Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଉହାନକୁ ପୁଣି ଫେରିଲା କରୋନା, ଗତ ୨୪ ଘଣ୍ଟାରେ ୧୨୯୦ ଜଣଙ୍କ ଜୀବନ ଗଲାଣି

17/04/2020 at 6:11 PM

ଉହାନ ୧୭।୦୪: ପୁଣି ଥରେ ଚୀନର ଉହାନକୁ ଫେରିଲା କରୋନା। କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଉହାନ ଶୁକ୍ରବାର କରୋନା ସଂକ୍ରମିତ ଏବଂ ମୃତ୍ୟୁ ତଥ୍ୟ ଜାରି କରିଛି। ଚୀନ ସମାଚାର ଏଜେନ୍ସି ସିନହୁଆ ଅନୁଯାୟୀ ଚୀନରେ ପୁଣି ଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି। ଫଳରେ କିଛି ଦିନ ପରେ ଚୀନରେ କରୋନା ଜନିତ ମୃତକଙ୍କ ସଂଖ୍ୟା  ବଢିଛି। ସଂକ୍ରମିତଙ୍କ ସଂଖ୍ୟା ୩୨୫ ବଢି ୫୦,୩୩୩ରେ ପହଞ୍ଚିଛି। ସେହି ପରି ଗତ ୨୪ ଘଣ୍ଟାରେ ଉହାନରେ ୧୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଚୀନରେ ମୃତକ ସଂଖ୍ୟା ୪୬୩୨କୁ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଜାନୁଆରୀରେ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସଂପ୍ରତି ଦୁନିଆରେ  ହାହାକାର ପରିସ୍ଥିତି ସୃଷ୍ଟି କରିଛି। କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉ ନାହିଁ। ସମଗ୍ର ବିଶ୍ଵରେ କରୋନା ଭାଇରସ୍‌ ମହାମାରୀରେ ୨୧ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ସାରିଲେଣି।

ଜନ ହପିକିନ୍ସ ୟୁନିଭର୍ସିଟିର ବିଜ୍ଞାନ ଏବଂ ଇଞ୍ଜିନିୟରିଂ କେନ୍ଦ୍ର(ସିଏସଏସଇ) ପକ୍ଷରୁ ଜାରି ତାଜା ତଥ୍ୟ ଅନୁଯାୟୀ ସମଗ୍ର ଦୁନିଆରେ କରୋନା ଭାଇରସ୍‌ରେ ମୋଟ୍  ସଂକ୍ରମିତଙ୍କ ସଂଖ୍ୟା ୨୧, ୪୨, ୧୭୯ ରହିଛି। ଏହି ମହାମାରୀରେ ୧ ଲକ୍ଷ ୪୪ ହଜାର ୪୨୦ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସେହି ପରି ୫ ଲକ୍ଷ ୪୧ ହଜାର ୪୨୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ କରୋନାରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବିଶ୍ଵର ସବୁଠୁ ଶକ୍ତିଶାଳୀ ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସବୁଠୁ ଅଧିକ ରହିଛି। ଏଠାରେ ମହାମାରୀ ବିକଟାଳ ରୂପ ନେଇଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୭ ହଜାର ୮୦୧କୁ ବୃଦ୍ଧି ଘଟିଥିବା ବେଳେ ୩୨ ହଜାର ୯୧୭  ଜଣଙ୍କ ମୃତ୍ୟୁ ଘଟିଛି।

ଆମେରିକାରେ ଏହି ମହାମାରୀରୁ ଏ ପର୍ଯ୍ୟନ୍ତ ୫୪ ହଜାର ୭୦୩ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଆମେରିକା ପରେ ୟୁରୋପୀୟ ଦେଶ ଇଟାଲୀ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ଏ ପର୍ଯ୍ୟନ୍ତ ୨୨ ହଜାର ୧୭୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷ ୬୮ ହଜାର ୯୪୧ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ଚୀନରେ ଏ ପର୍ଯ୍ୟନ୍ତ ୮୨ ହଜାର ୩୬୭ ଜଣ କରୋନାରେ ସଂକ୍ରମିତ ଅଛନ୍ତି। ଗତ ୨୪ ଘଣ୍ଟାରେ ୧୨୯୦ ଜଣଙ୍କ ମୃତ୍ୟୁ ସହିତ ଏଠାରେ କରୋନା ଜନିତ ମୃତକ ସଂଖ୍ୟା ୪୬୩୨କୁ ବୃଦ୍ଧି ଘଟିଛି।

   Related Posts