ଚୀନ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ, ଘରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | May 17, 2020 IST

ତେଲ୍ ଅବିବ, ୧୭|୦୫: ଇସ୍ରାଏଲରେ ନୂଆ ସରକାରର ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ସେଠାରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କ ମୃତ୍ୟୁ ଘଟିଛି । ଏକ ବନ୍ଦ ଘରୁ ତାଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଚୀନ ରାଷ୍ଟ୍ରଦୂତ ଡୁ ଓ୍ୱେଇଙ୍କ ମୃତଦେହ ତାଙ୍କ ହର୍ଟଜଲିଆ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଥି । ଏନେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।

ଇସ୍ରାଏଲ ଗଣମାଧ୍ୟମର ସୂଚନାନୁସାରେ, ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏବେସୁଦ୍ଧା ସେ କେଉଁ କାରଣରୁ ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ହାରେଟସର ରିପୋର୍ଟ ଅନୁସାରେ, ୫୮ବର୍ଷୀୟ ଓ୍ୱେଇଙ୍କ ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଶୋଇଥିବା ଅବସ୍ଥାରେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ପ୍ରଥମେ ତାଙ୍କର ଜଣେ କର୍ମଚାରୀ ହିଁ ତାଙ୍କ ମୃତଦେହ ଦେଖିଥିଲେ । ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ । ହୃଦଘାତରୁ ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

ତାଙ୍କ ପରିବାରରେ ପତ୍ନୀ ଓ ଜଣେ ଝିଅ ଅଛନ୍ତି । ସେ ଫେବ୍ରୁଆରୀରେ ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.