ଜେସାକୁ ତେସା ! ଚୀନ୍ରୁ ଆସିଥିବାରୁ ବିମାନରେ ୧୦ ଘଣ୍ଟା କଟାଇଲେ ପାଇଲଟ୍ ଓ କ୍ରିୟୁ ମେମ୍ବର
23/01/2021 at 7:06 PM

ଜୟପୁର ୨୩।୧: ଚୀନ୍ ସିଚୁଆନ ଏୟାର ଲାଇନ୍ସର ଏକ କାର୍ଗୋ ବିମାନ ଦିଲ୍ଲୀ ଯିବା ରାସ୍ତାରେ ଶୁକ୍ରବାର ଖରାପ ପାଗ ଯୋଗୁ ରାଜସ୍ଥାନ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ତେବେ ସୁରକ୍ଷାଗତ କାରଣ ଯୋଗୁ ପାଇଲଟ ଓ କ୍ରିୟୁ ମେମ୍ବରଙ୍କୁ ଏୟାରପୋର୍ଟ କର୍ତ୍ତୃପକ୍ଷ ବିମାନରୁ ତଳକୁ ଓହ୍ଲାଇବାକୁ ଦେଇ ନଥିଲେ। ଫଳରେ କର୍ମଚାରୀମାନେ ଦୀର୍ଘ ୧୦ଘଣ୍ଟା ବିମାନରେ କଟାଇ ଦିଲ୍ଲୀ ଫେରିଛନ୍ତି।
ସୂଚନା ଅନୁସାରେ ଜୟପୁର ସାଙ୍ଗାନେର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିବା ଚୀନ୍ ବିମାନରେ ୬ରୁ ଅଧିକ ପାଇଲଟ, ଏୟାର ହୋଷ୍ଟେସ୍ ଓ ଅନ୍ୟ ବିମାନ କର୍ମଚାରୀ ଥିଲେ। ପ୍ରଥମେ ବିମାନ ଚୀନ୍ର ହୋଇଥିବାରୁ ଏୟାରପୋର୍ଟ କର୍ତ୍ତୃପକ୍ଷ ଅବତରଣ ଅନୁମତି ଦେବାକୁ ଥତମତ ହେଉଥିଲେ। ତେବେ ପରେ ଅନୁମତି ଦେଇଥିଲେ ହେଁ କର୍ମଚାରୀଙ୍କୁ ବିମାନରେ ହିଁ ରହିବାକୁ ନିର୍ଦେଶ ଦେଇଥିଲେ।

ସୁରକ୍ଷାଗତ କାରଣ ଲାଗି ବିମାନ ବନ୍ଦର ଏହି ପଦକ୍ଷେପ ନେଇଥିଲେ। ଶନିବାର ସକାଳେ ଦିଲ୍ଲୀରୁ କ୍ଲିୟରାନ୍ସ ପରେ ବିମାନଟି ପ୍ରସ୍ଥାନ କରିଛି। ତେବେ ସେତେବେଳ ପର୍ଯ୍ୟନ୍ତ ଦୀର୍ଘ ୧୦ ଘଣ୍ଟା କାଳ ପାଇଲଟ ଓ ଚାଳକଦଳ ସଦସ୍ୟ ବିମାନରେ କଟାଇଛନ୍ତି।
କରୋନା ଭାଇରସ ମହାମାରୀ ଲାଗି ଚୀନ୍ ଭାରତୀୟ ପଣ୍ୟବାହୀ ଜାହାଜଙ୍କୁ ଦୀର୍ଘମାସରୁ ଅନ୍ତର୍ଜାତୀୟ ଜଳରାଶିରେ ଛିଡାକରି ରଖିଛି। ସେହିପରି ଭାରତୀୟଙ୍କୁ ବିମାନ ବନ୍ଦରରେ ଅଟକ ରଖୁଥିବା ବେଳେ ସେଠାରୁ ଦେଶକୁ ଫେରିବାକୁ ଚାହୁଁଥିବା ନାଗରିକଙ୍କୁ ଯାତ୍ରା ଅନୁମତି ଦେଉ ନାହିଁ। ଏଥିରେ ଜୟପୁର ବିମାନ ବନ୍ଦରରେ ଚୀନ୍ ବିମାନର ଚାଳକଦଳ ସଦସ୍ୟଙ୍କୁ ପ୍ରବେଶ ଅନୁମତି ଦିଆନଯିବାର ଏହା ପ୍ରଥମ ଘଟଣା ।