରିଥିବା ତିବ୍ବତିଆନ ପଲିସି ଓ ସପୋର୍ଟ ଆକ୍ଟ ତିବ୍ବତ ପ୍ରତି ଆମେରିକାର ସୁଦୃଢ଼ ସମ୍ପର୍କକୁ ଦର୍ଶାଉଛି। ତିବ୍ବତିଆନ ନିଜର ପରବର୍ତ୍ତୀ ଦଲାଇ ଲାମା ବାଛିପାରିବେ ବୋଲି ଆମେରିକା ଦେଇଥିବା ଅନୁମତିକୁ ନେଇ ଚୀନ ରାଗରେ ଗର ଗର ହେଉଥିବା ଦେଖିବାକୁ ମିଳିଛି। ଚୀନ ମତରେ ପରବର୍ତ୍ତୀ ଦଲାଇ ଲାମା ତିବ୍ବତରୁ ହେବେ କିନ୍ତୁ ଚୀନର ନିୟମ ଲାଗୁ ହେବ। ଏହା ସହ ଏବେର ଦଲାଇ ଲାମା ଓ ଭାରତର ଭୂମିକା ପରବର୍ତ୍ତୀ ଦଲାଇ ଲାମା ଖୋଜିବାରେ ରହିବ ନାହିଁ ବୋଲି ଚୀନର ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.