ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
7/03/2021 at 8:59 PM

ବେଜିଂ : ଭାରତ ଓ ଚୀନ୍ ଜଣେ ଜଣକର ସହଯୋଗୀ ଓ ମିତ୍ର , ଏଣୁ ଏମାନେ ପରସ୍ପର ଲାଗି ବିପଦ ନୁହଁନ୍ତି ବୋଲି ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି। ପେଙ୍ଗଙ୍ଗ ଡିସଏନଗେଜମେଣ୍ଟ ପରେ ଚୀନ୍ ବୈଦେଶିକ ମନ୍ତ୍ରୀ ପ୍ରଥମ ଥର ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ଓ ଭାରତ ସମ୍ପର୍କ ଅନିବାର୍ଯ୍ୟ, କାରଣ ଦୁଇ ବୃହତ୍ତ ବିକାଶଶୀଳ ଦେଶ ଏକତ୍ର ମିସି ବିକାଶର କାୟାକଳ୍ପ କରୁଛନ୍ତି ଓ ପ୍ରଗତି ପଥରେ ଆଗକୁ ବଢୁଛନ୍ତି।

ଏହା ପୂର୍ବରୁ ଚୀନ୍ସ୍ଥିତ ଭାରତ ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ ଗତ ଶୁକ୍ରବାର ଚୀନ୍ ଉପବିଦେଶମନ୍ତ୍ରୀ ଲୁଓ ଝାଓହୁଇଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲଚୋନା କାଳରେ ଉପବିଦେଶମନ୍ତ୍ରୀ ପୂର୍ବ ଲଦ୍ଦାଖର ବାକି ଅଞ୍ଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ହେଉ ବୋଲି କହିଥିଲେ। ଏହା ଦ୍ୱାରା ଦୁଇ ଦେଶଙ୍କ ମଧ୍ୟରେ ସୀମାକୁ ନେଇ ଉପୁଜିଥିବା ଅସନ୍ତୋଷ ଦୂର ହେବା ସହ ଶାନ୍ତି କାୟମ ହୋଇପାରିବ ବୋଲି ସେ କହିଥିଲେ। ଏହା ଛଡା ଦୁଇ ଦେଶଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧିରେ ଅନୁକୂଳ ପ୍ରଗତି ମଧ୍ୟ ହାସଲ ହୋଇପାରିବ।

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଟେଲିଫୋନ ଆଳାପ କରିଛନ୍ତି। ଉଭୟ ଦେଶର ଦୁଇ ପ୍ରତିପକ୍ଷଙ୍କ ଆଲୋଚନା ପ୍ରାୟ ୧ଘଣ୍ଟା ୧୫ ମିନିଟ୍ ଧରି ହୋଇଥିଲା। ଯେଉଁଥିରେ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧି ଲାଗି ସୀମାରେ ଶାନ୍ତି ଓ ସ୍ଥିରତା ଜରୁରି ବୋଲି ଉଭୟ ସହମତ ହୋଇଥିଲେ।