ଗଲଓ୍ବାନ ଘାଟି ସଂଘର୍ଷ: ମୃତକଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ କଲେ ସାମ୍ବାଦିକ, ଉଠାଇନେଲା ଚୀନ ପୋଲିସ

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ ୨୨/୦୨: ଗଲଓ୍ବାନ ଘାଟିରେ ହୋଇଥିବା ହିଂସାରେ କେବଳ ୪ ଜଣ ସୈନିକ ପ୍ରାଣ ହରାଇଥିଲେ ବୋଲି କହିଥିଲା ଚୀନ। ଘଟଣାର ୮ ମାସ ପରେ ଏନେଇ ଚୀନ ସୂଚନା ଦେଇଥିଲା। କିନ୍ତୁ ତମାମ ମିଡିଆ ରିପୋର୍ଟ ଅନୁସାରେ ଏହି ସଂଖ୍ୟା ବହୁତ କମ୍‌ ଥିଲା। ଏହି ସଂଖ୍ୟା ଉପରେ ପ୍ରଶ୍ନ ଉଠାଇବାରୁ ନିଜ ଦେଶର ୩ ଜଣ ସାମ୍ବାଦିକଙ୍କୁ ଗିରଫ କରାଇଛନ୍ତି ସି ଜିନପିଙ୍ଗଙ୍କ ସରକାର। ସେମାନଙ୍କୁ ପଚରା ଉଚରା କରିବାକୁ ଗିରଫ କରାଯାଇଥିବା ଚୀନ ଅଧିକାରୀ କହିଛନ୍ତି। ଗିରଫ ସାମ୍ବାଦିକଙ୍କ ମଧ୍ୟରେ ୩୮ ବର୍ଷୀୟ କିଉ ଜିମିଂ ମଧ୍ୟ ଅଛନ୍ତି। ସେ ଇକୋନୋମିକ ଅବଜର୍ଭର ସହ କାମ କରିସାରିଛନ୍ତି। ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ କରି ସେନାକୁ ଅପମାନ କରିଥିବା ନେଇ କିଉଙ୍କ ଉପରେ ଅଭିଯୋଗ ଆସିଛି।

ଗତ ଶୁକ୍ରବାର ଚୀନ ସେନା ଅଧିକାରୀ ସୂଚନା ଦେଇଥିଲେ ଯେ, ଗଲଓ୍ବାନ ଘାଟି ସଂଘର୍ଷରେ ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ପରେ ଅନ୍ୟ ଜଣେ ସୈନକ ପ୍ରାଣ ହରାଇଥିଲେ। ଗତ ବର୍ଷ ୧୫ ଜୁନରେ ଭାରତ ଓ ଚୀନ ସେନା ମଧ୍ୟରେ ପୂର୍ବ ଲଦାଖରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ସେତେବେଳ ଚୀନ ସେନା ପକ୍ଷରୁ ମୃତକଙ୍କ ସଂକ୍ୟା ସମ୍ପର୍କରେ ସୂଚନା ଦିଆଯାଇନଥିଲା। କିନ୍ତୁ ଅନେକ ମିଡିଆ ରିପୋର୍ଟ ଅନୁଯାୟୀ ଏଥିରେ ୪୦-୫୦ ଚୀନ ସୈନିକ ପ୍ରାଣ ହରାଇଥିବା କୁହାଯାଇଥିଲା।

ଅନ୍ୟପଟେ ଚୀନ ଦୀର୍ଘ ୮ ମାସ ପରେ ମୃତକଙ୍କ ସଂଖ୍ୟା ୪ ବୋଲି କହିଥିଲା। ଚୀନ ସରକାରଙ୍କ ବିବୃତ୍ତି ପରେ ଏହା ଉପରେ ପ୍ରଶ୍ନ ଉଠାଇ ସାମ୍ବାଦିକ କିଉ ମୃତକଙ୍କ ସଂଖ୍ୟା ଅଧିକ ଥିବା ନେଇ କହିଥିଲେ। କିଉ ଲେଖିଥିଲେ, ‘ ଭାରତ ନଜରରେ ଦେଖିଲେ ସେ ଜିତିଯାଇଛି ଏବଂ କମ୍‌ ଭୋଗିଛି।’ ଶନିବାର ତାଙ୍କୁ ପୋଲିସ ଗିରଫ କରିଥିବା ବେଳେ ୪ ମୃତ ସୈନିକକଙ୍କୁ ଅପମାନ ଏବଂ ଭୁଲ ଖବର ଦେଉଥିବା ନେଇ କିଉଙ୍କ ଉପରେ ଅଭିଯୋଗ ଆଣିଛି। ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ୩ ସାମ୍ବାଦିକଙ୍କୁ ଭୁଲ ସୂଚନା ଅଭିଯୋଗରେ ଗିରଫ କରାଯାଇଛି। କିଉଙ୍କ ସମେତ ଜଣେ ବ୍ଲଗର ୟାଙ୍ଗଙ୍କୁ ପଶ୍ଚିମ ସୁବେ ସିଚୁଆନରୁ ଗିରଫ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.