ସି ଜିନପିଙ୍ଗଙ୍କ ସବୁ ରଣନୀତି ଫେଲ୍, ଚୀନ୍ ପ୍ରତି ସାରା ବିଶ୍ୱର ନକରାତ୍ମକ ଭାବନା ଅଧିକ, ବାଇଡେନ୍ ଜିତିବା ପରେ ବେଜିଂର ଦବଦବାକୁ ଝଟକା

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ,୨୧/୧୧:  ସାରା ବିଶ୍ୱରେ ଏବେ ପ୍ରତିଯୋଗିତା ଚାଲିଛି । କେଉଁ ଦେଶ କେତେ ଶକ୍ତିଶାଳୀ ସେନେଇ ଚାଲିଛି ରେସ୍ । ଯାହାର ପ୍ରତିରକ୍ଷା, ବାଣିଜ୍ୟ ଓ କୂଟନୈତିକ ବିଭାଗ ଯେତେ ସମୃଦ୍ଧ ସେହି ଦେଶ ଏବେ ଅନ୍ୟ ଉପରେ ଭାରି ପଡିବାରେ ଲାଗିଛି । ତେବେ  ଦୀର୍ଘ ଦିନ ଧରି ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ । ଉଭୟ ଦେଶ ପରସ୍ପରକୁ ଚେକ୍ ଦେବା ପାଇଁ ସୁଯୋଗ ଖୋଜୁଛନ୍ତି । ଏହା ପଛରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିସ୍ତାରବାଦୀ ନୀତି ଦାୟୀ । କିନ୍ତୁ ସେ ଏହାକୁ ମାନିବାକୁ ନାରାଜ ।

ଗତ ୪ ବର୍ଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଚୀନର ବିସ୍ତାରବାଦୀ ନୀତିକୁ କିଛିଟା ଝଟକା ଲାଗିଛି । ଏବେ କିନ୍ତୁ ଟ୍ରମ୍ପ ହ୍ୱାଇଟ ହାଉସରେ ଅଳ୍ପ ଦିନର ଅତିଥି । ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ବି ଚୀନ ସହ ସମ୍ପର୍କରେ ସୁଧାର ଆସିବାର ସମ୍ଭାବନା କମ୍ । ଏହି ପ୍ରସଙ୍ଗରେ ସିଙ୍ଗାପୁରର ପୂର୍ବତନ କୂଟନୀତିଜ୍ଞ କିଶୋର ମହାଭୂମି କହିଛନ୍ତି ଯେ, କରୋନା ବିଶ୍ୱ ମହାମାରୀ ଚୀନକୁ ଫାଇଦା ଦେଇଛି । କାରଣ ଚୀନ କରୋନା ଉପରେ ଶୀଘ୍ର ବିଜୟ ହାସଲ କରିଥିଲା । ଏହାକୁ ନେଉ ଅନ୍ୟ ଦେଶ ସହ ଚୀନର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । କାନାଡା, ଜର୍ମାନୀ, ଦକ୍ଷିଣ କୋରିଆ, ସ୍ପେନ୍, ସ୍ୱିଡେନ୍ ଓ ୟୁକେ ସହ ସମ୍ପର୍କ ଖରାପ କରିଛି ଚୀନ୍ ।

ଏକ ସର୍ଭେ ଅନୁସାରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ବିଶ୍ୱର ଭଲ ପାଇଁ କିଛି ପଦକ୍ଷେପ ନେଉନାହାଁନ୍ତି ।  ଯାହା ୨୦୧୯ରେ ୬୧ ପ୍ରତିଶତ ଥିଲା । ୧୪ଟି ଦେଶର ଲୋକଙ୍କ ନଜରରେ ଜିନପିଙ୍ଗ୍ ବିଶ୍ୱାସଯୋଗ୍ୟ ନୁହଁନ୍ତି । ଏଥିପାଇଁ ଚୀନର ରାଜନୈତିକ ପ୍ରକ୍ରିୟାକୁ ଦାୟୀ କରାଯାଉଛି । ପୂର୍ବ ଏସିଆରେ ଚୀନ୍ ନିଜର ଦବଦବା ଜାହିର କରିବାକୁ ଚାହୁଁଛି । ଏହାକୁ ନେଇ ଅନ୍ୟ ଦେଶ ସହ ଚୀନର ଶତ୍ରୁତା ବୃଦ୍ଧି ପାଉଛି । ଏହା ମଧ୍ୟରେ ଚୀନ ବିଶ୍ୱ ଦରବାରରେ ଆମେରିକା ଦବଦବା ହ୍ରାସ ପାଇଁ ଅପଚେଷ୍ଟା ଚଳାଇଛି । କାରଣ ଆମେରିକା ଗତ ୭ ଦଶନ୍ଧୀ ଧରି ବିଶ୍ୱ ବଜାରରେ ନିଦ ଦବଦବା ଜାହିର କରି ରଖିଛି । କିନ୍ତୁ ଚୀନର ଏହି ଯୋଜନା ଫସର ଫାଟିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

