ବୁଢୀ ମାଆଙ୍କ ଗ୍ୟାଙ୍ଗ୍ ଚୀନରେ ନୂଆ ସମସ୍ୟା : ଯେଉଁଠି ପାରୁଛନ୍ତି ସେଇଠି ନାଚୁଛନ୍ତି କମ୍ପାଉଛନ୍ତି, ଲୋକଙ୍କ ବିରୋଧରୁ ଭାଙ୍ଗୁଛି ଶାନ୍ତି

Published By : Prameya-News7 Bureau | October 09, 2021 IST

ବେଜିଂ, ୦୯/୧୦:  ଅଜବ ନିଶା । ରାସ୍ତାରେ ବୟସ୍କ ମହିଳାଙ୍କ ଜବରଦସ୍ତ ନାଚ ଓ ଗୀତ । କିନ୍ତୁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରାସ୍ତାରେ ନୃତ୍ୟ କରୁଥିବା ଏହି ବୟସ୍କାମାନଙ୍କୁ ଡ୍ୟାନ୍ସିଂ ଗ୍ରାନି ବା ନୃତ୍ୟରତ୍ତ ଜେଜେ ମାଆ ବୋଲି କୁହାଯାଉଛି ।

ଚାଇନାର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ କିଛି ମହିଳା ଦଳ ଦଳ ହୋଇ ନାଚ କରୁଥିବା ଦେଖିବାକୁ ମିଳିଛି । ସକାଳେ ଓ ସନ୍ଧ୍ୟାରେ ସେମାନେ ନାଚୁଛନ୍ତି । କେବଳ ରାସ୍ତା ନୁହେଁ, ପାର୍କ ଓ ଖେଳ ପଡିଆରେ ସେମାନଙ୍କ ନାଚ ଦେଖିବାକୁ ମିଳୁଛି । ତେବେ ଏହି ନାଚକୁ ନେଇ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ମହିଳାମାନେ ଅଧିକ ଶବ୍ଦରେ ଗୀତ ବଜାଉଛନ୍ତି । ଯାହା ସମସ୍ୟା ସୃଷ୍ଟି କରୁଛି । ଅନଲାଇନ ଓ ଅଫଲାଇନରେ ଏହି ଗ୍ୟାଙ୍ଗ ବିରୋଧରେ ଅନେକ ବ୍ୟକ୍ତି ଅଭିଯୋଗ କରୁଛନ୍ତି । କିନ୍ତୁ ମହିଳାମାନେ ଦେଇଥିବା ସଫେଇ ବି ନିଆରା । ସେମାନଙ୍କ କହିବା କଥା ହେଲା, ଏପରି କରିବା ଦ୍ୱାରା ସେମାନେ ଖୁସି ରହୁଛନ୍ତି । ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସହରରେ ଏକଲା ରୁହନ୍ତି । କିନ୍ତୁ କିଣାକିଣି କରିବା ହେଉ କିମ୍ବା ବୁଲାବୁଲି କରିବାକୁ ଏହି ଗ୍ୟାଙ୍ଗ୍ ମିଶିକରି ଯାଇଥାନ୍ତି ।

ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ମହିଳାଙ୍କ ଏତାଦୃଶ କାର୍ଯ୍ୟକଳାପକୁ ସମର୍ଥନ କରୁଛି । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି । କାରଣ ଅନେକ ସ୍ଥାନରେ ଏହି ମହିଳାମାନେ ଖେଳ ପଡିଆରେ ଖେଳାଳିଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.