ତାଇୱାନ୍‌କୁ ଚୀନ୍‌ର ଧମକ୍ : ଆମେରିକା ପ୍ରୀତି ଛାଡ ନଚେତ୍ ଛଡାଇ ନେବୁ ସ୍ୱାଧୀନତା, ଭାରତ ଲାଗି ମଧ୍ୟ ଚେତାବନୀ

Published By : Prameya-News7 Bureau | September 19, 2020 IST

ବେଜିଂ ୧୯।୯: ଆମେରିକା ସହ ସମ୍ପର୍କକୁ ନେଇ କ୍ଷୁବ୍ଧ ଚୀନ୍‌ ତାଇୱାନ୍‌କୁ ସ୍ୱାଧୀନତା ଛଡାଇନେବାର ଧମକ ଦେଇଛି। ଆମେରିକା ବୈଦେଶିକ ମନ୍ତ୍ରାଳୟଙ୍କ ବରିଷ୍ଠ ଅଧିକାରୀ କିଥ୍ କ୍ରେଚ୍‌ ତାଇୱାନ୍‌ ଗସ୍ତରୁ ଫେରିଛନ୍ତି। ଏହାକୁ ନେଇ କ୍ଷୁବ୍ଧ ଚୀନ୍‌ ଶୁକ୍ରବାର ତାଇୱାନ୍‌ ଆକାଶ ସୀମା ଭିତରକୁ ୧୮ଟି ଯୁଦ୍ଧବିମାନ ଅନୁପ୍ରବେଶ କରାଇଥିଲା। ତେବେ ହୁଏତ ଏହା ଚୀନ୍‌ର ସମରାଭ୍ୟାସ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ସରକାରୀ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ ଏହାକୁ ତାଇୱାନ ଆକ୍ରମଣର ରିହର୍ସେଲ ବୋଲି କହିଛି।

{"id":331812,"sizeSlug":"large"}

ଚୀନ୍‌ ସରକାରୀ ସମ୍ବାଦପତ୍ର ତାଇୱାନର ସ୍ୱାଧୀନତା ଖୁବ୍ ଶୀଘ୍ର ସମାପ୍ତ ହେବାକୁ ଯାଉଥିବାର ବି ଚେତାବନୀ ଦେଇଛି। ଏଥିପାଇଁ କେବଳ ଏକ କୁଟନୈତିକ ବାହାନା ଦରକାର ଓ ଏପରି କୌଣସି ଏକ କାରଣ ମିଳିବା ମାତ୍ରେ ପିଏଲଏ ତାଇୱାନ ଆକ୍ରମଣ କରିବ ବୋଲି ଗ୍ଲୋବାଲ ଟାଇମସ୍‌ ଧମକ ଦେଇଛି। ଏଥିପାଇଁ ଭାରତର ଉଦାହରଣ ମଧ୍ୟ ଦେଇଛି ଗ୍ଲୋବାଲ ଟାଇମ୍ସ। ସୀମାରେ ଭାରତ ସହ ଉତ୍ତେଜନାକୁ ଚୀନ୍‌ ଖାତିର କରୁନଥିବା କହିଛି। ଏଥିରେ ତାଇୱାନ୍‌ ଏକ କ୍ଷୁଦ୍ର ଦେଶ ଓ ଆଧୁନିକ ଯୁଦ୍ଧକୌଶଳର କୌଣସି ଅଭିଜ୍ଞତା ମଧ୍ୟ ନାହିଁ। ଏଣୁ ତାଇୱାନର ସ୍ୱାଧୀନତା ଛଡାଇ ନେବାକୁ ଚୀନ୍‌କୁ ଦିନଟେ ବି ଲାଗିବନି ବୋଲି ଧମକ୍‌ ଦେଇଛି ଗ୍ଲୋବାଲ ଟାଇମ୍ସ।

{"id":331813,"sizeSlug":"large"}

୧୯୭୯ ମସିହା ପରେ ତାଇୱାନ ସହ ଆମେରିକାର ସମ୍ପର୍କ ଟ୍ରମ୍ପ ଶାସନରେ ଅଧିକ ଘନିଷ୍ଠ ହୋଇଛି। ଏହା ପୂର୍ବରୁ କୌଣସି ଆମେରିକୀୟ ନେତା ତାଇୱାନ ଗସ୍ତ କରିନଥିବା ବେଳେ ଗତ ଅଗଷ୍ଟ ମାସରେ ଆମେରିକା ସ୍ୱାସ୍ଥ୍ୟ ମନ୍ତ୍ରୀ ଏଲେକ୍ସ ଅଜର ଓ ଏବେ କିଥ କ୍ରେଚ୍ ଏହି ଦ୍ୱିପ ଦେଶ ଗସ୍ତ କରିଛନ୍ତି। ତାଇୱାନ୍‌ ପୃଥକ ଦେଶ ଭାବେ ଜାତିସଂଘରେ ମାନ୍ୟତା ମିଳିବା ପରେ ମଧ୍ୟ ଚୀନ୍‌ ଏହାକୁ ନିଜର ଏକ ରାଜ୍ୟ ଭାବେ ବ୍ୟବହାର କରୁଛି। ଏହାର ସୀମା ଅଥବା ସାର୍ବଭୌମତ୍ୱକୁ ଆଦୌ ସମ୍ମାନ କରୁନାହିଁ। ଖାସ ଏଥିଯୋଗୁ ତାଇୱାନ୍‌ ଷ୍ଟ୍ରେଟ୍‌ରେ ଆମେରିକୀୟ ଯୁଦ୍ଧପୋତ ଏବେ ଲଙ୍ଗର ପକାଇଥିବା ବେଳେ ଚୀନ୍‌ ତଣ୍ଟିରେ କଣ୍ଟା ସଦୃଶ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.