ପୂର୍ବ ଲଦାଖର ଏହି ଅଞ୍ଚଳରୁ ପଛକୁ ହଟିବାକୁ ଚୀନ ନାରାଜ, କହିଲା- ଯେତିକି ମିଳିଛି ସେଥିରେ ଖୁସି ହେଉ ଭାରତ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮।୦୪: ଗତ ବର୍ଷ ଜୁନ୍‌ରେ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆଜି ମଧ୍ୟ ଥମିନାହିଁ। ବାରମ୍ବାର ନିଜ କଥାରୁ ଓହରୁଥିବା ଚୀନ ପୁଣି ଥରେ ନିଜର ଅସଲମୁଖା ଦେଖାଇଛି। ଡ୍ରାଗନ ପୂର୍ବ ଲଦାଖରେ ହଟ୍ ସ୍ପ୍ରିଙ୍ଗ୍, ଗୋଗରା  ଓ ଦେପସାଙ୍ଗରେ ଘଟିଥିବା ସଂଘର୍ଷ ସ୍ଥାନରୁ ପଛକୁ  ହଟିବାକୁ ମନା କରିଛି। କେବଳ ଏତିକି ନୁହେଁ ଚୀନ କଡା ଆଭିମୁଖ୍ୟ ପୋଷଣ କରି ଏହା କହିଛି ଯେ, ଭାରତକୁ ଯାହା କିଛି ବି ହାସଲ ହୋଇଛି ସେଥିରେ ସେ ଖୁସି ହେବା ଉଚିତ୍।

ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ୧୧ତମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା ୧୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଚୀନ ଉକ୍ତ ଅଞ୍ଚଳରୁ ପଛକୁ ହଟିବାକୁ ମନା କରି ଦେଇଛି। ଚୀନ ସହ ବିବାଦର ସମାଧାନ ପାଇଁ ସାମିଲ ଏକ ଉଚ୍ଚପଦସ୍ଥ ସୂତ୍ର ଅନୁଯାୟୀ, ଚୀନ ପ୍ରଥମେ ହଟ୍‌ ସ୍ପ୍ରିଙ୍ଗ ଓ ଗୋଗରାର ପାଟ୍ରୋଲିଂ ପଏଣ୍ଟ ୧୫ ଓ ପାଟ୍ରୋଲିଂ ପଏଣ୍ଟ ୧୭ ଏରୁ ସେନା ପ୍ରତ୍ୟାହାର କରିବାକୁ ସହମତି ଦେଇଥିଲା। ମାତ୍ର ଏବେ ନିଜ କଥାରୁ ଓହରି ପଛକୁ ହଟିବାକୁ ଡ୍ରାଗନ ମନା କରୁଛି। ଏଥିରୁ ସ୍ପଷ୍ଟ ଯେ, ଚୀନ ଚାହୁଁଛି ଭାରତୀୟ ସେନା ଏବେ ଏଲଏସି ନିକଟ ପାଟ୍ରୋଲିଂ ପଏଣ୍ଟ ୧୫ ଓ ୧୭ ଏ ଉପରେ ବର୍ତ୍ତମାନର ନୂତନ ସ୍ଥିତିକୁ ସ୍ଵୀକାର କରୁ। ଏପରିକି ୨୦୨୦ ଏପ୍ରିଲ ପୂର୍ବର ସ୍ଥିତିକୁ ଫେରିବାକୁ ଚୀନ ଅମଙ୍ଗ ହେଉଛି।

ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି, ଗୋଗରା-ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଚୀନର ପ୍ରାୟ ୬୦ ସୈନିକ ୨୦୨୦ ଏପ୍ରିଲ ସ୍ଥିତିଠୁ ଆଗରେ ରହିଛନ୍ତି। ଏହି ଅଞ୍ଚଳକୁ ଖାଲି କରିବାର ପୂରା ପ୍ରକ୍ରିୟା ତେବେ ଯାଇ ପୂରା ହେବ ଯେବେ ଚୀନ ସେନା ଏହି ଅଞ୍ଚଳରୁ ହଟି ନାହାନ୍ତି। ଥରୁଟିଏ ଚୀନ ସେନା ପଛକୁ ହଟିଲେ ଭାରତୀୟ ସେନା ପାଟ୍ରୋଲିଂ ଅଧିକାର ପ୍ରସଙ୍ଗକୁ ଆଗକୁ ବଢାଇବ ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.