କରୋନା ସଙ୍କଟ ବେଳେ ଚୀନ୍ର ଅଭିଯୋଗ : ‘ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଜାହାଜ ପଠାଉଛି ଆମେରିକା’
8/04/2020 at 11:31 AM

ବେଜିଂ ୮।୪: କରୋନା ଭାଇରସ୍ ମହାମାରୀର ସମ୍ମୁଖୀନ ହେଉଥିବା ବିଶ୍ବ ବର୍ତ୍ତମାନ ସଙ୍କଟରେ ପଡିଛି, କିଭଳି ଏହି ସମସ୍ୟାକୁ ଦୂର କରାଯାଇପାରିବ । କିନ୍ତୁ ଏସବୁ ମଧ୍ୟରେ ଆମେରିକା ଏବଂ ଚୀନ୍ ମଧ୍ୟରେ କ୍ରମାଗତ ଆରୋପପ୍ରତ୍ୟାରୋପ ଚାଲିଛି । ଏହି ଭାଇରସ୍ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍କୁ ଦାୟୀ କରୁଛନ୍ତି, ତେଣୁ ବର୍ତ୍ତମାନ ଚୀନ୍ ଆମେରିକା ଉପରେ ଦୋଷ ଲଦୁଛି । ଚୀନ୍ କହିଛି ଯେ, କରୋନା ସଙ୍କଟ ସମୟରେ ଆମେରିକା ଦକ୍ଷିଣ ଚୀନ୍ ସାଗରରେ ଜାହାଜ ପଠାଉଛି ।
ବୁଧବାର ଦିନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଚୀନ୍ ବର୍ତ୍ତମାନ ବିଶ୍ବର ବିଭିନ୍ନ ଦେଶକୁ କରୋନା ମହାମାରୀର ମୁକାବିଲା କରିବାରେ ସାହାଯ୍ୟ କରୁଛି । କିନ୍ତୁ ଅନ୍ୟପକ୍ଷରେ ଆମେରିକା ନିଜର ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନକୁ ଦକ୍ଷିଣ ଚୀନ୍ ସାଗରକୁ ପଠାଉଛି । ଯାହା ଚୀନ୍ର ସାର୍ବଭମତ୍ବକୁ ଚ୍ୟାଲେଞ୍ଜ କରୁଛି । ଆମେ ଚାହୁଁଛୁ ଆମେରିକା ପ୍ରଥମେ ନିଜ ଘରେ ବ୍ୟାପିଥିବା ମହାମାରୀର ମୁକାବିଲା କରୁ ।
ସୂଚନା ଅନୁସାରେ ଦକ୍ଷିଣ ଚୀନ୍ ସାଗର ନିକଟରେ ଥିବା ଦେଶମାନଙ୍କ ଉପରେ ଚୀନ୍ ନିଜର ପ୍ରଭାବ ବିସ୍ତାର କରିଆସୁଛି । ଯେଉଁଥିପାଇଁ ଆମେରିକା ସମେତ ବିଶ୍ବର ଅନେକ ଦେଶ ଚୀନକୁ ଟାର୍ଗେଟ୍ କରୁଛନ୍ତି । ଚୀନ୍ ଏବଂ ଆମେରିକା ମଧ୍ୟରେ ଏହା ଏକ ଦୀର୍ଘ ଦିନର ବିବାଦ, ଯାହା ସମୟ ସମୟରେ ସାମ୍ନାକୁ ଆସୁଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍ କାରଣରୁ ଚୀନ୍ କୁ ବାରମ୍ବାର ଟାର୍ଗେଟ୍ କରିଆସୁଛନ୍ତି । ପୂର୍ବରୁ ସେ ଏହି ଭାଇରସ୍ ‘ଚୀନ୍ ଭାଇରସ୍’ ବୋଲି କହିଥିଲେ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହି ଭାଇରସ୍ ଚୀନ୍ ରୁ ସାରା ବିଶ୍ବକୁ ବ୍ୟାପିଛି । ତେଣୁ ଏହାକୁ ଚୀନ୍ ଭାଇରସ୍ ବୋଲି କହିବା ଉଚିତ୍ ।
ଏହା ବ୍ୟତୀତ ଟ୍ରମ୍ପଙ୍କ ତରଫରୁ ଅଭିଯୋଗ କରାଯାଇଥିଲା ଯେ, ଚୀନ୍ ଏବଂ WHO ମିଳିତ ଭାବେ କରୋନା ଭାଇରସ୍ ବିଷୟରେ ବିଶ୍ବକୁ ଅନ୍ଧକାରରେ ରଖିଥିଲେ । ଯେଉଁଥିପାଇଁ ଏଭଳି କ୍ଷତି ସହିବାକୁ ପଡୁଛି ।
ସୂଚନାଯୋଗ୍ୟ ଯେ, ଆମେରିକାରେ ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଲୋକ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ଏଥିଯୋଗୁଁ ମୃତ୍ୟୁ ହୋଇଛି ।