ଲଦାଖରେ ଥମୁନି ବିବାଦ, ସେପଟେ ହିମାଚଳ ପ୍ରଦେଶ ସଂଲଗ୍ନ ସୀମାରେ ୨୦ କିମି ଲମ୍ବା ସଡକ ନିର୍ମାଣ କରି ଦେଲା ଚୀନ
26/07/2020 at 4:32 PM

ନୂଆଦିଲ୍ଲୀ ୨୬।୦୭: ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନା ହ୍ରାସ ପାଇଁ କୂଟନୈତିକ ଓ ସାମରିକସ୍ତରରେ ପ୍ରୟାସ ଜାରି ରହିଛି। କିନ୍ତୁ ସେପଟେ ଚୀନ ହିମାଚଳ ପ୍ରଦେଶ ସଂଲଗ୍ନ ସୀମାରେ ସଡକ ନିର୍ମାଣ କରି ଦେଇଛି। ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାର କୁନ୍ନୁ ଚାରଙ୍ଗ ହେଉଛି ସୀମାର ଅନ୍ତିମ ଗାଁ। କୁନ୍ନୁ ଚାରଙ୍ଗର ଗାଁ ଲୋକ ଚୀନ କ୍ଷେତ୍ର ପରିଦର୍ଶନ କରିବା ପରେ ଦାବି କରିଛନ୍ତି ଗତ ଦୁଇ ମାସରେ ଚୀନ ନିଜ ପଟୁ ସୀମାରେ ପ୍ରାୟ ୨୦ କିଲୋମିଟରର ଲମ୍ବା ସଡକ ନିର୍ମାଣ କରି ସାରିଛି।
ମୋରଙ୍ଗ ଘାଟି କ୍ଷେତ୍ରର ଶେଷ ଗାଁ କୁନ୍ନୁ ଚାରଙ୍ଗର ଗାଁ ଲୋକଙ୍କ ଅନୁଯାୟୀ ଚୀନ ରାତିର ଅନ୍ଧକାରରେ ଦ୍ରୁତ ଗତିରେ ଖେମକୁଲ୍ଲା ନିକଟରେ ଆହୁରି ସଡକ ନିର୍ମାଣ କରୁଛି। ଚୀନ ପଟୁ ରାତ୍ର ସମୟରେ ଡ୍ରୋନ ମଧ୍ୟ ଚକ୍କର କାଟୁଛି। ଚୀନ ପକ୍ଷରୁ ଜାରି ସଡକ ନିର୍ମାଣରେ ଲୋକ ନୋ ମେସ ଲ୍ୟାଣ୍ଡ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଅପରପକ୍ଷେ କିନ୍ନୋର ପୋଲିସ ଅଧୀକ୍ଷକ(ଏସପି)ସାଜୁ ରାମ ରାଣା ସୀମାବର୍ତ୍ତୀ ଗାଁରେ ଚୀନ ଡ୍ରୋନ ଚକ୍କର କାଟିଥିବା ସୂଚନା ଦେଇଛନ୍ତି। ସଡକ ନିର୍ମାଣକୁ ନେଇ ସେ କହିଛନ୍ତି ଏତେ କମ ସମୟରେ ଲମ୍ବା ସଡକ ନିର୍ମାଣ ହୋଇ ପାରିବ ନାହିଁ।
ଏସପି କହିଛନ୍ତି ଗାଁ ଲୋକ ଏହି ସମ୍ବନ୍ଧରେ ସୂଚନା ଦେଇଥିଲେ। ଭାରତୀୟ ସୀମା କ୍ଷେତ୍ରରେ ଏମିତି କିଛି ହେଉନାହିଁ। ତେଣୁ ଗାଁ ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। କୁନ୍ନୁ ଚାରଙ୍ଗ ଗାଁର ମୁଖିଆ କହିଛନ୍ତି କିଛି ଗାଁ ଲୋକ ଖେମକୁଲ୍ଲା ନିକଟ ଅଞ୍ଚଳକୁ ଯାଇଥିଲେ। ସେଠାରେ ରେକି କରିବା ପରେ ସୀମାରେ ସଡକ ନିର୍ମାଣ ହେଉଥିବା ସୂଚନା ଦେଇଥିଲେ।
ସେ କହିଛନ୍ତି ଏତେ ବଡ ଲମ୍ବା ସଡକ ରାତାରାତି ହୋଇ ପାରିବ ନାହିଁ। ଏହାର ନିର୍ମାଣ ଅନେକ ମାସ ଧରି ଜାରି ରହିଥାଇପାରେ। ଗାଁ ମୁଖିଆ ଏହାକୁ ନେଇ ସୁରକ୍ଷା ଏଜେନ୍ସିର କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କ୍ଷୁବ୍ଧ ହୋଇ କହିଛନ୍ତି କୁନ୍ନୁ ଚାରୁଙ୍ଗ ଗାଁ ଚୀନ ସୀମାରେ ଅବସ୍ଥିତ। ଏହା ପର୍ଯ୍ୟନ୍ତ ପହଞ୍ଚିବାକୁ ଭଲ ସଡକଟିଏ ମଧ୍ୟ ନାହିଁ। ଗାଁ ଲୋକଙ୍କ ପାଖରେ ମୋବାଇଲ୍ ତ ଅଛି ହେଲେ ନେଟ୍ଓ୍ଵର୍କ ନଥିବା କାରଣରୁ ଜରୁରୀ କଥା ଟିକେ ହେବା ପାଇଁ ଲୋକଙ୍କୁ ୧୪ କିଲୋମିଟର ଦୂର ଯିବାକୁ ପଡୁଛି।
କୁହାଯାଉଛି ଏହି ଗାଁର ୯ ଜଣ ଲୋକଙ୍କ ଦଳ ୧୬ ଖଚ୍ଚର ଓ ପାଞ୍ଚ ପୋର୍ଟର ସହିତ ପ୍ରାୟ ୨୨ କିଲୋମିଟର ଦୂର ସୀମା ପାଖକୁ ଯାଇଥିଲେ। ଏହି ଦଳ ସହିତ ଚୀନ ସୀମାରେ ସୁରକ୍ଷା ଦାୟିତ୍ଵରେ ଥିବା ଇଣ୍ଡିଆ ତିବ୍ବତ ବର୍ଡର ପୋଲିସ୍(ଆଇଟିବିପି)ର କିଛି ଯବାନ ମଧ୍ୟ ଥିଲେ। ଖେମକୁଲ୍ଲା ନିକଟରେ ପହଞ୍ଚି ଏହି ଦଳ ଯେବେ ତିବ୍ବତ ଆଡକୁ ଚାହିଁଲେ ତେବେ ସେମାନଙ୍କର ଖାଲି ଖୋଲି ହୋଇ ଯାଇଥିଲା।
ଚୀନ ଦୁଇ ମାସ ଭିତରେ ପ୍ରାୟ ୨୦ କିଲୋମିଟର ସଡକ ନିର୍ମାଣ କରି ନେଇଛି। ଏହି ଦଳର ସଦସ୍ୟ କହିଛନ୍ତି ଗତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ତିବ୍ବତର ଶେଷ ଗାଁ ତାଙ୍ଗୋ ପର୍ଯ୍ୟନ୍ତ ସଡକ ଥିଲା। ମାତ୍ର ବରଫ ତରଳିବା ମାତ୍ରେ ଗତ ଦୁଇ ମାସରେ ସୀମା ପଟୁ ୨୦ କିଲୋମିଟର ଲମ୍ବା ସଡକ ନିର୍ମାଣ କରାଯାଇଛି।