କରୋନା ପାଇଁ ଚୀନରେ ୬୧ ପ୍ରତିଶତ ଚାକିରିଆଙ୍କ ରୋଜଗାରରେ ବାଧା ଉପୁଜିଛି । ଏପରିକି ଭାରତ ସହ ଗଲଓ୍ୱାନ ସଙ୍ଘର୍ଷ ପରେ ଟିକଟକ୍, ପବଜୀ ଆଦି ଚାଇନା ଆପକୁ ବ୍ୟାନ୍ କରାଯାଇଛି । ଫଳରେ ଚୀନର ଅର୍ଥବ୍ୟବସ୍ଥା ଉପରେ ପ୍ରବାବ ପଡିଛି । ହଙ୍ଗକଙ୍ଗ ମଧ୍ୟ ଚୀନ ବିରୋଧରେ ଏକାଟି ହୋଇଛି । ଯାହାକୁ ଆମେରିକା ସମର୍ଥନ କରୁଛି । ତାଇଓ୍ୱାନରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ତାଇଓ୍ୱାନକୁ ଚୀନ ବିରୋଧରେ ଆମେରିକା ଓ ଭାରତର ସମର୍ଥନ କରୁଛନ୍ତି । ଅଷ୍ଟ୍ରେଲିଆ ସହ ଚୀନର ସମ୍ପର୍କ ବିଗିଡିଛି । ଏକ ସର୍ଭେରେ ଅଷ୍ଟ୍ରେଲିଆର ପ୍ରାୟ ୮୧ ପ୍ରତିଶତ ଜନତା ଚୀନକୁ ବିରୋଧ କରିଛନ୍ତି ।

କେବଳ ଚୀନର ନଜରରେ ହିଁ ଡ୍ରାଗନର ପଦକ୍ଷେପ ଓ ଆଚରଣକୁ ବୁଝିହେବ । ଚୀନ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରେ । ଦେଶର କୂଟନୈତିକ ନୀତି ମଧ୍ୟ ଦୁର୍ବଳ । ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟି କେବଳ କୁପ ମଣ୍ଡୁକ ହୋଇ ରହିବାକୁ ଚାହୁଁଛି । ଏହାକୁ ନେଇ ଚୀନର ଆଇନ ପ୍ରଣେତାମାନେ ଗଭୀର ଚିନ୍ତା କରିବା ଆବଶ୍ୟକ । କାରଣ ଏସିଆରେ ଭାରତ, ଜାପାନ, ଚାଇନା ଓ ଅଷ୍ଟ୍ରେଲିଆ ଚୀନକୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଚୀନ ନିଜକୁ ଏବେବି ସମସ୍ତଙ୍କଠୁ ଶକ୍ତିଶାଳୀ ଭାବୁଛି । ସମସ୍ତଙ୍କ ଉପରେ ପତିଆରା ଜାହିର କରିପାରିବ ବୋଲି ବିଶ୍ୱାସ କରୁଛି । କିନ୍ତୁ ଆହୁରି ଶକ୍ତିଶାଳୀ ଦେଶ ଚୀନ୍ ବିରୋଧରେ ପରସ୍ପର ସହ ହାତ ମିଳାଇଛନ୍ତି ।

ଯଦି ଜିନପିଙ୍ଗ୍ ନିଜ ନୀତିରେ ପରିବର୍ତ୍ତନ କରନ୍ତି ତଥାପି ଅନେକ ବିଳମ୍ବ ହୋଇଯାଇଛି । ବାଇଡେନ୍ ଚୀନକୁ ଅଳଗା କରି ଏସିଆ ଓ ୟୁରୋପ ସହ ପାରମ୍ପରିକ ବାଣିଜ୍ୟ କାରବାର ଜାରି ରଖିବେ ବୋଲି ଅନୁମାନ କରାଯାଉଛି । ଯାହା ଚୀନକୁ ଝଟକା ଦେବ ବୋଲି ଅନୁମାନ କରାଯାଉଛି । କେବେ ଚୀନ୍ ବିଶ୍ୱ ଦରବାରରେ ଗ୍ରହଣୀୟ ହେବ ତାହା ପରେ ଜଣାପଡିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.